ନରମିଲେନି ଓକିଲ, ତ‌ାତିଲେ ପୁଲିସ, ୧ ଯାଏ କାର୍ଯ୍ୟବନ୍ଦ

କଟକ: ଆଇନଜୀବୀଙ୍କୁ ମାଡ଼ ଘଟଣାର ତଦାରଖ କାର୍ଯ୍ୟରତ ବିଚାରପତିଙ୍କ ମାଧ୍ୟମରେ କରାଇବା ଲାଗି ଆଜି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ େନତୃତ୍ବରେ ଗଠିତ ଖଣ୍ଡପୀଠ ନିେର୍ଦଶ େଦବା ପରେ ବି ଏହାର ପ୍ରଭାବ ଆଇନଜୀବୀଙ୍କ ଉପରେ ପଡିନାହିଁ। ବରଂ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ପୂର୍ବ ବୈଠକର ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୧ରେ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। େସହିଭଳି ନଭେମ୍ବର ୧ରେ ରାଜ୍ୟର ସବୁ ବାର୍ ଆସୋସିଏସନର ପ୍ରତିନିଧିଙ୍କ ଉପସ୍ଥିତିରେ ସାଧାରଣସଭା ଅନୁଷ୍ଠିତ ହେବ। ସେହି ବୈଠକରେ ସବୁ ବାର୍ ଆସୋସିଏସନର ପ୍ରତିନିଧିଙ୍କ ମତାମତ ନିଆଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଏହି ଆନ୍ଦୋଳନକୁ ବିରୋଧ କରି ରିଜୋଲ୍ୟୁସନ୍ ମାନି ନଥିବା ଆଇନଜୀବୀଙ୍କ ବିରୋଧରେ ହାଇକୋର୍ଟ ବାର୍ ଆସୋସିଏସନ୍ ବାଇ-ଲ’ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଆଜି ହାଇକୋର୍ଟ ଫାଟକ ସମ୍ମୁଖରେ ଆଇନଜୀବୀମାନେ ଧାରଣାରେ ବସି ରହିଥିଲେ। ପରେ ଦିନ ୨ଟା ସମୟରେ ହାଇକୋର୍ଟ ବାର୍ ଆସୋସିଏସନ୍ ହଲରେ ସାଧାରଣ ପରିଷଦ ବୈଠକ ସଭାପତି ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅଭିଯୁକ୍ତଙ୍କ ଗିରଫଦାରୀ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଆଇନଜୀବୀମାନେ ମତ ଦେଇଥିଲେ। ବୈଠକରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, ବରଦାପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୯ରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ବିଜେଡି ଲିଗାଲ ସେଲ୍ ସଦସ୍ୟମାନେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନରୁ ଓହରି ଯିବାକୁ ଘୋଷଣା କରିଥିଲେ। ଗତକାଲି ସେମାନେ ହାଇକୋର୍ଟରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ସେମାନଙ୍କୁ ବିରୋଧ ହୋଇଥିଲା। ହାଇକୋର୍ଟ ପରିସରରେ ଉଭୟପକ୍ଷ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ। ଏଥିରେ ବିଜେଡି ଲିଗାଲ ସେଲ୍ କର୍ମକର୍ତ୍ତା ଅସୀମ ଅମିତାଭ ଦାସ, ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଜଣେ ପୁଲିସ କନଷ୍ଟେବଲ ଓ ଜଣେ ସାଧାରଣ ଲୋକ ଆହତ ହୋଇଥିଲେ। ଘଟଣାକୁ ନେଇ ଲାଲବାଗ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର