ଗୁଣପୁର : ମଦ ବିକ୍ରିକୁ ବିରୋଧ କରିବାରୁ ହଣାକଟା, ଜଣେ ମୃତ, ଜଣେ ଗୁରୁତର

ଗୁଣପୁର : ମଦ ବିକ୍ରିକୁ କେନ୍ଦ୍ର କରି ବର୍ବରକାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଦେଲେ। ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁଡ଼ାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସର୍ଗିଗୁଡ଼ା ଗାଁର ମଧୁ ଶବର ଦୀର୍ଘ ଦିନ ହେଲା ଗାଁରେ ମଦ ବିକ୍ରି କରି ଆସୁଥିଲା। ଯାହାକୁ ସେହି ଗାଁର ଭରତ ଶବର ବିରୋଧ କରି ଆସୁଥିଲେ। ବାରମ୍ବାର ବାରଣ ସତ୍ତ୍ବେ ମଧୁ ମଦ ବିକ୍ରି ବନ୍ଦ କରି ନଥିବାରୁ ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଆଜି ଉଭୟଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଥିଲା। ଦୁହେଁ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ଏପରିକି ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଗାଁ ମଝିରେ ଏମିତି ଖଣ୍ଡଯୁଦ୍ଧ ଚାଲିଥିବା ବେଳେ ଖବର ପାଇ ମଧୁ ଶବରର ଭାଇ କାହ୍ନୁ ଶବର ପହଞ୍ଚିଥିଲା। ଭାଇ ଉପରେ ଆକ୍ରମଣ ହେଉଥିବା ଦେଖି ନିଜକୁ ଆୟତ୍ତ କରିପାରି ନଥିଲା। ଘରୁ ଗୋଟିଏ ଧାରୁଆ ଅସ୍ତ୍ର ଆଣି ଆତର୍କିତ ଭାବେ ଭରତ ଉପରେ ଆକ୍ରମଣ କରିଥିଲା। ମୁଣ୍ଡରେ ଚୋଟ ବାଜିବାରୁ ଘଟଣାସ୍ଥଳରେ ହିଁ ଭରତ ଟଳି ପଡ଼ିଥିଲା। ଅନ୍ୟପଟେ ଭରତର ଆକ୍ରମଣରେ ମଧୁ ଶବର ମଧ୍ୟ ଗୁରୁତର ଆହତ ହୋଇଥିଲା।

ଖବର ପାଇ ଗୁଡ଼ାରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ମଧୁ ଶବରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ସେହିପରି ଭରତ ଶବରର ମୃତଦେହ ଜବତ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ପୁଲିସ ପ୍ରାଥମିକ ତଦନ୍ତ କରି ଗାଁରୁ ଫେରିଥିବା ବେଳେ ମୃତକଙ୍କ ଝିଅ ଶାନ୍ତି ଶବର ଦେଇଥିବା ଏତଲାକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ କାହ୍ନୁ ଶବର ଘଟଣା ପରେ ଫେରାର ହୋଇଯାଇଥିବାରୁ ପୁଲିସ ସନ୍ଧାନ ଆରମ୍ଭ କରିଛି। ଘଟଣାର ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର