ଭୁବନେଶ୍ୱର: ପଳାସୁଣି ମଦ ଦୋକାନ ସମ୍ମୁଖରେ ଆଜି ଅପରାହ୍ଣରେ ଘଟିଥିବା ହତ୍ୟାଘଟଣାକୁ ମିଶାଇ ଗତ ୨ମାସ ମଧ୍ୟରେ ୫ଟି ହତ୍ୟାକାଣ୍ଡ ଘଟିଛି। ଏହା ରାଜଧାନୀବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ୨ଟି ହତ୍ୟାକାଣ୍ଡରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ଟି ହତ୍ୟାକାଣ୍ଡର ରହସ୍ୟ ଏବେ ବି ଉନ୍ମୋଚିତ ହୋଇ ପାରିନି। ଗତ ମାର୍ଚ୍ଚ ମାସ ୨୧ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା କୁଆଖାଇ ନଦୀପଠାରୁ ଉନ୍ମୟ ପାଢ଼ୀ(୪୭) ନାମକ ଜଣେ ଯୁବକଙ୍କ ଅଧାପୋଡ଼ା ମୃତଦେହ ପୁଲିସ ଜବତ କରିଥିଲା। ମୃତଦେହ ନିକଟରୁ ପୁଲିସ ଏକ ଲାପ୍ଟପ୍, ଅଧାପୋଡ଼ା ପେନଡ୍ରାଇଭ୍ ଓ ଜଣେ ଯୁବତୀଙ୍କ ଚପଲ ଜବତ କରିଥିଲା। ତେବେ ତାଙ୍କୁ ପ୍ରଥମେ ଛୁରିରେ ଆକ୍ରମଣ ପରେ ପୋଡ଼ି ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ତାଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଥିଲା। ପୁଲିସ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏପ୍ରିଲ୍ ୨୮ ତାରିଖ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଚିଲିପୋଖରୀ ଅଞ୍ଚଳର ଦୁଃଶାସନ ମହାନ୍ତି (୬୨) ନାମକ ଜଣେ ବ୍ୟକ୍ତିଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଏବେ ବି ଫେରାର୍ ଅଛି। ମେ ୩ ତାରିଖ ବିଳମ୍ବିତ ରାତିରେ ନୂଆପଲ୍ଲୀ ମୁଣ୍ଡାସାହି ଅଞ୍ଚଳର ଝୁଲି ମୂଳି(୩୦) ନାମକ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ତେବେ ହତ୍ୟା ଘଟାଇଥିବା ଝୁଲିଙ୍କ ସ୍ୱାମୀ ରାତାରାତି ଫେରାର୍ ହୋଇଯାଇଥିଲା। ମେ ୫ ତାରିଖରେ ଦିନ ଦ୍ୱିପ୍ରହରରେ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍ବଜାର ମୋଚିସାହିରେ ପି କାମେଶ୍ୱର ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ବାଉଁଶ ମୂଳିରେ ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ରାଜଧାନୀରେ ଦିନକୁ ଦିନ ବଢ଼ୁଥିବା ହତ୍ୟା ଘଟଣାକୁ ନେଇ ପୁଲିସର ଚିନ୍ତା ବଢ଼ି ଯାଇଛି।