ବଜେଟରୁ ଅଧିକ ଅର୍ଥ ମାଗିବ ନାହିଁ, ନିଜ ସୂତ୍ରରୁ ପାଣ୍ଠି ଯୋଗାଡ଼ କରୁଛି ରେଳବାଇ

ଭୁବନେଶ୍ୱର : ଏଥର ବଜେଟରୁ ଅଧିକ ଅର୍ଥ ମାଗିବନି ରେଳବାଇ, ନିଜ ପାଇଁ ନିଜେ ଅର୍ଥ ଯୋଗାଡ଼ କରିବ । ସରକାରଙ୍କ ଏହି ଯୋଜନା ଅନୁସାରେ ରେଳବାଇ କାମ ଆରମ୍ଭ କରିଦେଇଛି । ଉଭୟ ଘରୋଇ ଓ ବିଦେଶୀ ବଜାରରୁ ପାଣ୍ଠି ସଂଗ୍ରହ ପାଇଁ ଉଦ୍ୟମ କରୁଛି ରେଳବାଇ । ରେଲବାଇ ପାଇଁ ଏହି କାମ କରୁଛି ରେଳେଓ୍ଵ ଫାଇନାନ୍ସ କର୍ପୋରେସନ (ଆଇଆରଏପସି) । ଏଥିଲାଗି ଏହି କର୍ପୋରେସନ ଗତ ମାସରେ ଏକ କ୍ୟାପିଟାଲ ଗେନ ବଣ୍ଡ୍‌ ଇସ୍ୟୁ କରିଛି । ଏହା ମାଧ୍ୟମରେ ପୁଞ୍ଜି ବଜାରରୁ ପ୍ରାୟ ୧୦୦୦ କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ଆଇଆରଏଫସି ବୋଲି କହିଛନ୍ତି ଏହାର ଏମଡି ଏସ.କେ. ପଟ୍ଟନାୟକ । ଗତ ନଭେମ୍ବର ୧୦ ତାରିଖରୁ ଏହି ବଣ୍ଡ ଇସ୍ୟୁ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ବନ୍ଦ ହେବ ।

ଅନ୍ତର୍ଜାତୀୟ ବଜାରରୁ ମଧ୍ୟ ବଣ୍ଡ୍‌ ଇସ୍ୟୁ କରି ଏ ବର୍ଷ ପ୍ରାୟ ୨୫ ହଜାର କୋଟିର ପାଣ୍ଠି ଉଠାଉଛି । ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଆଇପିଓ ଇସ୍ୟୁ କରି ଷ୍ଟକ ବଜାରେର ଲିଷ୍ଟିଂ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଏହି ପିଏସୟୁ । ଏହା ମାଧ୍ୟମରେ ପ୍ରାୟ ୧୦୦୦ କୋଟି ଟଙ୍କା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ବଜେଟ୍‌ ଅନୁଦାନ ବାଦ ରେଳବାଇର ମୋଟ  ପାଣ୍ଠି ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ଆଇଆରଏଫସି ପୂରଣ କରିଥାଏ । ସାଧାରଣତଃ ପ୍ରତିବର୍ଷ ଏହି ପିଏସୟୁ ପ୍ରାୟ ୩୦ ହଜାର କୋଟିର ପାଣ୍ଠି ସଂଗ୍ରହ କରିଥାଏ, କିନ୍ତୁ ଏବର୍ଷ ପ୍ରାୟ ୪୦ ହଜାର କୋଟି ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି  ଆଇଆରଏଫସି । ଆଗାମୀ ଦିନରେ ନିଜ ପାଣ୍ଠିର ଏକ ପ୍ରମୁଖ ଅଂଶ ରେଳବାଇ ବିଦ୍ୟୁତକରଣରେ ବିନିଯୋଗ ପାଇଁ ରେଳବାଇ ଯୋଜନା କରୁଛି ।

 

ସମ୍ବନ୍ଧିତ ଖବର