ଦୁଇଟି ବାଟ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ପୁଅ ଚାକିରିଟିଏ ପାଇଲା। ଚାକିରିକୁ ଯିବା ପୂର୍ବରୁ ସେ ବାପାଙ୍କ ଠାରୁ ଉପଦେଶ ନେବାକୁ ଗଲା। ମୁଲ୍ଲା ତାକୁ ଧରାଇ ଦେଲେ ଦୁଇଟି ଖାମ୍‌। ପୁଅ ପଚାରିଲା – ବାପା, ଏ ଦୁଇଟା ଖାମ୍‌ କ’ଣ ଲାଗି?

ମୁଲ୍ଲା କହିଲେ- ତୁ ଚାକିରିରେ କିଛି ଭୁଲ କଲେ ଯେଉଁ ସମସ୍ୟା ଉପୁଜିବ ସେଥିରୁ ରକ୍ଷା ପାଇବାକୁ ହେଲେ ପ୍ରଥମ ଖାମ୍‌ଟି ଖୋଲିବୁ। ଦ୍ବିତୀୟ ସମସ୍ୟା ଲାଗି ଦୁଇ ନମ୍ବର ଖାମ୍‌ ଖୋଲିବୁ।

ପୁଅ ପଚାରିଲା- ତା ପରେ ପୁଣି ଯଦି ଭୁଲ ହୋଇ ଚାଲେ। ମୁଲ୍ଲା କହିଲେ- ଆଉ ତୃତୀୟ ଭୁଲ ହେବାର ସୁଯୋଗ ହିଁ ରହିବ ନାହିଁ। କିନ୍ତୁ ଯାହା ଲେଖିଛି ତାକୁ ଅକ୍ଷରେ ଅକ୍ଷରେ ମାନିବୁ।

ପୁଅ ଚାକିରି କରିବାକୁ ଗଲା। କିଛି ଦିନ ପରେ ନିଜ ଭୁଲରୁ ବିବାଦଟିଏ ଉପୁଜିଲା। ଚାକିରି ଯିବା ଭଳି ସ୍ଥିତି ଆସିଗଲା। ସେ ସଙ୍ଗେ ସଙ୍ଗେ ପ୍ରଥମ ଖାମ୍‌ଟି ଖୋଲି ଉପଦେଶଟିକୁ ପଢ଼ିଲା। ଲେଖା ଥିଲା- ‘ପୁଅ ଦୋଷଟିକୁ ଅନ୍ୟ କାହା ଉପରକୁ ଠେଲି ଦେ। ଦପ୍ତରର ପୂର୍ବତନ କର୍ମଚାରୀ ହେଲେ ଭଲ।’

ମୁଲ୍ଲାଙ୍କ ପୁଅ ତାହା କଲା ଏବ˚ କୌଣସି ମତେ ବିପଦ ଟଳିଲା। କିଛି ଦିନ ପରେ ସେ ପୁଣି ଭୁଲଟିଏ କଲା। ଏଥର ଦୁଇ ନମ୍ବର ଖାମ ଖୋଲିଲା। ସେଥିରେ ଯେଉଁ ଉପଦେଶ ଥିଲା, ତାହା ଏହି ପରି- ‘ଆରେ ଗଧ, ଏବେ ଚାକିରିରୁ ତୁରନ୍ତ ବିଦା ହୋଇ ଘରକୁ ଆସ।’

ମୁଲ୍ଲାଙ୍କ ପୁଅ ଅଗତ୍ୟା ଇସ୍ତଫା ଦେଇ ଘରକୁ ଫେରି ବାପାଙ୍କୁ ପଚାରିଲା- ୟେ କି କଥା? ଇସ୍ତଫା ଦେବାକୁ କହିଲ କାହିଁକି?

ମୁଲ୍ଲା କହିଲେ- ପ୍ରଥମ ଭୁଲରୁ ରକ୍ଷା ପାଇବା ଲାଗି ଚାଲବାଜ ବାଟଟିଏ କହିଥିଲି। ଭାବିଥିଲି ପ୍ରଥମ ଭୁଲରୁ ଶିଖି ଦ୍ବିତୀୟ ଭୁଲ ହେବାକୁ ଦେବୁନାହିଁ। କିନ୍ତୁ ତୁ ଦ୍ବିତୀୟ ଭୁଲ କଲୁ। ତେଣୁ ତୋ ଲାଗି କାମ ଛାଡ଼ିବା ଛଡ଼ା ଦ୍ବିତୀୟ ବାଟ ନାହିଁ।

ସମ୍ବନ୍ଧିତ ଖବର