ହରିଶ୍ଚନ୍ଦ୍ର ସହାୟତା ଏମିତି : ମୁଠି ଚାଉଳରେ ଶବ ସତ୍କାର, ୨୪ ଘଣ୍ଟା ପଡ଼ିରହିଲା ମୃତଦେହ
କେନ୍ଦୁଝର : ଜୀବନ ଥିବା ବେଳେ ମିଳି ନ ଥିଲା ସରକାରୀ ସହାୟତା। ମୃତ୍ୟୁ ପରେ ବି ମିଳିଲା ନାହିଁ। ଶେଷରେ ଶବ ସତ୍କାର ପାଇଁ ଗାଁରୁ ଆଦାୟ ହେଲା ଚାଉଳ ଓ ଟଙ୍କା। ସେଥିରେ ହେଲା ଶବ ସତ୍କାର। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଉପରକଇଁସାରୀ ଗ୍ରାମରେ ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ବି ମିଳି ପାରିଲା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁର ରାମ ମୁଣ୍ଡା (୪୩)ଙ୍କର ଗତକାଲି ଅଜଣା ରୋଗରେ ମୃତ୍ୟୁ ଘଟିଥିଲା। କେନ୍ଦୁଝରରେ ମୃତ୍ୟୁ ହେବା ପରେ ଦିନ ପ୍ରାୟ ଗୋଟାଏ ବେଳେ ଗାଁରେ ମୃତଦେହ ପହଞ୍ଚିଥିଲା। ଶବ ସତ୍କାର ପାଇଁ ଘରେ ପଇସାଟିଏ ନ ଥିଲା। ଏମିତି ପରିସ୍ଥିତିରେ କିପରି ସତ୍କାର କରିବେ ତାକୁ ନେଇ ବିଧବା ପତ୍ନୀ ଓ ପରିବାରକୁ ବୁଦ୍ଧି ଦିଶି ନଥିଲା। ଦିନ ଗଡ଼ି ସନ୍ଧ୍ୟା ହେଲା। ରାତିସାରା ପଡ଼ିରହିଲା ଶବ। ଶେଷରେ ଆଜି ସକାଳେ ଗାଁ ସାହିଭାଇ ଓ ପଡ଼ୋଶୀ ଶବ ସତ୍କାର କରିବାକୁ ଅଣ୍ଟା ଭିଡ଼ିଥିଲେ। ଗାଁର ପ୍ରତ୍ୟେକ ପରିବାର ହାତରେ ଗିନାଏ ଲେଖାଏଁ ଚାଉଳ ଆଉ ୧୦ ଟଙ୍କା ଧରି ଗାଁ ମଧ୍ୟଭାଗକୁ ଆସିଥିଲେ। ସେଠାରେ ଏକ ଜରିପାଲରେ ନିଜନିଜ ଘରୁ ଆଣିଥିବା ଚାଉଳକୁ ଜଣକ ପରେ ଜଣେ ଢାଳିଥିଲେ ଏବଂ ଟଙ୍କା ଦେଇଥିଲେ। ତାକୁ ଜଣେ ଗଣୁଥିଲେ। ଯେତେଜଣ ଚାଉଳ ଆଉ ଟଙ୍କା ଦେଉଥିଲେ, ସେ ଚାଉଳ ମୁଠାଏଲେଖାଏଁ ଏକ ସ୍ଥାନରେ ଗଣତି ପାଇଁ ରଖୁଥିଲେ। ଏହାକୁ ସେମାନଙ୍କ ଭାଷାରେ ‘କୋଡ଼ି’ ବୋଲି କୁହାଯାଏ। କାଳେ କିଏ ବାକି ରହିଗଲେ ଜାଣିବା ପାଇଁ ଏମିତି କରାଯାଉଥିଲା। ଏହାପରେ ଆଦାୟ ହୋଇଥିବା ଚାଉଳ ଓ ଟଙ୍କା ଖର୍ଚ୍ଚ କରି ମୃତ୍ୟୁର ପ୍ରାୟ ଚବିଶ ଘଣ୍ଟା ପରେ ଶବ ସତ୍କାର କରାଯାଇଥିଲା।