ଏୟାର ଇଣ୍ଡିଆର ପୁନଃ ନିର୍ମାଣ ପାଇଁ ଯଥେଷ୍ଟ ଉଦ୍ୟମ କରାଯିବ: ରତନ ଟାଟା

ନୂଆଦିଲ୍ଲୀ: ଆଜି ଟାଟା ହାତକୁ ପୁଣି ଫେରିଛି ଏୟାର ଇଣ୍ଡିଆ। କ୍ଷତିରେ ଚାଲୁଥିବା ବିମାନ ସେବା ପ୍ରଦାନକାରୀ ସରକାରୀ କମ୍ପାନି ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିନେଇଛି ଟାଟା ସନ୍ସ । ଅନେକ ସଂଘର୍ଷ ପରେ ଏବେ ଏୟାର ଇଣ୍ଡିଆର ବିଡ୍ ଜିତିଛି ଟାଟା ସନ୍ସ। ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନି ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନିକୁ ୧୮,୦୦୦ କୋଟି ଟଙ୍କାରେ କିଣିଛି। ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା ସନ୍ସ ୩ଟି ଏୟାରଲାଇନ୍ସର ମାଲିକ ପାଲଟିଛି।

ତେବେ ୬୮ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆକୁ ହାସଲ କରିବା ପରେ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟା। ଟୁଇଟର କ୍ୟାପସନରେ ‘ୱେଲକମ ବ୍ୟାକ, ଏୟାର ଇଣ୍ଡିଆ‌’ ଲେଖିବା ସହ ଏୟାର ଇଣ୍ଡିଆର ପୁନଃ ନିର୍ମାଣ ପାଇଁ ଯଥେଷ୍ଟ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଟାଟା ଗ୍ରୁପ ସହ ସ୍ପାଇସଜେଟର ଅଜୟ ସିଂ ଏୟାର ଇଣ୍ଡିଆକୁ କିିଣିବା ପାଇଁ ଦୌଡ଼ରେ ଥିଲେ। ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସ ୧୮,୦୦୦ କୋଟି ଟଙ୍କାର ବିଡ୍ କରିଥିବା ବେଳେ ଅଜୟ ସିଂଙ୍କ ୧୫,୧୦୦ କୋଟି ଟଙ୍କାର ବିଡ୍ କରିଥିଲେ। ଏହା ପରେ ଟାଟା ସନ୍ସ ଅଜୟ ସିଂହଙ୍କଠାରୁ ୨,୯୦୦କୋଟି ଟଙ୍କାରେ ଆଗୁଆ ରହି ଏୟାର ଇଣ୍ଡିଆର ମାଲିକ ହୋଇପାରିଥିଲା।

ତେବେ ଏୟାର ଇଣ୍ଡିଆର ମାଲିକାନା ପାଇବା ପରେ ଟାଟା ସନ୍ସ ଏହାର ନାଁ ଏବଂ ଲୋଗୋକୁ ୫ବର୍ଷ ପର୍ଯ୍ୟନ୍ତ ବଦଳାଇପାରିବ ନାହିଁ। ଟାଟା ସନ୍ସ ଚାହିଁଲେ ୫ବର୍ଷ ପରେ ଏୟାର ଇଣ୍ଡିଆର ନାଁ ଏବଂ ଲୋଗୋକୁ ବଦଳାଇପାରିବ। କିନ୍ତୁ ଏଥିରେ ଏକ ସର୍ତ୍ତ ରଖାଯାଇଛି ଯେ, ଏହି ନାମ ଏବଂ ଲୋଗୋ କେବଳ ଭାରତୀୟ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଦିଆଯାଇପାରିବ। କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ନେଇପାରିବେ ନାହିଁ।

ସମ୍ବନ୍ଧିତ ଖବର