ନିଯୁକ୍ତି ଓ ରୋଜଗାର

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

ଦେଶରେ ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଥିବା ସତ୍ତ୍ବେ ବେକାରଙ୍କ ସ˚ଖ୍ୟା କିନ୍ତୁ ହ୍ରାସ ପାଇପାରୁନି। ପରିସ˚ଖ୍ୟାନର ତଥ୍ୟରୁ ଜଣାଯାଏ ବିଗତ କିଛି ବର୍ଷ ହେଲା ଶିକ୍ଷିତ ବେକାରଙ୍କ ସ˚ଖ୍ୟା ଆଶାତୀତ ଭାବେ ବଢ଼ୁଛି। କେବଳ ସେତିକି ନୁହେଁ ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନେ ସୁଯୋଗ ଅଭାବରୁ କମ୍‌ ପାରିଶ୍ରମିକକୁ ସ୍ବୀକାର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ବେତନଭୋଗୀ କର୍ମଜୀବୀଙ୍କ ଭିତରେ ମଧ୍ୟ ଦାରିଦ୍ର୍ୟ ଉଦ୍‌ବେଗଜନକ ବୋଲି ନିକଟରେ ନୂଆଦିଲ୍ଲୀସ୍ଥିତ ମାନବ ବିକାଶ ପ୍ରତିଷ୍ଠାନ ପ୍ରକାଶ କରିଥିବା ‘ଇଣ୍ତିଆନ ଲେବର ଆଣ୍ତ ଏମ୍ପଲଏମେଣ୍ଟ ରିପୋର୍ଟ ୨୦୨୦’ରେ ସ୍ପଷ୍ଟ ହୋଇଛି। ଜାତୀୟ ନମୁନା ସର୍ବେକ୍ଷଣ ସ˚ସ୍ଥା ବା ‘ଏନ୍‌.ଏସ.ଏସ୍‌.ଓ’ ଦ୍ବାରା ସ˚ଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଗୋଟିଏ ପଟେ ଯନ୍ତ୍ରର ବହୁଳ ବ୍ୟବହାର କାରଣରୁ ନିୟମିତ ଶ୍ରମିକଙ୍କ ସ˚ଖ୍ୟା ହ୍ରାସ ପାଉଥିବା ଯୋଗୁଁ ଏହି ମେହେନତୀ ଲୋକଙ୍କର ଆୟ ହ୍ରାସ ପାଇଛି, ଅନ୍ୟ ପକ୍ଷରେ କାଗଜ କଲମ ଧରି ଚାକିରି କରୁଥିବା ପାଠୁଆ ଯୁବକଯୁବତୀମାନେ ମଧ୍ୟ ବିଭିନ୍ନ କାରଣରୁ ନିଯୁକ୍ତି ଓ ରୋଜଗାର ସଂକୋଚନର ଶିକାର ହେଉଛନ୍ତି। ପରିସ˚ଖ୍ୟାନର ତଥ୍ୟରୁ ଜଣାଯାଏ ଯେ ଆ˚ଶିକ ଭାବେ ନିଯୁକ୍ତ ହୋଇଥିବା ଲୋକେ ବା ସ୍ବଳ୍ପ ବେତନରେ ନିଯୁକ୍ତି ପାଉଥିବା ବ୍ୟକ୍ତିବି‌େଶଷ ନିମ୍ନ ଆର୍ଥିକ ସ୍ତରରେ ରହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ତେନ୍ଦୁଲକର କମିଟି ଅନୁଯାୟୀ ସ୍ଥିର ହୋଇଥିବା ଦାରିଦ୍ର୍ୟ ସୀମା ଭିିତ୍ତିରେ ବିଚାର କଲେ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଦେଶରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ସ˚ଖ୍ୟାର ଏକ ତୃତୀୟା˚ଶ ଦାରିଦ୍ର୍ୟ ସୀମାରେ ରହିଛନ୍ତି। ଏହି ତଥ୍ୟ ‘ଏନ୍‌.ଏସ.ଏସ୍‌.ଓ’ ପ୍ରଦାନ କରିଛି। ସୂଚନାଯୋଗ୍ୟ, ତେନ୍ଦୁଲକର କମିଟି ସୁପାରିସ ଅନୁଯାୟୀ ଗ୍ରାମାଂଚଳରେ ଦିନକୁ ୨୭.୨୦ ଟଙ୍କା ଏବ˚ ସହରାଂଚଳରେ ଦିନକୁ ୩୩.୩୩ ଟଙ୍କାରୁ ଅଧିକ ଖର୍ଚ୍ଚ କରି ପାରୁନଥିବା ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ବୋଲି ଧରିବାକୁ ହେବ। ଏହା ସୂଚାଇ ଦେଉଛି ଯେ ଅନେକ ଚାକିରିଆ ଦୈନିକ ଉପରେ ବର୍ଣ୍ଣିତ ହୋଇଥିବା ଅର୍ଥ ବ୍ୟୟ କରିବାକୁ ଅସମର୍ଥ।

ତେବେ, ନିଯୁକ୍ତିରେ ଥିବା ବ୍ୟକ୍ତିଙ୍କ ଭିତରେ ଦାରିଦ୍ର୍ୟର ମାତ୍ରା ସମ୍ପର୍କରେ ଏନ୍‌.ଏସ.ଏସ୍‌.ଓ ତଥ୍ୟ କହେ ଯେ ଡିପ୍ଲୋମା ହାସଲ କରିଥିବା ଲୋକମାନଙ୍କ ମଧ୍ୟରେ ୧୦% ଅତି କମ୍‌ ବେତନରେ ନିଯୁକ୍ତି ପାଇଛନ୍ତି। ଏଭଳି ସ୍ଥିତି ପ୍ରାୟ ଡିଗ୍ରୀଧାରୀଙ୍କ କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ। ତେବେ ଏହା ଠାରୁ ଅଧିକ ଉଦ୍‌ବେଗଜନକ ସତ୍ୟଟି ହେଲା ବୈଷୟିକ ସ୍ନାତକଙ୍କ ଲାଗି ଉପଯୁକ୍ତ ବୋଲି ବିଚାର କରାଯାଉଥିବା ଚାକିରି ସକାଶେ ଅର୍ଧାଧିକଙ୍କ (ବୈଷୟିକ ସ୍ନାତକ) ଠାରେ ଦକ୍ଷତାରେ ଅଭାବ ରହିଛି। ଏହାର କାରଣ ବର୍ତ୍ତମାନ ଚାରିଆଡ଼େ ଛତୁ ଫୁଟିବା ପରି ଗଢ଼ି ଉଠିଥିବା ବୈଷୟିକ ଶିକ୍ଷାନୁଷ୍ଠାନ ଯାହା ଗୁଣାତ୍ମକ ଶିକ୍ଷା ଦାନ ଉପରେ ଦୃଷ୍ଟି ଦିଅନ୍ତି ନାହିଁ। ତେଣୁ ସେଥିରୁ ଉତ୍ତୀର୍ଣ୍ଣ ହୋଇଥିବା ବିପୁଳ ସ˚ଖ୍ୟାର ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ଅନିଶ୍ଚିତତା ଦେଖା ଦେଇଥାଏ ବା ସେମାନଙ୍କ ମଧ୍ୟରୁ ଅନେକ ଅତ୍ୟନ୍ତ ସ୍ବଳ୍ପ ବେତନରେ ଚାକିରି କରିବାକୁ ବାଧ୍ୟ ହୋଇଥାଆନ୍ତି।

ଏବେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ସହିତ ବେରୋଜଗାରିକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ତାହା ଉଚ୍ଚ ଶିକ୍ଷିତମାନଙ୍କୁ କମ୍‌ ଉପାର୍ଜନ କରିବାର ବାଧ୍ୟବାଧକତାରୁ ମୁକ୍ତ କରି ପାରିନାହିଁ। ପୁଣି ବିଭିନ୍ନ କ୍ଷେତ୍ରରେ ଅବସର ବୟସ ସୀମା ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଅବସର ପରେ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି। ଏହା ଦ୍ବାରା ଅନେକ ଶିକ୍ଷିତ ଯୁବକଯୁବତୀ ଚାକିରି ପାଉ ନାହାନ୍ତି। ଯେଉଁମାନେ ଚାକିରିରେ ଅଛନ୍ତି, ସେମାନଙ୍କ ପଦୋନ୍ନତି ହେଉନାହିଁ ବା ସେମାନଙ୍କ ବେତନରେ ବୃଦ୍ଧି ଘଟୁନାହିଁ। ଏହା ମଧ୍ୟ ବେତନଭୋଗୀ ଯୁବବର୍ଗଙ୍କ ଲାଗି ଏକ ସମସ୍ୟା‌ରେ ପରିଣତ ହୋଇଛି।

ଦେଶରେ ଶିକ୍ଷିତ ବେକାର ବା ବେରୋଜଗାରଙ୍କ ସଂଖ୍ୟାରେ ବୃଦ୍ଧି ପାଇବା ଯେତିକି ଉଦ୍‌ବେଗଜନକ, ତତ୍ତୁଲ୍ୟ ଉଦ୍‌ବେଗଜନକ ହେଉଛି ଶିକ୍ଷିତ ଯୁବକଯୁବତୀମାନେ ସ୍ବଳ୍ପ ବେତନ‌େର ଚାକିରି କରିବାକୁ ବାଧ୍ୟ ହେବା। ଏହା ଫଳରେ ସେମାନଙ୍କ ଭବି‌ଷ୍ୟତ୍‌ ମଧ୍ୟ ଅନିଶ୍ଚିତ ହୋଇପଡୁଛି। କାରଣ ସେମାନେ କରୁଥିବା ଚାକିରି‌େର ଭବି‌ଷ୍ୟତ୍ ସୁରକ୍ଷା ଲାଗି ବିଶେଷ କୌଣସି ବ୍ୟବସ୍ଥା ନ ଥାଏ। ତେଣୁ ଏବେ ଭାରତର ଯୁବ ସମାଜ ଏକ ବିଡ଼ମ୍ବିତ ସ୍ଥିତିରେ। ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ଯୁବକଯୁବତୀମାନେ ପାରଂପରିକ ରୋଜଗାର ଉତ୍ସର ପରିସରରୁ ବାହାରି ରୋଜଗାରର ନୂତନ ଉତ୍ସର ସନ୍ଧାନ କରନ୍ତୁ। ନୂଆ ପ୍ରଯୁକ୍ତି ସହାୟତାରେ କିଭଳି ଅର୍ଥ ରୋଜଗାର କରି ହେବ ତାର ବାଟ ସେମାନେ ଖୋଜିବା ଦରକାର। ବର୍ତ୍ତମାନର ସୂଚନା ପ୍ରଯୁକ୍ତି ଯୁଗରେ ଇ-କମର୍ସ ଏକ ଚମକପ୍ରଦ ରୋଜଗାର କ୍ଷେତ୍ରରେ ପରିଣତ ହୋଇଛି। ଅନେକ ପ୍ରତିଭାବାନ ଯୁବକଯୁବତୀ ୟୁ ଟ୍ୟୁବ, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଇ-ବଣିଜ କରି ପ୍ରଚୁର ଉପାର୍ଜନ କରିପାରୁଛନ୍ତି। ଏହା ରୋଜଗାରର ଏକ ନୂଆ ଦିଗନ୍ତ ଉନ୍ମୋଚନ କରିଦେଇଛି। ସୁତରାଂ, ଆଜିର ଯୁବପିଢ଼ି ଲାଗି ଯାହା ଲୋଡ଼ା ତାହା ହେଲା ଯୁଗୋପଯୋଗୀ ଉପାର୍ଜନ ମାଧ୍ୟମର ବ୍ୟବହାର ଦିଗରେ ଆଗ୍ରହ ପ୍ରକାଶ କରିବା ଓ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଲାଗି ଉଦ୍ୟମ କରିବା। ତାହା ହେଲେ ଏ ସ୍ଥିତିରେ ପରିବର୍ତ୍ତନ ଆସିବ।

ପାରାଦୀପ
ମୋ: ୯୪୩୭୦୨୨୦୬୧

ସମ୍ବନ୍ଧିତ ଖବର