ନିୟମିତ ଭାବେ ଓକିଲାତି କରୁନଥିବା ଆଇନଜୀବୀଙ୍କ ନାଁ ସୁପାରିସ ପ୍ରସଙ୍ଗ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସହ ହାଇକୋର୍ଟ ବାର୍ ପ୍ରତିନିଧିଙ୍କ ଆଲୋଚନା

କଟକ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିନିଧି ସାକ୍ଷାତ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନ ଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରାଯିବା ପ୍ରସଂଗକୁ ନେଇ ନୂଆଦିଲ୍ଲୀଠାରେ ପ୍ରଧାନ ବିଚାରପତିଙ୍କ ସହିତ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ଓ ସଂପାଦକ ସଂଜୟ କୁମାର ଦାସ ପ୍ରମୁଖ ଆଲୋଚନା କରିଛନ୍ତି। ଏଥି ସହିତ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ପ୍ରଧାନ ବିଚାରପତିଙ୍କ ନିକଟରେ ଦାବି କରାଯାଇଛି। ପ୍ରଧାନ ବିଚାରପତିଙ୍କୁ ଆସୋସିଏସନ୍ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରାୟ ଏକ ଘଣ୍ଟାର ଆଲୋଚନାରେ ପ୍ରଧାନ ବିଚାରପତିଙ୍କୁ ସମସ୍ତ ଦାବି ସଂପର୍କରେ ଅବଗତ କରାଯାଇଛି ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ୍ କରାଯିବା ଘଟଣାର ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିବାଦ କରିଥିଲା। ମେ’ ୧୭ରେ ଆଇନଜୀବୀମାନେ କଳା ବ୍ୟାଜ୍ ପିନ୍ଧିଥିଲେ। ଏହା ପରେ ମୁଖ୍ୟ ବିଚାରପତି ଓ କଲେଜିୟମ ସଦସ୍ୟ ଥିବା ବିଚାରପତିଙ୍କ କୋର୍ଟ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବର୍ଜନ କରିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଥିଲେ। ଏଥି ସହିତ ଆସୋସିଏସନର ପ୍ରତିନିଧି ମଣ୍ଡଳୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟ କଲେଜିୟମର ସଦସ୍ୟ ଥିବା ଅନ୍ୟ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ ଓ ନୂଆଦିଲ୍ଲୀରେ ଅନ୍ୟ ଉଚ୍ଚ କର୍ତ୍ତପକ୍ଷଙ୍କୁ ସାକ୍ଷାତ କରି ଏହି ପ୍ରସଂଗରେ ଆଲୋଚନା କରିବେ ବୋଲି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର