ଡାକ୍ତର ନଥିଲେ ‌େବାଲି… ଗର୍ଭସ୍ଥ ଶିଶୁ ମୃତ

ବରଗଡ଼: ବରପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଗତ ୧୧ ଦିନ ହେଲା ଜୋରଦାର ଆନ୍ଦୋଳନ ଜାରି ରହିଛି। ଏପରିକି ବନ୍ଦ ବି ପାଳନ ହୋଇଛି। ଏଭଳି ସ୍ଥି‌ତିରେ ଠିକଣା ସମୟରେ ଚିକିତ୍ସା ସେବା ନପାଇ ଜଣେ ଗର୍ଭବତୀଙ୍କ ଗର୍ଭସ୍ଥ ଶିଶୁ ମରି ଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବରପାଲି ୱାର୍ଡ ନମ୍ବର ୯ ବାସିନ୍ଦା ତ୍ରିଲୋଚନ ମେହେରଙ୍କ ସ୍ତ୍ରୀ ପୁଷ୍ପା ଗର୍ଭବତୀ ଥିଲେ। ପ୍ରସବ ବେଦନା ହେବାରୁ ତାଙ୍କୁ ଶନିବାର ବରପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନଥିଲେ। ସେଠାରେ ପୁଷ୍ପାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ତ୍ରିଲୋଚନା ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଏଠାରେ ଅଲ୍‌ଟ୍ରାସାଉଣ୍ଡ କରିବା ପରେ ଗର୍ଭସ୍ଥ ଶିଶୁଟି ମରିଯାଇଥିବା ଡାକ୍ତର କହିଥିଲେ। ଏବେ ଗୁରୁତର ଅବସ୍ଥାରେ ପୁଷ୍ପାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବରପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିଲେ ତାଙ୍କ ଶିଶୁଟି ବଞ୍ଚି ଯାଇଥାନ୍ତା ବୋଲି ତ୍ରିଲୋଚନ କୋହଭରା ଗଳାରେ କହିଛନ୍ତି।
ଏହି ଘଟଣା ବରପାଲିରେ ଆଲୋଡ଼ନ ସୃଷ୍ଟି କରିଛି। ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଜନଅସନ୍ତୋଷ ଉଗ୍ର ରୂପ ନେବାରେ ଲାଗିଛି।

ସମ୍ବନ୍ଧିତ ଖବର