ନୂଆଦିଲ୍ଲୀ: ଫୋର୍ଟିସ୍ ଓ ରାନ୍ବାକ୍ସିର ପୂର୍ବତନ ପ୍ରତିଷ୍ଠାତା ତଥା ଦୁଇ ଭାଇ ମାଲ୍ବିନ୍ଦର ଓ ଶିବିନ୍ଦର ସିଂହଙ୍କ ମଧ୍ୟରେ ଯେଉଁ ଝଗଡ଼ା ଲାଗି ରହିଥିଲା ତାହା ମାରପିଟର ରୂପ ନେଇଛି। ବଡ଼ ଭାଇ ମାଲ୍ବିନ୍ଦର ସିଂହ ଆଜି ସୋସିଆଲ୍ ମିଡ଼ିଆରେ ଏକ ଭିଡିଓ ଅପ୍ଲୋଡ୍ କରି ସାନ ଭାଇ ଶିବିନ୍ଦର ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ, ଆଜି ପାଞ୍ଚ ଡିସେମ୍ବର ଓ ସନ୍ଧ୍ୟା ୬ ଘଣ୍ଟା କିଛି ମିନିଟ୍ ହୋଇଛି। ୫୫ ହନୁମାନ ରୋଡ୍ରେ ଶିବିନ୍ଦର ମୋ ଉପରେ ଆକ୍ରମଣ କରିଛନ୍ତି। ସେ ମୋତେ ବାଡ଼େଇଛନ୍ତି। ମାରପିଟ ଯୋଗୁ ଡାହାଣ କାନ୍ଧରେ ସୃଷ୍ଟି ହୋଇଥିବା ଦାଗକୁ ସେ ଦେଖାଇଛନ୍ତି। ମୋତେ ଶିବିନ୍ଦର ଖଣ୍ଡିଆ କରିବା ସହିତ ମୋ ବୋତାମ ଛିଣ୍ଡାଇ ଦେଇଛି ବୋଲି ମାଲ୍ବିନ୍ଦର ଅଭିଯୋଗ କରିଛନ୍ତି। ମୋତେ ସେ ବାରମ୍ବାର ଧମକାଉଛି ଓ ମୋ ଟିମ୍ ସଦସ୍ୟମାନେ ମୋତେ ତା’ଠାରୁ ଅଲଗା ନକରିବା ପର୍ଯ୍ୟନ୍ତ ସେଠାରୁ ସେ ଯିବାକୁ ପ୍ରସ୍ତୁତ ନଥିଲା ବୋଲି ମାଲ୍ବିନ୍ଦର କହିଛନ୍ତି। ପ୍ରିୟୁଷ ରିଅଲ ଇଷ୍ଟେଟ୍ ନାମକ ଏକ କଂପାନିର ବୋର୍ଡ ବୈଠକ ସମୟରେ ଏହି ଘଟଣା ଘଟିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ବିଷୟରେ ସାନ ଭାଇ ଶିବିନ୍ଦର ଭିନ୍ନ କଥା କହୁଛନ୍ତି। ପ୍ରଥମେ ସେ କହିଲେ, ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ମାଲ୍ବିନ୍ଦରଙ୍କୁ ସାଙ୍ଗରେ ନେଇ ମୁଁ ଆଗକୁ ବଢ଼ିପାରିବି ନାହିଁ। ଏହାର କିଛି ସମୟ ପରେ ସେ ନିଜ ପକ୍ଷ ରଖିଛନ୍ତି। ସେଦିନ ପ୍ରକୃତରେ କ’ଣ ଘଟିଥିଲା ତାହା ସେ ନିଜ ଆଡ଼ୁ ଜଣାଇବାକୁ ପ୍ରୟାସ କରିଛନ୍ତି। ଶିବିନ୍ଦର ଜଣାଇଛନ୍ତି ଯେ, ସେଦିନର ବୈଠକରେ ଯୋଗ ଦେବା ପାଇଁ ମୁଁ ମୋ କାର୍ଯ୍ୟାଳୟ ଯାଇଥିଲି। ସେଠାରେ ମୁଁ ଜାଣିବାକୁ ପାଇଲି ଯେ ବଡ଼ ଭାଇ ମାଲ୍ବିନ୍ଦର ଜଣେ ନିର୍ଦେଶକଙ୍କୁ ବାଧିବା ଭଳି କଥା କହିବା ଯୋଗୁ ସେ ବୈଠକ ଅଧାରୁ ଉଠିଯାଇଥିଲେ। ଅନ୍ୟ କିଛି କର୍ମଚାରୀଙ୍କୁ ମଧ୍ୟ ଭୟଭୀତ କରିବାକୁ ସେ ପ୍ରୟାସ କରୁଥିଲେ ଓ ତାଙ୍କ କଥାର ଭିଡିଓ ରେକର୍ଡିଂ କରିବା ପାଇଁ କିଛି କର୍ମଚାରୀଙ୍କୁ କହିଥିଲେ। କ’ଣ ହୋଇଛି ଜାଣିବା ପାଇଁ ମୁଁ କୋଠରିରେ ପ୍ରବେଶ କରିବା ବେଳେ ମାଲବିନ୍ଦର ମୋ ଉପରେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ। ମୋତେ କାନ୍ଥ ଆଡ଼କୁ ଠେଲି ଦେଇଥିଲେ ଓ ମୋର ନିଶ୍ବାସ ବନ୍ଦ ହୋଇଗଲା ଭଳି ଲାଗିଥିଲା। ଏହା ପରେ ମୁଁ ଥାନାରେ ଏତଲା ଦାୟର କରିଥିଲି। କିନ୍ତୁ ପରିବାର ଲୋକ ବୁଝାଇବା ପରେ ତାହାକୁ ପ୍ରତ୍ୟାହାର କରିନେଇଥିଲି ବୋଲି ଶିବିନ୍ଦର କହିଛନ୍ତି।