ଟ୍ରମ୍ପ ମାହାତ୍ମ୍ୟ

ଆମେରିକାରୁ ପତ୍ର / ଅନାଦି ନାୟକ

ଏଠିକା ନିୟମ ଅନୁସାରେ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ କୌଣସି ଅଦାଲତରେ ହୋଇ ପାରିବ ନାହିଁ! ଯଦି ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟ ଅପରାଧଜନକ ବୋଲି ଅନୁଭୂତ ହୁଏ, ତେବେ ଲୋକ ପ୍ରତିନିଧିମାନେ (ଦୁଇ ବର୍ଷ ପାଇଁ ନିର୍ବାଚିତ) ଅଭିଯୋଗ ସାବ୍ୟସ୍ତ କରି ସିନେଟ୍‌କୁ (ଏହାର ସଭ୍ୟମାନେ ଛଅ ବର୍ଷ ପାଇଁ ନିର୍ବାଚିତ) ପଠାଇଲେ ସିନେଟର୍‌ ମାନେ ଅଭିଯୋଗକୁ ଯାଞ୍ଚ କରି ଦଣ୍ଡ ବିଧାନ କରିବେ ବା ରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିବେ। ବର୍ତ୍ତମାନ ଏଠା ପାର୍ଲାମେଣ୍ଟର ଲୋକପ୍ରତିନିଧି କକ୍ଷଟି ଡିମୋକ୍ରାଟମାନଙ୍କ ହାତରେ ଥିବା ବେଳେ ସିନେଟ୍‌ରେ ରିପବ୍ଲିକାନ ମାନେ ସଂଖ୍ୟାଧିକ ଓ ସର୍ବେସର୍ବା। ଡନାଲ୍‌ଡ ଟ୍ରମ୍ପ ତାଙ୍କ ରିପବ୍ଲିକାନ ଗୋଷ୍ଠୀକୁ ଏପରି ଭାବରେ ହାତରେ ରଖିଛନ୍ତି ଯେ ତାଙ୍କ ବିରୋଧରେ ଗୁଁ ପୁଁ ହେବା ପାଇଁ ରିପବ୍ଲିକାନ ଦଳର ଲୋକେ ସାହସ କରି ପାରୁ ନାହାନ୍ତି। ସମସ୍ତେ ଜାଣୁଛନ୍ତି ଯେ ଟ୍ରମ୍ପଙ୍କ ପାଇଁ ଆମେରିକାର ଏକ ତୃତୀୟାଂଶ ଲୋକଙ୍କର ସମର୍ଥନ ରହି ଆସିଛି! ସେହି ଲୋକମାନେ ଟ୍ରମ୍ପଙ୍କର ସବୁ ରକମର ଅପବ୍ୟବହାରକୁ ଦେଖି ମଧ୍ୟ ନ ଦେଖିଲା ଭଳି ଆଖି ବୁଜି ଦେଉଛନ୍ତି। ଏତେ ଗୁଡାଏ ଲୋକଙ୍କର ସମର୍ଥନ ତାଙ୍କ ପଛରେ ଥିବା ବେଳେ ଲୋକ ସମର୍ଥନକୁ ବେଖାତିର କରି ତାଙ୍କ ବିରୋଧରେ ଯିବ କିଏ?

ପରିସ୍ଥିତିଟି ଡିମୋକ୍ରାଟମାନଙ୍କ ପାଇଁ ବେଶ୍ ଶିର ପୀଡା ସୃଷ୍ଟି କରିଛି। ସେମାନେ ଦେଖୁଛନ୍ତି ଯେ ୧୬ ଜଣ ସ୍ତ୍ରୀ ଲୋକ ଟ୍ରମ୍ପଙ୍କ ବିରୋଧରେ ଧର୍ଷଣ, ବଳାତ୍କାର ଓ ଦୁର୍ବ୍ୟବହାର ଅଭିଯୋଗରେ ଅଦାଲତରେ ମୋକଦ୍ଦମା ଋଜୁ କରିଛନ୍ତି; ଟ୍ରମ୍ପ ତାଙ୍କ ପଦ ଛାଡିଲେ ମୋକଦ୍ଦମାର ବିଚାର ହେବ। ରାଷ୍ଟ୍ରପତି ହେବା ପର ଠାରୁ ଏ ପର୍ଯ୍ୟନ୍ତ ସେ ୧୦ ହଜାରରୁ ବେଶୀ ମିଛ ତଥ୍ୟ ଦେଶ ଆଗରେ ଉପସ୍ଥାପନ କରିଛନ୍ତି ବୋଲି ସାମ୍ବାଦିକମାନେ ହିସାବ କରି ସାରିଲେଣି; ସରକାରୀ ଅଭ୍ୟର୍ଥନା ଓ ଆତିଥ୍ୟ ସବୁ ନିଜ ହୋଟେଲରେ ଓ କ୍ଲବରେ କରି ସେ ନିଜେ ଲାଭବାନ ହେଉଛନ୍ତି; ବେଶି ସଂଖ୍ୟାରେ କଳା ଲୋକ କେମିତି ଆମେରିକାକୁ ବସବାସ ପାଇଁ ଆଉ ନ ଆସିବେ, ସେଥିପାଇଁ ନୂଆ ନୂଆ କଟକଣା ସୃଷ୍ଟି କରୁଛନ୍ତି। ଗୋରା ଲୋକମାନଙ୍କର ଏଠି ପୂର୍ବରୁ ଯେମିତି ପ୍ରାଧାନ୍ୟ ଥିଲା ତାକୁ ସେମିତି ସାବ୍ୟସ୍ତ କରି ରଖିବାକୁ ଟ୍ରମ୍ପ ଓ ତାଙ୍କର ସମର୍ଥକମାନେ ବଦ୍ଧପରିକର ଜଣା ପଡୁଛନ୍ତି। ଅନ୍ୟାୟ, ଦୁର୍ନୀତି ଓ ତୋଷରପାତ ଗୁଡାକ ଜଳଜଳ ଦିଶୁଥିଲେ ବି ଡିମୋକ୍ରାଟିକ୍ ନେତାମାନେ ଟ୍ରମ୍ପଙ୍କ ବିରୋଧରେ କିଛି କରିବାକୁ ନାରାଜ।

ସେମାନେ ଜାଣନ୍ତି ଯେ ଟ୍ରମ୍ପଙ୍କର ଅପକାର୍ଯ୍ୟ ସବୁକୁ ସହଜରେ ପ୍ରମାଣ କରି ହେବ। ମାତ୍ର ଦଣ୍ଡ ଦେବା ତ ଦୂରର କଥା, ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗକୁ ଗ୍ରହଣ କରିବା ପାଇଁ ରିପବ୍ଲିକାନ ଦଳର ସିନେଟର୍‌ମାନେ ପ୍ରସ୍ତୁତ ନୁହନ୍ତି। ୨୦୧୬ରେ ଜିତି କରି ଆସିଥିବା ରିପବ୍ଲିକାନମାନେ ହେଲେ ଟ୍ରମ୍ପଙ୍କର ଚେଲା। ତା ସାଙ୍ଗକୁ ଜନମତ ଭୟରେ ଅନ୍ୟମାନେ ଟ୍ରମ୍ପଙ୍କ ବିରୋଧରେ ଆଙ୍ଗୁଳି ଉଠାଇବାକୁ ନାରାଜ। ଏ ଅବସ୍ଥାରେ ଡିମୋକ୍ରାଟମାନଙ୍କ ଭିତରୁ ଅନେକେ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ତରବର ହେଉଥିବା ବେଳେ ଅନ୍ୟମାନେ ଏଇଟାକୁ ସମୟ ନଷ୍ଟ କରିବା ଛଡା ଆଉ କିଛି ନୁହେଁ’ ବୋଲି କହୁଛନ୍ତି I ବିଲେଇ କପାଳକୁ ଶିକା ଛିଡିବା ପରି ବିରୋଧୀ ପକ୍ଷର ଅପାରଗତାକୁ ଦେଖି ଟ୍ରମ୍ପ ମନଇଚ୍ଛା ଯାହାକୁ ଯେତେ ଗାଳି ଓ ଧମକ ଦେଉଛନ୍ତି। ଡାହା ମିଛ କହି ଚାଲିଛନ୍ତି। ନିର୍ବାଚନ ବେଳେ ଶତକଡା ପଚାଶରୁ ଅଧିକ ଭୋଟ ପାଇଲେ ସେ କ୍ଷମତାରେ ରହି ପାରିବେ। ୩୩% ତ ହାତରେ ଅଛନ୍ତି। ଏଣୁ ଆଉ ୧୭% ସହଜରେ ହାତକୁ ଆସିଯିବେ ବୋଲି ସେ ମନେ କରୁଛନ୍ତି। ଗାଣିତିକ ଦୃଷ୍ଟିରୁ ଦେଖିଲେ କଥାଟା ଏକଦମ ସତ ଜଣା ପଡୁଛି। ଏହି ପରିସ୍ଥିତିଟି ସାଧାରଣ ମହଲରେ ଖାସ୍ କରି ବୁଦ୍ଧିବାଦୀ ଲୋକଙ୍କ ଭିତରେ ହଟ୍ଟଗୋଳ ସୃଷ୍ଟି କରିଛି।

ଯାହା ଦେଖା ଯାଉଛି ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଲୋକମାନେ ହେଲେ ଛୋଟକାଟିଆ, ଦେହ ମିହନ୍ତ କାମରେ ଲାଗି ରହିଥିବା ଗୋରା ରଙ୍ଗର ଲୋକେ। କୋଇଲା ଖଣି, ତେଲ ଖଣି, ରାସ୍ତା ମରାମତି, ଘର ତିଆରି ଭଳି କାମରେ ସେମାନଙ୍କର ଅଳ୍ପ ପାଠଟି ଚଳି ଯାଏ। ଆମେରିକା ଚନ୍ଦ୍ରକୁ ଲୋକ ପଠାଇଲେ କଅଣ ହେବ, ଏଇ ଲୋକମାନେ ନିଜ ନିଜ ସମସ୍ୟା ନେଇ ବ୍ୟସ୍ତ। ଲୋକ ବାହାରୁ ଆସି ଶସ୍ତାରେ କାମ କରି ତାଙ୍କ ହାତରୁ କାମ ଛଡାଇ ନେଉଛନ୍ତି। କମ୍ପାନିମାନେ କଳ, କାରଖାନା ଆମେରିକାରୁ ଉଠାଇ ନେଇ ଅନ୍ୟ ଦେଶରେ ବସାଇ ଶସ୍ତାରେ ମାଲ ଉତ୍ପାଦନ କରୁଥିବାରୁ ସେମାନଙ୍କର ଖୁବ୍ ରାଗ ଧୋବ ଧଉଳିଆ କମ୍ପାନି ମାଲିକ ଓ ବିଦେଶାଗତ ଶ୍ରମିକଙ୍କ ଉପରେ! ଖୁବ୍ ଚତୁରତାର ସହିତ ଟ୍ରମ୍ପ ସେମାନଙ୍କୁ ବିଶ୍ୱାସ ଦେଇଛନ୍ତି ଯେ ଏଠୁ ଚାଲି ଯାଇଥିବା କଳ କାରଖାନା ସବୁକୁ ସେ ଫେରାଇ ଆଣିବେ। ବୁଡିଗଲା ଲୋକ କୁଟା ଖଣ୍ଡକୁ ଆଶ୍ରା କଲା ପରି ଅଚଳ କୋଇଲା ଖଣି, ଲୁହା ଓ ଇସ୍ପାତ କାରଖାନା ଏବଂ ଲୁଗା କଳରୁ ଛଟେଇ ହୋଇ ଘରେ ବସିଥିବା ଲୋକେ ଟ୍ରମ୍ପଙ୍କ କଥାରେ ଭଳି କରି ଅଛନ୍ତି। ଫିରିବେନା ଫିରିବେନା ଅସ୍ତ ଗେଛେ ଯେ ଗୌରବ ଶଶୀ – ରବୀନ୍ଦ୍ରନାଥଙ୍କର ଏ ଧାଡିଟି ‘ଉର୍ବଶୀ’ ପାଇଁ ଯେତିକି ପ୍ରଯୁଜ୍ୟ, ଆମେରିକାର ଅବହେଳିତ ଗରିବ ଗୋରା ଲୋକଙ୍କ ଲାଗି ସେତିକି ପ୍ରଯୁଜ୍ୟ। ଦିନ ଥିଲା, ଯେତେବେଳେ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକାର ଦେଶମାନେ ନିଜ ନିଜ ଅଞ୍ଚଳରେ କଳ କାରଖାନା ବସାଇ ନଥିଲେ ଓ ସବୁ ଜିନିଷ ବାହାରୁ କିଣୁଥିଲେ। ସେତେବେଳେ ଆମେରିକାନ୍ କମ୍ପାନି ମାନେ ନିଜ ନିଜ ଜିନିଷ ଖୁବ୍ ଜୋରରେ ବିକୁ ଥିଲେ! ମାତ୍ର ଏବେ ଅନ୍ୟ ଦେଶମାନେ ନିଜ ଆବଶ୍ୟକ ଜିନିଷ ନିଜେ ଉତ୍ପାଦନ କଲେଣି। ଖାଲି ସେତିକି ନୁହେଁ ଶସ୍ତାରେ ଅନ୍ୟ ଦେଶକୁ ପଠାଇଲେଣି। ଭାରତରୁ ଅନ୍ୟାନ୍ୟ ଜିନିଷ ଭିତରେ, ଚାଦର, ତଉଲିଆ, ସତରଞ୍ଜି, ନଡିଆ କତାର ପାପୋଛ, ପିତ୍ତଳର ମୂର୍ତ୍ତି ପ୍ରାୟ ସବୁ ଦୋକାନରେ କିଣିବାକୁ ମିଳୁଛି I

ଆନ୍ତର୍ଜାତିକ କ୍ଷେତ୍ରରେ ଏହି ପରିବର୍ତ୍ତିତ ପରିସ୍ଥିତିଟିକୁ ବୁଝିବା ପାଇଁ ଟ୍ରମ୍ପଙ୍କର ସମର୍ଥକମାନେ ପ୍ରସ୍ତୁତ ନୁହନ୍ତି। ବିଦେଶରେ ଲୋକମାନେ ଆମେରିକାର ଜିନିଷ ଅଧିକ ପରିମାଣରେ କିଣିଲେ ଆମେରିକାର ସାଧାରଣ ଲୋକଙ୍କର ଉନ୍ନତି ହେବ ବୋଲି ଟ୍ରମ୍ପ ଖୁବ୍ ଜୋର ଦେଇ କହୁଛନ୍ତି। ମାତ୍ର ଦୁନିଆର କାରବାରଟା ଖାଲି ବ୍ୟବସାୟ କିମ୍ବା କିଣା ବିକା ଉପରେ ନିର୍ଭର କରେ ନାହିଁ। ପାରସ୍ପରିକ ସମ୍ପର୍କ, କୂଟନୈତିକ ସହଯୋଗ, ସଚ୍ଚୋଟପଣିଆ –ଏ ସବୁ ଏକାଠି ନ ମିଶିଲେ ଭିନ୍ନ ଭିନ୍ନ ଦେଶ ସହିତ କାମ କରି ତିଷ୍ଠିବା ସମ୍ଭବ ନୁହେଁ। ମାତ୍ର ଟ୍ରମ୍ପ ଅଢେଇ ବର୍ଷ ହେଲା ଆମେରିକାର ରାଷ୍ଟ୍ରପତି ହେଲେ ବି ତାଙ୍କ ସରକାରର ଗତି ବିଧି କଅଣ ତାକୁ ଠଉରାଇବା ମୁସ୍କିଲ।

ଜାପାନର ଓସାକାଠାରେ ଅର୍ଥନୈତିକ ଶକ୍ତିମାନଙ୍କର (ଜି ୨୦) ବୈଠକ ହେଲା ତ ନରେନ୍ଦ୍ର ମୋଦୀ ଓ ‌େଡାନାଲ୍‌ଡ ଟ୍ରମ୍ପ ଖୁବ୍ ବନ୍ଧୁତାର ସହିତ କଥା ବାର୍ତ୍ତା କରୁଥିବା ଦେଖାଗଲା। ମାତ୍ର ଓସାକା ଛାଡିବା ମାତ୍ରେ ଟ୍ରମ୍ପ ଘୋଷଣା କରିଦେଲେ ଯେ ଭାରତ ଆମକୁ ପଟି ଭିଡୁଛି। ଏଣୁ ସେଠୁ ଆସୁଥିବା ଜିନିଷ ଉପରେ ଅଧିକ ଶୁଳ୍କ ପଡିବ। ଭାରତ ମଧ୍ୟ ଆମେରିକାରୁ ଆସୁଥିବା ଜିନିଷ ଉପରେ ଅଧିକ ଶୁଳ୍କ ଜାରି କଲା। ଏବେ ଉଭୟ ପକ୍ଷରୁ ଲୋକ ଆଲୋଚନା କରି ପରିସ୍ଥିତିର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି।

ଟ୍ରମ୍ପ କେବେ ନିର୍ବାଚନରେ ଲଢିବା ଆଗରୁ ରିପବ୍ଲିକାନ ପାର୍ଟିର ସଭ୍ୟ ନଥିଲେ। ମାତ୍ର ବାରାକ ଓବାମା ଜଣେ କଳା ଲୋକ ହୋଇ ଆମେରିକାର ସର୍ବୋଚ୍ଚ କ୍ଷମତାକୁ ଆସିଥିବାଟା ଏଠାର ବହୁତ ଲୋକଙ୍କ ପାଇଁ ଅସହନୀୟ ହୋଇ ଥିଲା। ସେମାନଙ୍କ ସଂଖ୍ୟା କିଛି କମ୍ ନୁହେଁ। ଟ୍ରମ୍ପ ସେମାନଙ୍କର କ୍ରୋଧର ଲହଡିରେ କ୍ଷମତାକୁ ଭାସି ଆସିଲେ। ବେଳାଭୂମିରେ ପହଞ୍ଚି ଗଲେ ସତ, ମାତ୍ର ସେହି ଲହଡିକୁ ସ୍ଥାୟୀ କରି ରଖିବା ପାଇଁ ତାଙ୍କର ଅନବରତ ଚେଷ୍ଟା ଚାଲିଛି। କିନ୍ତୁ ରିପବ୍ଲିକାନ ଗୋଷ୍ଠୀର ପୁରୁଣା ଓ ଚିନ୍ତାଶୀଳ ଲୋକେ ଟ୍ରମ୍ପଙ୍କର ଉପସ୍ଥିତିକୁ ତାଙ୍କ ପାର୍ଟି ପାଇଁ ଏକ ପ୍ରମାଦ ବୋଲି ଭାବୁଛନ୍ତି। ଦେଶର ଏକ ତୃତୀୟାଂଶ ଲୋକ ତାଙ୍କୁ ସମର୍ଥନ କରୁଥିବାରୁ ଓ ସେ ନିଜକୁ ରିପବ୍ଲିକାନ୍ ବୋଲି କହୁ ଥିବାରୁ ଅନ୍ୟମାନେ ଅସହାୟ ଦେଖଣାହାରୀ ଭାବରେ କିଛି କହି ପାରୁ ନଥାନ୍ତି କି କରି ପାରୁ ନାହାନ୍ତି। ଅଜାଗା ଘାଆ ସେମାନଙ୍କ ପାଇଁ ଦେଖି ହେଉ ନାହିଁ କି ଦେଖେଇ ହେଉ ନାହିଁ I

ଇ ମେଲ୍‌ : [email protected]

ସମ୍ବନ୍ଧିତ ଖବର