ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣାଙ୍କ ଜାମାତା ତଥା ‘କେଫେ କାଫି ଡେ’ର ସଂସ୍ଥାପକ ବି.ଜି. ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ଅଛନ୍ତି। ସୋମବାର ରାତିରେ ବେଙ୍ଗାଲୁରୁରୁ ମାଙ୍ଗାଲୁରୁ ଯିବା ରାସ୍ତାରେ ଦକ୍ଷିଣ କନ୍ନଡ଼ ଜିଲ୍ଲର କୋଟେପୁରା ନିକଟସ୍ଥ ନେତ୍ରାବତୀ ନଦୀ ପୋଲ ନିକଟରେ ସିଦ୍ଧାର୍ଥ ନିଖୋଜ ହୋଇଯାଇଥିଲେ। ନେତ୍ରାବତୀ ନଦୀ ପୋଲ ଉପରେ ସେ ଗାଡ଼ିରୁ ଓହ୍ଲାଇଥିଲେ ଏବଂ କିଛି ରାସ୍ତା ଚାଲିବା ପାଇଁ ଚାହୁଛନ୍ତି ବୋଲି ଡ୍ରାଇଭରକୁ କହି ବାହାରି ଯାଇଥିଲେ।। ଏହାପରେ ସେ ଆଉ ଫେରିନଥିଲେ। ସିଦ୍ଧାର୍ଥ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ନଦୀଗର୍ଭକୁ ଡେଇଁ ପଡ଼ିଥିବା ପୁଲିସ ସନ୍ଦେହ କରୁଛି। ନଦୀ ଅଂଚଳରେ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଥିଲେ ମଧ୍ୟ ଆଜି ରାତି ସୁଦ୍ଧା ସିଦ୍ଧାର୍ଥଙ୍କର କୌଣସି ପତ୍ତା ମିଳିନାହିଁ। ଏବେ ସିଦ୍ଧାର୍ଥଙ୍କର ଏକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ସେ କମ୍ପାନି କର୍ମଚାରୀ ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କୁ ସଂବୋଧିତ କରି ଲେଖିଛନ୍ତି, ଜଣେ ଉଦ୍ୟୋଗୀ ଭାବେ ସେ ବିଫଳ ହୋଇଛନ୍ତି। ଏହି ଚିଠି ସାମ୍ନାକୁ ଆସିବା ପରେ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର୍ ଧରିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସିଦ୍ଧାର୍ଥଙ୍କ ତଲାସ କରିବାକୁ ଏନ୍ଡିଆର୍ଏଫ୍, ତଟରକ୍ଷୀ ପୁଲିସ, ହୋମ୍ ଗାର୍ଡ ଏବଂ ଅଗ୍ନିଶମ ବିଭାଗର ମିଳିତ ତଲାସୀ ଅଭିଯାନ ଚାଲିଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ନୌକା ସହାୟତାରେ ତଲାସୀ ଜାରି ରଖିଛନ୍ତି। ୯ଟି ଉଦ୍ଧାରକାରୀ ଦଳ ଏନ୍ଡିଆର୍ଏଫ୍ ସହିତ ମିଶି ବଡ଼ ଧରଣର ଅଭିଯାନ ଚଳାଇଥିଲେ ମଧ୍ୟ ସିଦ୍ଧାର୍ଥଙ୍କ ପତ୍ତା ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସିଦ୍ଧାର୍ଥ ତାଙ୍କ ପତ୍ରରେ ଲେଖିଛନ୍ତି, ‘ମୁଁ ନିଜର ସର୍ବଶ୍ରେଷ୍ଠ ପ୍ରୟାସ ସତ୍ତ୍ବେ ଲାଭ ଦେଉଥିବା ବ୍ୟବସାୟ ମଡେଲ ତିଆରି କରିବାରେ ବିଫଳ ହୋଇଛି। ଯେଉଁମାନେ ମୋ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିଲେ ସେମାନଙ୍କୁ ମୁଁ ନିରାଶ କରିଥିବାରୁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଦୀର୍ଘ ସମୟ ଧରି ଲଢ଼େଇ କରିଆସିଛି। କିନ୍ତୁ ମୁଁ ଆଜି ସାହସ ହରାଇଛି।’ ସିଦ୍ଧାର୍ଥ ତାଙ୍କ ପତ୍ରରେ ଆୟକର ବିଭାଗର ପୂର୍ବ ଡିଜିଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ‘ ଆୟକର ବିଭାଗ ଆମର ମାଇଣ୍ଡ୍ଟ୍ରି ବିକ୍ରିକୁ ରେକିବା ପାଇଁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆମ ସେୟାର ଜବତ କରିନେଇଥିଲା ଏବଂ ପରେ କାଫି ଡେ ସେୟାର ଅଧିକାର ମଧ୍ୟ ଛଡ଼ାଇ ନେଇଥିଲା। ଆଇଟି ବିଭାଗ ଆମ କ୍ଷେତ୍ରରେ ଅତ୍ୟନ୍ତ ଅନୁଚିତ ବ୍ୟବହାର କରିଛି।’