ଗୁରୁଗ୍ରାମ: ଗୁରୁଗ୍ରାମର ରେୟାନ୍ ଇଣ୍ଟର୍ନେସନାଲ୍ ସ୍କୁଲ୍ରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ଗିରଫ ହୋଇଥିବା ଏକାଦଶ ଶ୍ରେଣୀର ବାଳକଙ୍କ ଜାମିନ୍ ଆବେଦନକୁ ଗୁରୁଗ୍ରାମ କୋର୍ଟ ଖାରଜ କରି ଦେଇଛନ୍ତି। ପୂର୍ବରୁ ଏ ସଂପର୍କରେ ଅଦଲତରେ ଦାବି ହୋଇଥିଲା ଯେ ଅଭିଯୁକ୍ତ ଛାତ୍ରଙ୍କ ମାମଲା କିଶୋର ନୁହେଁ ବରଂ ପ୍ରାପ୍ତ ବୟସ୍କ ଭାବେ ବିଚାର କରାଯାଉ। ଏ ସଂପର୍କରେ ଛାତ୍ର ଜଣଙ୍କର ପରିବାର ଲୋକ କହିଥିଲେ ଯେ ତାଙ୍କ ପୁଅ ପଛରେ ଏକ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଫସାଇ ଦିଆଯାଇଛି। ସେଣ୍ଟ୍ରାଲ୍ ବ୍ୟୁରେ ଅଫ୍ ଇନ୍ଭେଷ୍ଟିଗେସନ୍(ସବିଆଇ) ପକ୍ଷରୁ ପ୍ରକାଶ ପାଇଛି ଯେ ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି। ସନ୍ଦେହ ରହିଥିବା ଲୋକମାନଙ୍କୁ ପଚରାଉଚରା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା କୁନି ବାଳକ ପ୍ରଦ୍ୟୁମ୍ନର ମୃତଦେହ ଗୁରୁଗ୍ରାମରେ ଥିବା ରେୟାନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ମିଳିଥିଲା। ସ୍କୁଲ୍ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍ ଇଣ୍ଟରନେସନାଲ୍ ସ୍କୁଲ୍ର ବସ୍ କଣ୍ଡକ୍ଟରଙ୍କୁ ପୁଲିସ୍ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ।
ଏହି ମାମଲାର ତଦନ୍ତ କରି ସିବିଆଇ ଉକ୍ତ ସ୍କୁଲ୍ରେ +୨ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଗିରଫ କରିଥିଲା। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ଖୁବ୍ ଶୀଘ୍ର ଏହି ମାମଲା ନେଇ ଗୁଡ଼ାଏ ତଥ୍ୟ ସାମ୍ନାକୁ ଆଣିବ ବୋଲି ପ୍ରକାଶ କରିଥିଲା। ଗିରଫ ହୋଇଥିବା ଏହି ଅଭିଯୁକ୍ତଙ୍କର ପରିବାର ଲୋକଙ୍କୁ ପଚାରିବାରୁ ଜାଣିବାକୁ ମିଳିଥିଲା ଯେ ତାଙ୍କ ବୟସ ୧୬ ବର୍ଷରୁ ଊର୍ଧ୍ୱ। ଏ ସଂପର୍କରେ ବିଶେଷଜ୍ଞ ମତ ଦେଇଥିଲେ କି ଅଭିଯୁକ୍ତଙ୍କୁ ଜଣେ ପ୍ରାପ୍ତ ବୟସ୍କ କିମ୍ବା ନାବାଳକ ଭାବେ ବିଚାର କରାଯିବ ଏହା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ନିଷ୍ପତ୍ତି ନେବେ।
ଏଠାରେ ଜଣାଇ ଦେଉଛୁ କି, ୨୦୧୨ ମସିହାରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସାମିଲ୍ ଥିବାରୁ ସୁପ୍ରିମ୍କୋର୍ଟ ଆଇନରେ ସଂଶୋଧନ କରିଛନ୍ତି। ୧୬ରୁ ୧୮ ବୟସ ମଧ୍ୟରେ ଥିବା ଅଭିଯୁକ୍ତକୁ ଜଘନ୍ୟ ଅପରାଧ ମାମଲାରେ ପ୍ରାପ୍ତବୟସ୍କ ବୋଲି ଗ୍ରହଣ କରାଯିବ।