ଖାଇବା ସହ ବୋକାଙ୍କ ଭଳି ପ୍ରଶ୍ନ କଲେ ଏହି ରେସ୍ତୋରାଁରେ ଦେବାକୁ ପଡ଼ିଥାଏ ଟଙ୍କା, ଭାଇରାଲ ହେଲା ଖାଦ୍ୟର ବିଲ୍ ଓ ମେନୁ
ନୂଆଦିଲ୍ଲୀ: କୋଲୋରାଡୋର ଡେନଭର ସହରରେ ଥିବା ଏକ ରେସ୍ତୋରାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଖାଦ୍ୟ ସହ ଯଦି କୌଣସି ଲୋକ ବୋକାଙ୍କ ଭଳି ପ୍ରଶ୍ନ କରୁଛି, ତେବେ ତାକୁ ସେଥିପାଇଁ ଟଙ୍କା ଦେବାକୁ ପଡ଼ୁଥିବା ଜଣା ପଡ଼ିଛି। ଡେନଭରରେ ଥିବା ଟମସ୍ ଡିନର ରେସ୍ତୋରାଁ ଦୀର୍ଘ ୨୦ବର୍ଷ ହେଲାଣି ଏଭଳି କରି ଆସୁଛି। ଏହି ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଖାଦ୍ୟର ବିଲ୍ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେୟାର କରାଯାଇଥିବା ଖାଦ୍ୟ ବିଲରେ ଦେଖାଯାଇଛି କି, ଦୁଇଟି ଖାଇବା ଜିନିଷ ସହ ବୋକାଙ୍କ ଭଳି ପ୍ରଶ୍ନ କରିବା ପାଇଁ ଯୁବକଙ୍କୁ ୨୭ଟଙ୍କା ଦେବାକୁ ପଡ଼ିଛି। ତେବେ କେବଳ ଖାଦ୍ୟ ବିଲ୍ ନୁହେଁ ରେସ୍ତୋରାଁର ମେନୁ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ରେସ୍ତୋରାଁରେ ମିଳୁଥିବା ଖାଦ୍ୟର ନାଁ ସହ ଲୋକମାନଙ୍କ ମନୋରଞ୍ଜନର କିଛି ମଜାଦାର ବିକଳ୍ପ ଦିଆଯାଇଛି। ଆସୁଥିବା ଲୋକମାନଙ୍କ ମନୋରଞ୍ଜନ ପାଇଁ ରେସ୍ତୋରାଁର ମାଲିକ ଏଭଳି କରୁଥିବା ସାମ୍ନାକୁ ଆସିଛି।
ରେସ୍ତୋରାଁର ମହାପ୍ରବନ୍ଧକ ହଣ୍ଟର ଲଣ୍ଡ୍ରୀଙ୍କ କହିବା ମୁତାବକ, ଆଜିକାଲି ଲୋକେ ନିଜର ବ୍ୟକ୍ତିଗତ ଓ ପେସାଦାର ଜୀବନକୁ ନେଇ ଅଧିକ ଚାପରେ ରହୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଟିକେ ହାଲୁକା କରିବା ସହ ସେମାନଙ୍କର ମନୋରଞ୍ଜନ କରିବା ପାଇଁ ଆମେ ମେନୁରେ ଖାଦ୍ୟର ନାଁ ସହ ଅନ୍ୟ ମଜାଦାର ବିକଳ୍ପ ରଖିଛୁ। ମୋ ଦାଦା ୨୦ବର୍ଷ ତଳେ ରେସ୍ତୋରାଁର ମେନୁକୁ ମଜାଦାର କରିବାର ଆଇଡିଆ ଆଣିଥିଲେ। ଏହା ପରଠାରୁ ଆମେ ଏହାକୁ ଦିନୁ ଦିନ ଆହୁରି ମଜାଦାର କରିବା ପାଇଁ ଚେଷ୍ଟା କରିବା ଆରମ୍ଭ କରିଥିଲୁ। ଆମ ରେସ୍ତୋରାଁରେ ଲୋକେ ଖାଇବାକୁ ଆସି ବୋକାଙ୍କ ଭଳି ପ୍ରଶ୍ନ କଲେ ସେମାନଙ୍କଠାରୁ ସତରେ ଆମେ ୨୭ଟଙ୍କା ରଖୁନାହୁଁ। ହେଲେ ଯେଉଁ ଗ୍ରାହକ ଏହାକୁ ଦେଖି ହସିବା ସହ ଏ ବିଷୟରେ ବେଶି ଜାଣିବାକୁ ଚାହିଥାନ୍ତି, ସେମାନଙ୍କ ଖାଦ୍ୟ ବିଲରେ ବୋକାଙ୍କ ଭଳି ପ୍ରଶ୍ନ କରିବା ପାଇଁ ରଖାଯାଇଥିବା ୨୭ଟଙ୍କା ଯୋଡ଼ିବାରେ ଖୁବ୍ ମଜା ଲାଗିଥାଏ।