ଦବିଲା ୨୦ ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
ମଣିବାବାଙ୍କ ଦର୍ଶନ ନପାଇ ଫେରିଗଲେ ପର୍ଯ୍ୟଟକ, ବାହ୍ୟଜଗତରୁ ବିଚ୍ଛିନ୍ନ ହେବ ବୋଡକ ଗାଁ!, ପାଠପଢାରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ
ଆରଡି : ଭଦ୍ରକ ଜିଲାର ଆରଡ଼ିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା ୨୦ ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ୍ ରାସ୍ତା ଓଳଗ ନିକଟସ୍ଥ ବୋଡ଼କ ଠାରେ ଗତ ମଙ୍ଗଳବାର ରାତ୍ରିରେ ଧସି ଯାଇଛି। ଯାହାଫଳରେ ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆରଡ଼ିପୀଠର ଆଖଣ୍ଡଳମଣି ଓ ଯାଜପୁରର ମା’ ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉକ୍ତ ସ୍ଥାନରେ ଲଘୁଚାପଜନିତ ଲଗାଣ ବର୍ଷା ଓ ତିତ୍ଲି ପ୍ରଭାବରେ ବୈତରଣୀ ନଦୀର ବନ୍ୟାଜଳ ସିଧାସଳଖ ରାସ୍ତା ଦେଇ ଜନବସତିକୁ ମାଡ଼ିଥିଲା। ରାସ୍ତାର ଅଧିକାଂଶ ଭାଗ ନଦୀଗର୍ଭକୁ ଚାଲିଯିବା ସହିତ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏପରି ଘଟିବାର ୪ ମାସ ବିତିଯାଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜଳସେଚନ ବିଭାଗର ସମନ୍ବୟ ଅଭାବରୁ ଏହାର ମରାମତି ହୋଇନଥିଲା। ଫଳରେ ଏପରି ଅବସ୍ଥା ସୃଷ୍ଟି ହେଲା ସ୍ଥାନୀୟ ଲୋକମାନେ କହିଛନ୍ତି। ଏହି ରାସ୍ତାରେ ଦୀର୍ଘମାସ ଧରି ଭାରିଯାନ ଚଳାଚଳ ନ କରିବା, ଜୁଆର ସମୟରେ ରାସ୍ତାରୁ ବଡ଼ବଡ଼ ଅତଡ଼ା ଖଣ୍ଡ ନଦୀମଧ୍ୟକୁ ଧସିବା ସଂକ୍ରାନ୍ତରେ ଉଭୟ ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଁ ବୋଡ଼କ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯିବ ବୋଲି ଆଶଙ୍କା ଦେଖାଦେଇଛି। ଏହି ରାସ୍ତାରେ ସାଧାରଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା େବଳେ ବ୍ୟବସାୟବାଣିଜ୍ୟ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପର୍ଯ୍ୟଟକଙ୍କର ଆଗମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।
ସୂଚନା ଅନୁଯାୟୀ, ୨ ବର୍ଷ ତଳେ ବୈତରଣୀ ବନ୍ୟାଜଳରେ ଉକ୍ତସ୍ଥାନରେ ପ୍ରାୟ ୨ଶହ ଫୁଟ ରାସ୍ତା ନଦୀଗର୍ଭକୁ ଧସି ଯାଇଥିଲା। କୋଟିକୋଟି ଟଙ୍କା ବ୍ୟୟରେ ନଦୀକୂଳରେ ପଥର ପ୍ୟାକିଂ କରାଯିବା ସହିତ ରାସ୍ତାର ମରାମତି କରାଯାଇଥିଲା। ହେଲେ ନଦୀ ପୁର୍ନବାର କୂଳ ଲଂଘି ରାସ୍ତାକୁ ଗ୍ରାସ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଏନ୍ଏଚ୍ ବିଭାଗର ପାଣିକୋଇଲି ଏସ୍ଡିଓ ସୁମିତ ସାହୁଙ୍କୁ ପଚାରିବାରୁ ଆସନ୍ତା ଶୁକ୍ରବାର ସୁଦ୍ଧା ଅସ୍ଥାୟୀ ମରାମତି କରାଯିବା ସହିତ ସ୍ଥାୟୀ ମରାମତି ନିମନ୍ତେ ଖର୍ଚ୍ଚାକଳନ କରାଯାଇଛି, ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।