ବିଶ୍ୱସନୀୟତା ରହିଲେ ହିଁ ତିଷ୍ଠିବ: ରାମକ୍ରିପାଲ

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ନବଭାରତ ଟାଇମ୍ସର ପୂର୍ବତନ ସଂପାଦକ ରାମ କ୍ରିପାଲ ସିଂହ କହିଲେ ଯେ ଖବରର ବିଶ୍ବସନୀୟତା ରହିଲେ ପାଠକମାନଙ୍କର ସ୍ବୀକୃତି ବଳବତ୍ତର ରହିବ। ଖବର ପରିବେଷଣ ମାଧ୍ୟମରେ ଲୋକମାନଙ୍କର ଭରସା ଜିଣିପାରିଥିବା ଗଣମାଧ୍ୟମ ହିଁ ସମୟର ଆହ୍ୱାନକୁ ମୁକାବିଲା କରି ତିଷ୍ଠି ରହିପାରିବ। ‘ସମ୍ବାଦ’ ଓଡ଼ିଶାର ନମ୍ବର ଵାନ୍ ଖବରକାଗଜର ମାନ୍ୟତା ପାଇଛି। ଏହା ବହୁତ ଗର୍ବର କଥା। ହେଲେ ସବୁବେଳେ ନମ୍ବର ଵାନ୍ ରହିବାରେ ମଧ୍ୟ ବିପଦ ରହିଥାଏ। ତାକୁ ସମସ୍ତେ ଅନୁକରଣ କରିଥାନ୍ତି। ଏଣୁ ପାରମ୍ପରିକ ଧାରାକୁ ବଦଳାଇ କିଛି ଭିନ୍ନ କରିବା ପାଇଁ ଉଦ୍ୟମ କଲେ ସଂପୃକ୍ତ ଗଣମାଧ୍ୟମ ବେଶି ଗ୍ରହଣୀୟ ହେବ। ସେ କହିଥିଲେ, ପାଠକ ହିଁ ସମ୍ବାଦପତ୍ରର ଭଗବାନ। ପାଠକଙ୍କ ଭରସା ରକ୍ଷା କରିବା ହିଁ ସମ୍ବାଦପତ୍ରର ମୁଖ୍ୟ କର୍ତ୍ତବ୍ୟ। ପାଠକଙ୍କ ଚାହିଦାକୁ ଚିହ୍ନିବା ଲାଗି ସମ୍ବାଦପତ୍ରମାନେ ଉଦ୍ୟମ କରିବା ଆବଶ୍ୟକ। ହେଲେ ଭାଷା କିନ୍ତୁ ସାମ୍ବାଦିକତାରେ ଉତ୍କର୍ଷତା ଆଣେ। ଏଣୁ ବୈଦ୍ୟୁତିକ ଗଣମାଧ୍ୟମ ଯେତେ ଜନାଦୃତ ହେଲେ ବି ମୁଦ୍ରିତ ଗଣମାଧ୍ୟମର ପ୍ରାସଙ୍ଗିକତାକୁ କେବେ ଗୌଣ କରିପାରିବ ନାହିଁ।

ଶ୍ରୀ ସିଂହ କହିଥିଲେ, ସମୟର ପରିବର୍ତ୍ତନ ସହ ସମ୍ବାଦ ପରିବେଷଣରେ ବି ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ବୃଦ୍ଧି ପାଇଛି। ଦିନ ଥିଲା କେବଳ ସାକ୍ଷର ଲୋକଟି ସମ୍ବାଦ ପତ୍ର ପଢ଼ି ଦୁନିଆ ବିଷୟରେ ଜାଣିପାରୁଥିଲା। ଏବେ ସେ ସମୟ ନାହିଁ। ଡିଜିଟାଲ ଗଣମାଧ୍ୟମର ଜନ୍ମ ଓ ଟେଲିଭିଜନ ଯୁଗରେ ଅପାଠୁଆ ଲୋକଟି ମଧ୍ୟ ଦୁନିଆର ହାଲଚାଲ ବିଷୟରେ ଜାଣିପାରୁଛି ଓ ନିଜକୁ ସଚେତନ କରିପାରୁଛି। ଖାସ୍ ଏହି କାରଣ ଲାଗି ଆଞ୍ଚଳିକ ଭାଷାରେ ସମ୍ବାଦ ପତ୍ରଗୁଡ଼ିକ ସ୍ଥାନୀୟ ଲୋକଙ୍କ ବିଶ୍ବାସକୁ ବଜାୟ ରଖିବାରେ ବେଶୀ ସଫଳତା ପାଉଛନ୍ତି।

ଶ୍ରୀ ସିଂହ କହିଥିଲେ, ପାଠକଙ୍କ ରୁଚି ଅନୁସାରେ ଖବର ପରିବେଷଣ କରିପାରିଲେ ସମ୍ବାଦ ସଂସ୍ଥା ଅଧିକ କାଳ ତିଷ୍ଠି ରହିପାରିବ। ତେବେ ମୁଦ୍ରିତ ଗଣମାଧ୍ୟମର ସାମ୍ବାଦିକତା ଚାଲେଞ୍ଜ ସୃଷ୍ଟି ହେବ ବୋଲି ଯାହା ଅନୁମାନ କରାଯାଉଛି ତାହା ଠିକ୍ ନୁହେଁ। ଡିଜିଟାଲ ମିଡିଆର ବହୁଳ ପ୍ରସାର ଦ୍ବାରା ସାମ୍ବାଦିକତା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଏଣୁ େଯଉଁ ଗଣମାଧ୍ୟମ ସଂସ୍ଥା ପାଖରେ ମୁଦ୍ରିତ ଗଣମାଧ୍ୟମ ବ୍ୟତୀତ, ଡିଜିଟାଲ ଓ ବୈଦ୍ୟୁତିକ ଗଣମାଧ୍ୟମ ରହିଛି, ସେ ସଂସ୍ଥା ଆଜିର ଯୁଗରେ ତିଷ୍ଠି ରହିବାରେ କିଛି ବି ଅସୁବିଧା ନାହିଁ। ଏହି ଅବସରରେ ଶ୍ରୀ ସିଂହ ‘ସମ୍ବାଦ’ ଗ୍ରୁପର କଳେବରକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର