ଅନାଥ ଭାଇଭଉଣୀଙ୍କୁ ସାହା ହେଲା କୋୟା ସମାଜ

ଏବେ ବି ମାନବିକତା ବଞ୍ଚିଛି। ମନୁଷ୍ୟ ଯେତେ ନିଷ୍ଠୁର ଓ କଠୋର ହେଲେ ସୁଦ୍ଧା ହୃଦୟରେ ତାର କୋମଳତା ଭରି ରହିଥାଏ। ଆଉ ଆବଶ୍ୟକ ବେଳେ ମଣିଷପଣିଆ ଆପେ ବାହାରି ଆସେ। ଏହି କରୋନା ସଂକଟ‌ ବେଳେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ। ମୋଟୁ ଥାନା ପଡ଼ିଆମିଗୁଡ଼ା ଗାଁରେ ପଡ଼ିଆମି କାନା ଓ ପଡ଼ିଆମି ସାମେ ନିଜର ଚାରି ସନ୍ତାନଙ୍କୁ ନେଇ ହସଖୁସିରେ ଚଳୁଥିଲେ। ଦିନ ମଜୁରିଆ ହୋଇଥିବା ବେଳେ ନିଜର ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଉଥିଲେ। ହେଲେ ଜୁଲାଇ ୧୪ ତାରିଖ ରାତି ଏ ପରିବାର ପାଇଁ ହୋଇଥିଲା କାଳରାତି। ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ପଡ଼ିଆମି କାନା ଏବଂ ପଡ଼ିଆମି ସାମେଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ ବଞ୍ଚାଇବା ପାଇଁ ଗ୍ରାମବାସୀ ଏବଂ ସଂପର୍କୀୟ ବହୁ ଚେଷ୍ଟା କରିଥିଲେ। ହେଲେ ଅଳ୍ପ ସମୟ ମଧ୍ୟରେ ଉଭୟଙ୍କର ଜୀବନ ଚାଲିଯାଇଥିଲା। ଆଉ ରାତି ପାହିବା ବେଳକୁ ୪ ସନ୍ତାନ ଅନାଥ ହୋଇ ଯାଇଥିଲେ।

ମୃତ ଦମ୍ପତିଙ୍କ ତିନି ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅ ଅନ୍ୟ ତିନି ଭାଇ ଭଉଣୀଙ୍କୁ ଧରି କେମିତି କଣ କରିବ ଚିନ୍ତା କରିପାରୁ ନ ଥିଲା। ଏଭଳି ପରିସ୍ଥିତିରେ ପିଲାଙ୍କୁ ଗ୍ରାମବାସୀ କିଛି ଦିନ ସହଯୋଗ କରିଥିଲେ। କୋୟା ଆଦିବାସୀ ସମାଜ ଘଟଣା ସଂପର୍କରେ ଜାଣିବା ପରେ ଏବେ ସହଯୋଗର ହାତ ବଢ଼ାଇଛି। କୋୟା ସମାଜର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଏକ ଟିମ୍‌ ପଡ଼ିଆମିଗୁଡ଼ା ଗାଁରେ ପହଞ୍ଚି ପିଲାମାନଙ୍କୁ ଭେଟିଥିଲା। କୋୟା ସମାଜ ପକ୍ଷରୁ ଏମାନଙ୍କୁ ଚାଉଳ, ଡାଲି, ତେଲ ସମେତ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଦିଆଯାଇଛି। ତା’ ସହିତ ସମସ୍ତଙ୍କ ପାଇଁ ପୋଷାକ ଏବଂ ୫ ହଜାର ଟଙ୍କା ଦେଇଛି ସମାଜ। ଅନ୍ୟ କିଛି ବ୍ୟକ୍ତି ମଧ୍ୟ ୨ ହଜାର ୫ ଶହ ଟଙ୍କା ପ୍ରଦାନ କରିଥିଲେ। ଏବେ ଏମାନଙ୍କର ପାଠପଢ଼ା ଏବଂ ଥଇଥାନ ନେଇ କୋୟା ସମାଜ ଗାଁ ମୁଖିଆଙ୍କ ସହ କଥାବାର୍ତ୍ତା କରିବା ସହ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛି। ପିଲାଙ୍କୁ ହଷ୍ଟେଲରେ ଭର୍ତ୍ତି କରିବା ସହ ସେମାନଙ୍କର ପାଠପଢ଼ାରେ ଯେମିତି କୌଣସି ଆସୁବିଧା ନ ହୁଏ ସେଥି ପ୍ରତି ସମାଜ ଦୃଷ୍ଟି ଦେବ ବୋଲି କହିଛି।

ଚାରି ଜଣଙ୍କ ମଧ୍ୟରୁ ବଡ଼ ଝିଅ ଭୀମେ ତିନି ଭାଇ ଭଉଣୀଙ୍କୁ ଏବେ ମା’ର ସ୍ନେହ ଦେଉଛି। ତିନି ଛୋଟ ଭାଇଭଉଣୀ ବାପା ମା’ଙ୍କୁ ମନେ ପକାଇ ସବୁ ବେଳେ କାନ୍ଦୁଥିବା ବେଳେ ବଡ଼ ଭଉଣୀ ସେମାନଙ୍କୁ ବୋଧ କରୁଥିବା ଦେଖିବାକୁ ମିଳିଛି। ଏ ଅସହାୟ ଓ ଅନାଥ ପିଲାଙ୍କ ପ୍ରତି ପ୍ରଥମେ ଗ୍ରାମବାସୀ ଏବଂ ପରେ କୋୟା ସମାଜ ଯେଉଁ ଭଳି ମାନବିକତା ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। କେବଳ ସେତିକି ନୁହେଁ; ସେମାନଙ୍କ ଭବିଷ୍ୟତ ଗଠନ ନେଇ କୋୟା ସମାଜର ତତ୍ପରତାକୁ ମଧ୍ୟ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ମାଲକାନଗିରିରୁ ପ୍ରେମେନ୍ଦ୍ର ପରିଚ୍ଛା

ସମ୍ବନ୍ଧିତ ଖବର