ଇସ୍ଲାମାବାଦ: ଓଡ଼ିଆରେ ଲୋକପ୍ରିୟ କଥନିକାଟିଏ ଅଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର।’ ଅର୍ଥାତ୍ ଆଜି ଜଣେ ରାଜା ଭଳି ଜୀବନଯାପନ କରୁଥିବା ବେଳେ ଭାଗ୍ୟ/କର୍ମଦୋଷ ହେତୁ ଭିକାରି ଅବସ୍ଥା ପ୍ରାପ୍ତ ହୋଇଯାଇପାରେ। ବର୍ତ୍ତମାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କ ଅବସ୍ଥା ସେପରି କିଛି ହୋଇଛି । ଆଭେନ୍ ଫିଲ୍ଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନଓ୍ଵାଜ ସରିଫ୍ ଓ ତାଙ୍କ କନ୍ୟା ମାରିୟମ୍ଙ୍କୁ ଯଥାକ୍ରମେ ୧୦ ବର୍ଷ ଓ ୭ ବର୍ଷ ଜେଲ୍ ଦଣ୍ଡ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଲଣ୍ଡନ୍ରୁ ଆସି ଲାହୋରରେ ପହଞ୍ଚବା ପରେ ସରିଫ୍ ଓ ତାଙ୍କ କନ୍ୟାଙ୍କୁ ଗିରଫ କରାଯାଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ ଏବେ ରାଓ୍ଵାଲପିଣ୍ଡିରେ ଅଦିଆଲା ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଏକଦା ଦେଶର ପ୍ରଧାନମନ୍ତ୍ରୀ ଥିବା ସରିଫ୍ ଏବେ ଜଣେ ଦ୍ୱିତୀୟ ଶ୍ରେଣୀ କଏଦୀ ପାଲଟି ଯାଇଛନ୍ତି। ବିଳାସମୟ ଜୀବନ ବିତାଉଥିବା ସରିଫଙ୍କୁ ଜେଲ୍ କୋଠରୀରେ ଶୋଇବା ଲାଗି ଖଟ, ବସିବା ଲାଗି ଏକ ଚେୟାର୍,ଏକ ଚା ପିଇବା ଲାଗି ଟିପଟ୍ ଯୋଗାଇ ଦିଆଯାଇଛି।
ଗିରଫଦାରି ପରେ ନଓ୍ଵାଜଙ୍କୁ ପ୍ରଥମେ ସିହାୟା ପୁଲିସ୍ ଟ୍ରେନିଂ କଲେଜର ରେଷ୍ଟ ହାଉସ୍କୁ ଜେଲ୍ ଘୋଷଣା କରାଯାଇ ସେଠାରେ ରଖିବାର ଯୋଜନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ପରିବର୍ତ୍ତନ କରାଯାଇ ତାଙ୍କୁ ଅଦିଆଲା ଜେଲ୍କୁ ନିଆଯାଇଥିଲା। ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୬୮ ବର୍ଷୀୟ ନଓ୍ଵାଜ୍ ସରିଫ୍ ଓ ତାଙ୍କର ୪୮ ବର୍ଷୀୟା କନ୍ୟା ମାରିୟମ୍ ଜେଲ୍ରେ ରହିବେ।