‘ତ୍ୟାଗୀ’ ସଲ୍‌ମାନ୍‌!

ସାଉଦୀ ଆରବର ଅସଲି ଶାସକ ପ୍ରିନ୍‌ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ ଭାରତକୁ ଅଧିକ ଆବଶ୍ୟକ କରନ୍ତି, କି ଭାରତ ତାଙ୍କୁ ଅଧିକ ଆବଶ୍ୟକ କରେ? ବର୍ତ୍ତମାନ ସମୟରେ ଏହାର ଉତ୍ତର ସମ୍ପୂର୍ଣ୍ଣ ସ୍ପଷ୍ଟ: ବିନ୍‌ ସଲ୍‌ମାନ୍‌ ଭାରତକୁ ଅଧିକ ଆବଶ୍ୟକ କରନ୍ତି। ଏହାର କାରଣ ସମସ୍ତେ ଜାଣନ୍ତି। ତୁର୍କୀସ୍ଥିତ ସାଉଦୀ କନ୍‌ସୁଲେଟ୍‌ ଭିତରେ ସ୍ତମ୍ଭକାର ଜମାଲ୍‌ ଖାସୋଗିଙ୍କ ବର୍ବର ହତ୍ୟାକାଣ୍ତର ମୁଖ୍ୟ ରଚୟିତା ପ୍ରିନ୍‌ସ ସଲ୍‌ମାନ୍‌ ବୋଲି ଆମେରିକାର ସିଆଇଏ ସୂଚନା ପ୍ରକାଶ କଲା ପରେ ବିଶ୍ବ ସମୁଦାୟରେ ସଲ୍‌ମାନ୍‌ଙ୍କର ପରିଚୟ ହେଉଛି ଏକ ନୃଶ˚ସ ହତ୍ୟାକାରୀ, ଯିଏ ନିଜର ପଦବି, କ୍ଷମତା ଓ ଅର୍ଥ ବଳରେ ତଥା ଆନ୍ତର୍ଜାତିକ କୂଟନୀତିର ମାରପେଞ୍ଚ ଯୋଗୁଁ ସ୍ବାଧୀନ ଭାବରେ ବିଚରଣ କରୁଛନ୍ତି। ନିଜର ଭାବମୂର୍ତ୍ତିରୁ ଏହି କଳଙ୍କର ଛିଟା ହଟାଇବା ପାଇଁ ସଲ୍‌ମାନ୍‌ ଅତ୍ୟନ୍ତ ବ୍ୟଗ୍ର। ଭାରତ ଭଳି ପୃଥିବୀର ବୃହତ୍ତମ ଗଣତନ୍ତ୍ର ଯଦି ତାଙ୍କୁ ଅତିଥି ରୂପେ ସ୍ବାଗତ କରେ, ତାହା ତାଙ୍କର ଭାବମୂର୍ତ୍ତିକୁ ଉଦ୍ଧାର କରିବାରେ ବିଶେଷ ସହାୟକ ହେବ।

ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ପ୍ରିନ୍‌ସ ସଲ୍‌ମାନ୍‌ ଭାରତର ଇସାରା ପ୍ରତି ସମ୍ମାନ ଜଣାଇ ପାକିସ୍ତାନ ଗସ୍ତ ସାରି ସେଠାରୁ ସିଧାସଳଖ ଭାରତକୁ ନଆସି ନିଜ ଦେଶକୁ ଫେରି ଯାଇ ସେଠାରୁ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଲ୍‌ଵାମା କାଣ୍ତ ପରେ ସଲ୍‌ମାନ୍‌ ଯଦି ଏହି କାଣ୍ତ ପଛରେ ଥିବା ପାକିସ୍ତାନକୁ ଏକ ହାଇଫେନ୍‌ ଦ୍ବାରା ଭାରତ ସହ ଯୋଡ଼ି ଦେଇ ଏହି ଗସ୍ତ ସମାପନ କରିଥାନ୍ତେ, ତାହା ଭାରତ ପାଇଁ ଅତ୍ୟନ୍ତ ଅସ୍ବସ୍ତିକର ଓ ଅପମାନସୂଚକ ହୋଇଥାନ୍ତା। ସଲ୍‌ମାନ୍‌ଙ୍କର ଏ ଦୁଇ ଦେଶକୁ ଅଲଗା ଅଲଗା ଗସ୍ତ ଭାରତର ଅସ୍ବସ୍ତିକୁ ହ୍ରାସ କରିବ। ଏହାକୁ କିନ୍ତୁ ଯେଉଁଭଳି ପାକିସ୍ତାନ ବିରୁଦ୍ଧରେ ଭାରତର ଏକ କୂଟନୈତିକ ବିଜୟ ରୂପେ ବିଚାର କରାଯାଉଛି, ଏହା ଆଦୌ ସେପରି ନୁହେଁ। ପାକିସ୍ତାନରେ ସଲ୍‌ମାନ୍‌ଙ୍କ ଗସ୍ତ ସମୟରେ ଯାହା ଘଟିଛି, ତା’ଉପରେ ନଜର ପକାଇଲେ ଯାହା ଦେଖିବାକୁ ମିଳେ, ତାହା ହେଉଛି ଅସଲରେ ସାଉଦୀ ସମର୍ଥନ ଲାଭ କରିବାରେ ପାକିସ୍ତାନର କୂଟନୈତିକ ବିଜୟ। ତେବେ ଏପରି ଦୃଷ୍ଟିପାତ କରିବା ପୂର୍ବରୁ ଏହା ମନେରଖିବା ଆବଶ୍ୟକ ଯେ ସାଉଦୀ ଆରବ ପାଇଁ ପାକିସ୍ତାନ ଏପରି ଏକ ଗୁରୁତ୍ବ ବହନ କରିଥାଏ ଯାହା ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଶ୍ରେଣୀର।

ପ୍ରଥମ ହେଲା ଉଭୟ ଦେଶ ହେଉଛନ୍ତି ଇସଲାମୀୟ ଦେଶ। ଦ୍ବିତୀୟ ହେଲା ଉଭୟ ଦେଶ ହେଉଛନ୍ତି ସୁନ୍ନି ମୁସଲମାନମାନଙ୍କର ଦେଶ। ତୃତୀୟ ହେଲା ସାଉଦୀ ଆରବର ପ୍ରତିଦ୍ବନ୍ଦ୍ବୀ ସିଆ ମୁସଲମାନମାନଙ୍କର ଦେଶ ଇରାନ୍‌ ସହିତ ପାକିସ୍ତାନର ସମ୍ପର୍କ ମଧୢ ସାଉଦୀ ଆରବ ପରି ତିକ୍ତ। ପୁଲ୍‌ଵାମାର ଠିକ୍‌ ପୂର୍ବରୁ ପାକିସ୍ତାନସ୍ଥିତ ଆତଙ୍କବାଦୀମାନଙ୍କର ଆକ୍ରମଣରେ ଇରାନ୍‌ରେ ୨୭ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିକ୍ରିୟାରେ ଇରାନ୍‌ରେ ପ୍ରବଳ ପାକ୍‌-ବିରୋଧୀ ପ୍ରତିବାଦ ଦେଖାଦେଇଛି। ଏହା କିନ୍ତୁ ସାଉଦୀ ଆରବକୁ ହୃଷ୍ଟ କରିଥିବା ଇରାନ୍‌କୁ କାବୁ ମଧୢରେ ରଖିବା ପାଇଁ ପାକିସ୍ତାନ ଭଳି ଉପଯୋଗୀ ଅନ୍ୟ କୌଣସି ଦେଶ ଆଉ ନାହିଁ। ଚତୁର୍ଥ ହେଲା ଉଭୟ ଦେଶ ହେଉଛନ୍ତି ପରସ୍ପରର ପରିପୂରକ। ସାଉଦୀ ଆରବ ପାଖରେ ଅଛି ବିପୁଳ ଆର୍ଥିକ ସମ୍ବଳ କିନ୍ତୁ ଏକ କ୍ଷୁଦ୍ର ସେନା ବାହିନୀ। ଅପରପକ୍ଷେ ପାକିସ୍ତାନ ହେଉଛି ଏକ ଅଭାବଗ୍ରସ୍ତ ଦେଶ ଯାହାର ଅଛି ଏକ ବିଶାଳ ସେନା ବାହିନୀ। ଉଭୟଙ୍କ ମଧୢରେ ସହଯୋଗ ତେଣୁ ପରସ୍ପରର ଆର୍ଥିକ ଓ ସାମରିକ ଆବଶ୍ୟକତା ପୂରଣ କରିବ। ସର୍ବୋପରି ପାକିସ୍ତାନ ହେଉଛି ପୃଥିବୀର ଏକମାତ୍ର ଇସଲାମୀୟ ଦେଶ ଯାହା ପାଖରେ ଆଣବିକ ବୋମା ରହିଛି, ଯାହାକୁ ‘ଇସଲାମୀୟ ବୋମା’ ବୋଲି କୁହାଯାଉଛି। ସାଉଦୀ ଆରବ ଇସଲାମ୍‌ର ପବିତ୍ରତମ ପୀଠ ମକ୍‌କାର ରକ୍ଷକ ହୋଇଥିବାରୁ, ସାଥିରେ ଏକ ‘ଇସଲାମୀୟ ବୋମା’ଧାରୀ ଦେଶ ରହିବା ତା’ର ଆତ୍ମବିଶ୍ବାସରେ ବୃଦ୍ଧି ଘଟାଇବା ନିଶ୍ଚିତ।

ପ୍ରିନ୍‌ସ ସଲ୍‌ମାନ୍‌ଙ୍କର ପାକିସ୍ତାନକୁ ଦୁଇଦିନିଆ ଗସ୍ତ ଶେଷରେ ସେଠାରେ ପ୍ରକାଶ ପାଇଥିବା ମିଳିତ ବିବୃତିରେ ଭରି ରହିଥିବା ପାକିସ୍ତାନ-ଅନୁକୂଳ ମିଥ୍ୟାଚାର ଓ ଶଠତା ଉଭୟ ଦେଶ ମଧୢରେ ଥିବା ଏହି ବିଶେଷ ସମ୍ପର୍କର ସ୍ବାକ୍ଷର ବହନ କରିଥାଏ। ସେ ବିବୃତିରେ କୁହାଯାଇଛି, ‘‘ସାଉଦୀ ପକ୍ଷ ଇସଲାମୀୟ ଜଗତ୍‌ରେ ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଏବ˚ ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପାଇଁ ତା’ର ଉଦ୍ୟମର ଭୂରିଭୂରି ପ୍ରଶ˚ସା କରିଥିଲା।’’ ସଲ୍‌ମାନ୍‌ ଗସ୍ତର ଅବ୍ୟବହିତ ପୂର୍ବରୁ କେବଳ ପୁଲ୍‌ଵାମା ଜିହାଦୀ ଆକ୍ରମଣରେ ପାକିସ୍ତାନର ହାତ ନୁହେଁ, ତା’ର ଦିନକ ପୂର୍ବରୁ ଇରାନ୍‌ ପାକିସ୍ତାନ ବିରୁଦ୍ଧରେ କରିଥିବା ଅନୁରୂପ ଅଭିଯୋଗ ପାକିସ୍ତାନ ଉଭୟ ତା’ର ପୂର୍ବ ଓ ପଶ୍ଚିମ ଦିଗର ପଡ଼ୋଶୀ ଅଞ୍ଚଳରେ ‘ଶାନ୍ତି ଓ ନିରାପତ୍ତା’ ନିଶ୍ଚିତ କରିବା ପାଇଁ କିପରି ଉଦ୍ୟମ କରୁଛି, ତା’ର ତାଜା ପ୍ରମାଣ ବହନ କରିଥାଏ। ଭାରତ ପାଇଁ ଯାହା ଏହାଠାରୁ ଅଧିକ ଅସ୍ବସ୍ତିକର, ତାହା ହେଲା ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଅଜହର‌୍‌କୁ ଜାତିସ˚ଘର ଆତଙ୍କବାଦୀ ତାଲିକାଭୁକ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ନିରାପତ୍ତା ପରିଷଦରେ ଚୀନ୍‌ ଭିଟୋ ପ୍ରୟୋଗ କରି ଭଣ୍ତୁର କରିଚାଲିଥିବା ସମ୍ପର୍କରେ ମିଳିତ ବିବୃତିରେ ସ୍ଥାନ ପାଇଥିବା ଉଭୟ ଦେଶର ଭାରତ-ବିରୋଧୀ ମତ। ଚୀନ୍‌ ଯେଉଁ ଆଳ ଦେଖାଇ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ନିରାପତ୍ତା ପରିଷଦ ଉଦ୍ୟମକୁ ଅଟକାଇବାରେ ଲାଗିଛି, ପାକିସ୍ତାନ ସହିତ ସ୍ବର ମିଳାଇ ପ୍ରିନ୍‌ସ ସଲ୍‌ମାନ୍‌ ମଧୢ ତାହାକୁ ସମର୍ଥନ କରିଛନ୍ତି। ଏ ଆଳ ହେଲା- ‘‘ଜାତିସ˚ଘର ତାଲିକାଭୁକ୍ତ କରାଯିବା ବ୍ୟବସ୍ଥାର ରାଜନୀତୀକରଣ’’ କରାଯିବା ଉଚିତ ନୁହେଁ।

ମାସୁଦ ଅଜହର‌୍‌ ପରି ଏକ ରକ୍ତ ପିପାସୁ ନରହନ୍ତାକୁ ଆତଙ୍କବାଦୀ ବୋଲି ଘୋଷଣା କରିବା ପ୍ରିନ୍‌ସ ସଲ୍‌ମାନ୍‌ଙ୍କ ପାଇଁ ବୋଧହୁଏ ସେଇ ଭଳି ଏକ ରାଜନୀତୀକରଣ ଉଦ୍ୟମ, ଯେମିତି ଜମାଲ୍‌ ଖାସୋଗିଙ୍କ ବୀଭତ୍ସ ହତ୍ୟା (ତାଙ୍କ ଶରୀରକୁ ଖଣ୍ତ ଖଣ୍ତ କରି ଏସିଡ୍‌ରେ ମିଳାଇ ଦିଆଯାଇଥିଲା) ପାଇଁ ଅନୁସନ୍ଧାନକାରୀମାନେ ପ୍ରିନ୍‌ସଙ୍କ ହାତ ଆବିଷ୍କାର କରିବା। ସତେ ଯେମିତି ଏତିକି ଶଠତା ଯଥେଷ୍ଟ ନଥିଲା, ଦୁଇଜଣ ଅପରାଧୀ ପରସ୍ପରର ପିଠି ଥାପୁଡ଼ାଇବା ଭଳି ମିଳିତ ଇସ୍ତାହାରରେ କୁହାଯାଇଛି, ‘‘ସାଉଦୀ ଆରବ ଏବ˚ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ପାକିସ୍ତାନ ଚରମବାଦ ଓ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଜାରି ରଖିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇବା ସହିତ ଆତଙ୍କବାଦ ବିରୁଦ୍ଧରେ ଉଭୟ ପକ୍ଷ ସ୍ବୀକାର କରିଥିବା ତ୍ୟାଗର ଗଭୀର ଆଦର କରିଥିଲେ।’’ ଏ ଭଳି ‘ତ୍ୟାଗୀ’ ସଲ୍‌ମାନ୍‌ଙ୍କ ଭାରତ ଗସ୍ତ ସମୟରେ ଭାରତ ତାଙ୍କର ଛଳନା ଭେଦ କରି ପାକିସ୍ତାନ ବିରୁଦ୍ଧରେ କୌଣସି କୂଟନୈତିକ ବିଜୟ ହାସଲ କରିବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର