ବିବାଦୀୟ ଆଇନ ୟୁଏପିଏ ଏବଂ ଷ୍ଟାନ୍‌ ସ୍ବାମୀ

ମୁମ୍ବାଇ: ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ), ୧୯୬୭ ହେଉଛି ଭାରତର ପ୍ରମୁଖ ଆତଙ୍କବାଦ ବିରୋଧୀ ଆଇନ। କିନ୍ତୁ ସମ୍ପ୍ରତି ଏହି ଆଇନ ନାନା ସମାଲୋଚନାର ଶରବ୍ୟ ହୋଇଛି ଏବଂ ବିଭିନ୍ନ ଅଦାଲତ ମଧ୍ୟ ଏହି ଆଇନର ଅପବ୍ୟବହାର ହେଉଥିବା କହିଛନ୍ତି। ଅନେକ ମାମଲାରେ କୋର୍ଟ ଅଭିଯୁକ୍ତମାନଙ୍କୁ ନ୍ୟାୟ ପ୍ରଦାନ କରିଥିବା ବେଳେ ୟୁଏପିଏ ଉପରେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ୮୪ ବର୍ଷ ବୟସରେ ନଅ ମାସ ଧରି ଜାମିନ ପାଇଁ ଅପେକ୍ଷା କରିଥିବା ଖ୍ରୀଷ୍ଟିଆନ ପାଦ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ୟୁଏପିଏକୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି।

ୟୁଏପିଏ ୧୯୬୭ରେ ପ୍ରଣୟନ କରାଯାଇଥିଲା। ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ। ଇତିମଧ୍ୟରେ ସେ ଆଇନରେ ଅଧଡଜନ ସଂଶୋଧନ ହୋଇସାରିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଅଧୀନରେ ୨୦୧୯ରେ ଏହା ଶେଷଥର ପାଇଁ ସଂଶୋଧିତ ହୋଇଥିଲା। ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୬୩ ମସିହାରେ ନ୍ୟାଶ୍‌ନାଲ ଇଣ୍ଟିଗ୍ରେଶନ କାଉନସିଲ (ଏନ୍‌ଆଇସି)ର ସୁପାରିଶ କ୍ରମେ ସମ୍ବିଧାନ ସଂଶୋଧନ ହୋଇ ୟୁଏପିଏର ଜନ୍ମ ହୋଇଥିଲା। ଏହି ସଂଶୋଧନ ବଳରେ ଅଭିବ୍ୟକ୍ତିର ସ୍ବାଧୀନତା, ବିନା ଅସ୍ତ୍ରଶସ୍ତ୍ରରେ ବହୁ ଲୋକ ଏକାଠି ହୋଇ ସମାବେଶ କରିବା ଏବଂ ସଙ୍ଗଠନ ଗଢ଼ିବା ପରି କେତେକ ମୌଳିକ ଅଧିକାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସଂସଦ ଆଇନ ପ୍ରଣୟନ କରିପାରିବ। ଏହି ପ୍ରତିବନ୍ଧକଗୁଡିକ କେବଳ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ରକ୍ଷା ପାଇଁ ଲାଗୁ କରାଯାଇପାରିବ। ୟୁଏପିଏର ୧୯୮୭ ସଂସ୍କରଣ କେନ୍ଦ୍ର ସରକାରଙ୍କୁ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପଗୁଡ଼ିକର ମୁକାବିଲା କରିବାକୁ କ୍ଷମତା ଦେଇଥିଲା। ୧୯୬୭ରୁ ୨୦୦୪ ପର୍ଯ୍ୟନ୍ତ ୟୁଏପିଏ ଆତଙ୍କବାଦ ବିରୋଧୀ ଆଇନ ନ ଥିଲା। ଡିସେମ୍ବର ୨୦୦୪ରେ, ସଂସଦ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଏଥିରେ ଏକ ଅଧ୍ୟାୟ ଯୋଡ଼ିଥିଲା। ୟୁଏପିଏ ସଂଶୋଧନ ଅଧିନିୟମ, ୨୦୦୪ (ଚତୁର୍ଥ ଅଧ୍ୟାୟ) ମନମୋହନ ସିଂ ସରକାର ଆଣିଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ୨୦୦୮ ଓ ୨୦୦୯ରେ ୟୁଏପିଏରେ ଅଧିକ ସଂଶୋଧନ କରାଯାଇଥିଲା। ୟୁଏପିଏର ପରିସରକୁ ବଢ଼ାଇବା ପାଇଁ ୨୦୧୨ ଓ ୨୦୧୯ରେ ଅଧିକ ସଂଶୋଧନ କରାଯାଇଥିଲା।

ବର୍ତ୍ତମାନ ଆତଙ୍କବାଦ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ହେଉଥିବା ଅର୍ଥ ହେରଫେର ତଥା କୌଣସି ଗୋଷ୍ଠୀ ବା ବ୍ୟକ୍ତିଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ନିଯୁକ୍ତ କରିବା ଆଦି ୟୁଏପିଏ ପରିସରଭୁକ୍ତ ରହିଛି। ଭାରତରେ ପ୍ରଥମ ଆତଙ୍କବାଦ-ବିରୋଧୀ ଆଇନ ଆତଙ୍କବାଦୀ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀ କାର୍ଯ୍ୟକଳାପ ନିବାରଣ ଆଇନ, ୧୯୮୭ (ଟାଡା) ଆକାରରେ ପ୍ରଣୟନ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାଖ୍ୟା ଏବଂ ପ୍ରତିରୋଧ କରିବା ପାଇଁ ଟାଡା ଅଣାଯାଇଥିଲା। ପଞ୍ଜାବରେ ଆତଙ୍କବାଦ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାର ପୃଷ୍ଠଭୂମିରେ ଏହି ଆଇନ କରାଯାଇଥିଲା। ରାଜୀବ ଗାନ୍ଧୀ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ। ୧୯୯୩ ବମ୍ବେ ବିସ୍ଫୋରଣ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଏହାର ଦୁରୁପଯୋଗ ନେଇ ଟାଡା ମାନବାଧିକାର ସଂଗଠନ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ତୀବ୍ର ସମାଲୋଚନାର ଶିକାର ହୋଇଥିଲା। ୧୯୯୫ରେ ଟାଡାକୁ ବନ୍ଦ କରିବାକୁ ଅନୁମତି ଦିଆଯାଇଥିଲା। ୨୦୦୨ରେ ଅଟଳବିହାରୀ ବାଜପେୟୀ ସରକାର ଆତଙ୍କବାଦର ମୁକାବିଲା କରିବା ପାଇଁ ପ୍ରିଭେନସନ୍ ଅଫ୍ ଟେରରିଜିମ୍ ଆକ୍ଟ (ପୋଟା) ଆଣିଥିଲେ। ୨୦୦୪ରେ ମନମୋହନ ସିଂ ସରକାର ଦ୍ବାରା ପୋଟାକୁ ରଦ୍ଦ କରାଯାଇ ୟୁଏପିଏକୁ ଭାରତର ମୁଖ୍ୟ ଆତଙ୍କବାଦ ନିରୋଧୀ ଆଇନରେ ପରିଣତ କରିବା ପାଇଁ ଏହାର ସଂଶୋଧନ କରାଯାଇଥିଲା।

ଏହି ଆତଙ୍କବାଦ-ବିରୋଧୀ ଆଇନ ଯୋଗୁ ଜଣେ ଗିରଫ ଅଭିଯୁକ୍ତ ଜାମିନ ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ଏଥିରେ ପ୍ରାକ୍-ଚାର୍ଜସିଟ୍ ହାଜତ ସମୟକୁ ୯୦ ଦିନରୁ ୧୮୦ ଦିନକୁ ବୃଦ୍ଧି କରାଯାଇଛି। ୟୁଏପିଏ ଜାମିନ ଅଧିକାରକୁ ସଂକୁଚିତ କରେ ଏବଂ ଅଭିଯୁକ୍ତର ଦୋଷ ବାବଦରେ ପୋଲିସ ଡକ୍ୟୁମେଣ୍ଟ ଉପରେ କୋର୍ଟ ନିର୍ଭର କରେ। ୟୁଏପିଏରେ ଦୋଷୀ ସାବ୍ୟସ୍ତ ହାର ଅତି ନଗଣ୍ୟ। ଚଳିତ ବର୍ଷ ମାର୍ଚ୍ଚରେ ସଂସଦକୁ ଦିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୧୯ ମଧ୍ୟରେ ୟୁଏପିଏ ଅଧୀନରେ ପଞ୍ଜୀକୃତ ହୋଇଥିବା ୨.୨ ପ୍ରତିଶତ ମାମଲାରେ ଅଭିଯୁକ୍ତ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।

ତାମିଲନାଡୁରେ ଜନ୍ମ ହୋଇଥିବା ଷ୍ଟାନ୍‌ ସ୍ବାମୀ ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ତଥା ଆଦିବାସୀ ଅଧିକାର କର୍ମୀ ଥିଲେ। ୟୁଏପିଏରେ ଗିରଫ ହେବା ପରେ ସେ ନଅ ମାସ ଜେଲରେ ରହିଥିଲେ। ସୋମବାର ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ କୋଭିଡ-୧୯ ପଜିଟିଭ୍ ଥିଲେ ଏବଂ ପାର୍କିନ୍ସନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ଭୀମା କୋରେଗାଓଁ ହିଂସା ଘଟଣାରେ ମାଓବାଦୀଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଗିରଫ ହୋଇଥିବା ୧୬ ଜଣ କର୍ମୀ, ଏକାଡେମିକ୍ ଏବଂ ଓକିଲଙ୍କ ମଧ୍ୟରେ ଷ୍ଟାନ୍ ସ୍ବାମୀ ଥିଲେ ଅନ୍ୟତମ। ଭୀମା କୋରେଗାଓଁ ଯୁଦ୍ଧର ୨୦୦ତମ ସ୍ମୃତି ଦିବସ ପାଳନ ସମୟରେ ଜାନୁଆରୀ ୧, ୨୦୧୮ରେ ଏହି ହିଂସା ଘଟିଥିଲା। ଏହି ଯୁଦ୍ଧକୁ ବ୍ରିଟିଶ ସୈନିକ ଭାବରେ ଯୁଦ୍ଧ କରୁଥିବା ଦଳିତଙ୍କ ବିଜୟ ଭାବରେ ଦେଖାଯାଏ। ପୁଣେ ନିକଟ ପେଶୱାଠାରେ ଏହି ଯୁଦ୍ଧ ହୋଇଥିଲା। ଘଟଣା ହିଂସାତ୍ମକ ରୂପ ନେଇଥିଲା। ପୋଲିସ ଅନୁସନ୍ଧାନରେ ଏଥିରେ ମାଓବାଦୀ ଲିଙ୍କ୍ ଥିବା ଜଣାପଡିଥିଲା‌। ଏହି ଆତଙ୍କବାଦୀ ମାମଲାର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଷ୍ଟାନ୍‌ ସ୍ବାମୀ ଏବଂ ଅନ୍ୟ ୧୫ ଜଣଙ୍କୁ ୟୁଏପିଏ ଅଧୀନରେ ବୁକ୍ କରାଯାଇଥିଲା। ଅକ୍ଟୋବର ୨୦୨୦ରେ ଷ୍ଟାନ୍ ସ୍ବାମୀଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ପାଞ୍ଚଜଣ ଜେଲରେ ତିନି ବର୍ଷ ବିତାଇଛନ୍ତି। ସହ-ଅଭିଯୁକ୍ତ ବର୍ବରା ରାଓ, ୮୧, ଚଳିତ ବର୍ଷ ଫେବ୍ରୁଆରିରେ ଜାମିନ ପାଇଥିଲେ। କିନ୍ତୁ ଜାମିନ ପାଇବା ପୂର୍ବରୁ ଷ୍ଟାନ୍‌ ସ୍ବାମୀଙ୍କ ପରଲୋକ ଘଟିଲା।

ସମ୍ବନ୍ଧିତ ଖବର