ରାଜ୍ୟସଭାରେ ବିଜେଡି ଉଠାଇଲା ମହାନଦୀ ଜଳବିବାଦ, ପୋଲାଭରମ୍ ପ୍ରସଙ୍ଗ

ନୂଆଦିଲ୍ଲୀ : ରାଜ୍ୟସଭାର ଶୂନ୍ୟକାଳରେ ଆଜି ବିଜେଡି ମହାନଦୀ ଜଳବିବାଦ ଓ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ ଉଠାଇଛି।

ସାଂସଦ ସସ୍ମିତ ପାତ୍ର ଏହି ଦୁଇଟି ପ୍ରସଙ୍ଗ ଉତ୍‌ଥାପନ କରି କହିଥିଲେ ଯେ, ଛତିଶଗଡ଼ ବେଆଇନ ଭାବେ ଉପରମୁଣ୍ଡରେ ଅନେକ ପ୍ରକଳ୍ପ ଓ ବ୍ୟାରେଜ ନିର୍ମାଣ କରୁଛି। ଯାହାଦ୍ବାରା, ଓଡ଼ିଶାର ୧୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହେଉଥିବାବେଳେ ୨ କୋଟି ଲୋକ ପ୍ରଭାବିତ ହେଉଛନ୍ତି। କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନଦେବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଯୁକ୍ତିଯୁକ୍ତ ତଥା ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଥିଲେ ଏବଂ ମାର୍ଚ୍ଚ ୨୦୧୮ରେ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ମସିହା ମାର୍ଚ ମାସରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ମାତ୍ର, ଏନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନି। ମହାନଦୀର ଯେଉଁ ସମସ୍ୟା ରହିଛି, ସେଥିରେ ଲକ୍ଷ ଲକ୍ଷ ଚାଷୀ ହଟହଟା ହେଉଥିବା ସାଂସଦ ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ସେହିଭଳି, ପୋଲାଭରମ ପ୍ରସଙ୍ଗରେ ସାଂସଦ ଶ୍ରୀ ପାତ୍ର କହିଥିଲେ ଯେ, ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ଆଵାର୍ଡ ଅନ୍ତର୍ଗତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବ। ଓଡ଼ିଶାର ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ। ବର୍ତ୍ତମାନ ସୁଦ୍ଧା ଜନଶୁଣାଣି ହୋଇପାରି ନାହିଁ ତଥା ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। କେନ୍ଦ୍ର ସରକାର ଯତ୍ନଶୀଳ ହୋଇ ଓଡ଼ିଶାର ଆପତ୍ତିକୁ ଦୃଷ୍ଟି ଦିଅନ୍ତୁ ବୋଲି ସେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର