ଚୋର ଗଲା ପରେ ଚେତା ପଶିଲା : କୋଟିଆ ପାଇଁ କମିଟି ଗଠିତ

କୋରାପୁଟ/ପଟାଙ୍ଗୀ : ଅବହେଳା ଭିତରେ କୋଟିଆ ଘାଣ୍ଟି ଚକଟି ହେଉଛି। ଏକଥା ସମସ୍ତେ ଜାଣିଥିଲେ। ଅଧିକାରୀଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କ ଜାଣତରେ ବିକାଶ ବାଟବଣା ହୋଇଥିଲା। ସମସ୍ତେ ଥିଲେ ପୂରା ବେଫିକର। କୋଟିଆ ଓଡ଼ିଶାର ବୋଲି ସତେ ଯେମିତି ଏମାନେ ଭୁଲି ଯାଇଥିଲେ। ଏବେ ଆନ୍ଧ୍ର ଅଧିକାରୀ ଆସି ବିକାଶର ବାର୍ତ୍ତା ବାଣ୍ଟିବା ପରେ ଚେତା ପଶିଛି ଓଡ଼ିଶାର। ନିଦରୁ ଉଠି ବିଳିବିଳେଇଲା ପରି କାମ ଆରମ୍ଭ କରି ଦେଇଛନ୍ତି କୋଟିଆରେ। ଯେଉଁଠି ଅଧିକାରୀଙ୍କ ପାଦ ପଡ଼େନି ସେଠି ଏବେ ମାଳ ମାଳ ଅଧିକାରୀ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ପଞ୍ଚାୟତ ଆନ୍ଧ୍ର ସୀମାରେ ରହିଛି। ସୀମାନ୍ତରେ ଥିବା ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଚାଲିଥିଲାବେଳେ ଗତ ୯ତାରିଖରେ ଆନ୍ଧ୍ରର ବହୁ ଅଧିକାରୀ ଓ ଜନ ପ୍ରତିନିଧି କୋଟିଆ ଅଂଚଳକୁ ଆସି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ସହାୟତା ବଣ୍ଟନ କରିଥିଲେ। ବିଜୟନଗରମ ଜିଲ୍ଲାପାଳ ବିବେକ ଯାଦବଙ୍କ ନେତୃତ୍ୱରେ ଆସିଥିବା ଏହି ଅଧିକାରୀ ଟିମ୍‌ ଏଠାରେ ଜନଶୁଣାଣି କରି ଲୋକମାନଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ। ଆନ୍ଧ୍ରର ଏମିତି ପ୍ରତିଶ୍ରୁତି ଶୁଣି କୋଟିଆ ବାସୀଙ୍କ ଆଖି ଝଲସି ଯାଇଥିଲା। ଏପରିକି ଆନ୍ଧ୍ରରେ ମିଶିବାକୁ ଖୋଲାଖୋଲି କହିଥିଲେ। ହାତରୁ କୋଟିଆ ଖସୁଥିବା ଜାଣି ଏବେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି।

କୋଟିଆ ପଞ୍ଚାୟତର ୪୦ଟି ଗ୍ରାମର ଉନ୍ନୟନମୂଳକ କାମ ତଦାରଖ ପାଇଁ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପ୍ରତିଦିନ କୋଟିଆର ବିବାଦୀୟ ଗାଁଗୁଡିକରେ ବୁଲି ଲୋକଙ୍କ ଭଲମନ୍ଦ ବୁଝିବ। ଏହି ଅଂଚଳରେ କୌଣସି ସମସ୍ୟା ଥିଲେ ତୁରନ୍ତ ପଲ୍ଲୀସଭା କରାଯାଇ ସମସ୍ୟାର ସମାଧାନ କରାଯିବ। ସମସ୍ତ ମୌଳିକ ସୁବିଧା ଯେମିତି ଲୋକଙ୍କ ପାଖରେ ପହଞ୍ଚିପାରିବ ସେଥିନେଇ ଏହି କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି। ଅପରପକ୍ଷରେ ଆଜି କୋଟିଆଠାରୁ ଉପର ସେମ୍ଭି ଗ୍ରାମକୁ ଯାଇଥିବା ରାସ୍ତା ମରାମତି ଆରମ୍ଭ ହୋଇଛି। ଏହି ୪କିଲୋ ମିଟର ରାସ୍ତା ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଲ୍ଲୀସଭା କରାଯାଇ ଆଜି କାମ କରାଯାଇଛି। ଏହି ରାସ୍ତା ନିର୍ମାଣ ହୋଇଗଲେ କୋଟିଆ ସହ ସେମ୍ଭିର ଯୋଗାଯୋଗ ସମ୍ଭବ ହୋଇ ପାରିବ। ପରେ ଅନ୍ୟ ଗ୍ରାମଗୁଡିକରେ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି। ଏପଟେ ଆଜି କୁରୁଡିପଦର ଗ୍ରାମରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସର୍ଭେ କରାଯାଇଛି। ଏହି ଗ୍ରାମରେ ଝରଣା ପାଣିକୁ ନେଇ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବର୍ଷକରୁ ଅଧିକ ଦିନ ହେଲା ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର ପୋଡି ଯାଇଥିଲାବେଳେ ଏବେ ଗ୍ରାମରେ ନୂଆ ଟ୍ରାନ୍ସଫର ଲଗାଯାଇଛି।
କୋଟିଆ ବିକାଶ ପାଇଁ ପ୍ରଶାସନର ଏମିତି ତତ୍ପରତା ଅଂଚଳବାସୀଙ୍କୁ ବି ଚକିତ କରି ଦେଇଛି।

ସମ୍ବନ୍ଧିତ ଖବର