୨୦ ଦିନ ପଥର ଫିଙ୍ଗିଲେ କୋଟିଏ, ସ୍କୁଲରେ ନିଆଁ ଲଗାଇଲେ ୨ କୋଟି ! ଷ୍ଟିଙ୍ଗ ଅପରେସନରୁ ଜଣାପଡିଲା କଶ୍ମୀର ସମ୍ପର୍କରେ ଏହି ସାଙ୍ଘାତିକ ସତ
ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ଉଠିବାର ଇତି ମଧ୍ୟରେ ୪ ମାସ ବିତିଗଲାଣି । କଶ୍ମୀର ଲୋକଙ୍କ ଉପରେ ସରକାର ଲଗାଇଥିବା କେତେକ କଟକଣା ଏବେବି ବଳବତ୍ତର ରହିଛି । ଏହାକୁ ନେଇ ଆମ ଦେଶର ବିରୋଧୀ ଦଳ ଓ ବିଦେଶୀ ଗଣମାଧ୍ୟମରେ ଭାରତ ସରକାରଙ୍କୁ ସମାଲୋଚନା କରାଯାଉଛି । ଅନ୍ୟପକ୍ଷରେ କଶ୍ମୀରରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛି । କଶ୍ମୀରର ଯୁବକମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ଏସବୁ ହିଂସାକାଣ୍ଡ ସୃଷ୍ଟି କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଏକ ଷ୍ଟିଙ୍ଗ ଅପରେସନରୁ ଜଣାପଡିଛି ଯେ ସ୍ଥାନୀୟ ଯୁବକମାନେ ଅର୍ଥବିନିମୟରେ ସୁରକ୍ଷାବାହିନୀକୁ ପଥର ଫିଙ୍ଗିବା, ସ୍କୁଲରେ ନିଆଁ ଲଗାଇବା ଆଦି କାର୍ଯ୍ୟପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । କଶ୍ମୀର ଗନ୍ଦରବଲର ଫୟାଜ ଅହମଦ ଭଟ ନାମକ ଜଣେ ସ୍ଥାନୀୟ କ୍ରିକେଟ ଖେଳାଳି କହିଛି ଯେ ୧ କୋଟି ଟଙ୍କା ଦେଲେ ସେ ଓ ତାହାର ଟିମ ୨୦ ଦିନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଉପରେ ପଥର ମାଡ କରିବେ ଅଥବା ରାସ୍ତା ବନ୍ଦ କରି ହିଂସାକାଣ୍ଡ କରିବେ । ସେହିପରି ଉପଯୁକ୍ତ ପରିମାଣର ଟଙ୍କା ଦେଲେ ଶୁକ୍ରବାରଦିନ ନମାଜ ପାଠ କରିବା ପରେ ଲୋକମାନଙ୍କୁ ଉତ୍ତେଜିତ କରାଯିବ ଓ ହିଂସାକାଣ୍ଡକରାଯିବ । ଉମର ମିରାଜ ନାମକ ଜଣେ ବ୍ୟକ୍ତି କହିଛି ଯେ ଟଙ୍କା ମିଳିଲେ ସେ ୬-୭ଟି ସ୍କୁଲକୁ ନିଆଁ ଲଗାଇଦେବ । ନିଆଁ ଲଗାଇବା ସହ ୧୦-୨୦ ଦିନ ପାଇଁ ହିଂସାକାଣ୍ଡ ସୃଷ୍ଟି କରାଯିବ । ଏଥିପାଇଁ ସେ ୧ରୁ ୨ କୋଟି ଟଙ୍କା ଦାବି କରିଛି । ଅସଦ ସିଦ୍ଦିକି ନାମକ ଶ୍ରୀନଗରର ଜଣେ ବ୍ୟକ୍ତି ଏକ ଏନଜିଓ ଚଳାଏ । କିନ୍ତୁ ସେ ସ୍ୱୀକାର କରିଛି ଯେ ଅର୍ଥନେଇ ସେ କଶ୍ମୀରର ବେକାର ଯୁବକଙ୍କ ହିଂସାକାଣ୍ଡରେ ନିୟୋଜିତ କରେ ।