ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଥାନାରୁ ଅଳ୍ପ ଦୂର ସାଲେବିଡି ଛକ ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ଶନିବାର ସନ୍ଧ୍ୟାରେ ବୋରିଗୁଡା ଗ୍ରାମର ଅବାସ ଅଲ୍ଲୀ ଓ ରାଜା ନିଜ ବାଇକ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିବା ବେଳେ ବିପରୀତ ଦିଗ ହଳଦୀଖଲିଆପଡାରୁ ଚନ୍ଦାହାଣ୍ଡି ଗ୍ରାମର ବାପା ପୁଅ ରୁପଧର ମର୍କାମ ଓ ବବି ମାଝୀ ନିଜ ଘରକୁ ଆସୁଥିବା ବେଳେ ସାଲେବିଡି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ  ଧକ୍କା ହୋଇ ଯାଇଥିଲା। ଘଟଣା ସ୍ଥଳରେ ରୁପଧର ମର୍କାମ (୫୬) ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପଡିରହିଥିଲେ । ଖବର ପାଇ ଚନ୍ଦାହାଣ୍ଡି ଥାନା ଏଏସଆଇ ଲଳିତ ମୋହନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଗାଡି ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସଂଗ୍ରାମ କେଶରୀ ସାହୁ ମୃତ୍ୟୁ ଘୋଷଣା କରିଥିଲେ । ଚନ୍ଦାହାଣ୍ଡି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଚନ୍ଦାହାଣ୍ଡି ଶବାଗାରରେ ରଖିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର