ହ୍ରଦରେ ନୌବିହାର ସମୟରେ ବୋଟ୍ ଉପରେ ପଡ଼ିଲା ପ୍ରକାଣ୍ଡ ପଥରଖଣ୍ଡ; ୭ ମୃତ, ୯ ଆହତ
ନୂଆଦିଲ୍ଲୀ: ଶନିବାର ଦିନ ବ୍ରାଜିଲର ସୁଲ୍ ମିନାସ୍ ଜଳପ୍ରପାତରୁ ବାହରି ଥିବା ହ୍ରଦରେ ଦୁଇଟି ମୋଟର୍ ବୋଟ୍ ଉପରେ ପର୍ବତରୁ ପ୍ରକାଣ୍ଡ ପଥରଖଣ୍ଡ ଧସି ପଡ଼ିବାରୁ ଅନ୍ୟୂନ ୭ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିନାସ୍ ଜେରାଇସ୍ ପ୍ରଦେଶରେ ଥିବା ଜନପ୍ରିୟ ପର୍ଯ୍ୟଟନସ୍ଥଳୀ କ୍ୟାପିଟଲୀୟ କେନିୟୋନ୍ସ୍ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏ ଘଟଣାର ଭିଡିଓରେ ଦେଖାଯାଉଛି ଯେ, ପର୍ବତ ଖାଇରୁ ମୀନାର ଭଳି ଖଣ୍ଡେ ପ୍ରକାଣ୍ଡ ପଥର ଧସି ଦୁଇଟି ବୋଟ୍ ଉପରେ ପଡ଼ି ହ୍ରଦରେ ବଡ଼ ବଡ଼ ଲହଡ଼ି ଖେଳାଉଛି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ବୁଝି ‘ରଏଟର୍ସ’ ଲେଖିଛି, ନିଖୋଜମାନଙ୍କ ମଧ୍ୟରୁ କେତେଜଣଙ୍କୁ ଟେଲିଫୋନ୍ ମାଧ୍ୟମରେ ଠାବ କରାଯାଇଥିବା ବେଳେ ୩ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି।
ଆହତମାନଙ୍କୁ ସେ ଅଞ୍ଚଳରେ ଥିବା ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଅନେକଙ୍କର ହାଡ଼ ଭାଙ୍ଗିଯାଇଛି। ଜଣେ ବ୍ୟକ୍ତିଙ୍କର ମୁଣ୍ଡ ଓ ମୁହଁରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି। ସାମାନ୍ୟ ଆହତ ହୋଇଥିବା ଅନ୍ୟୂନ ୨୩ଜଣ ଚିକିତ୍ସାଧୀନ ଥିବା କଥା ସରକାରୀ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି।
ବ୍ରାଜିଲ୍ ନୌସେନା କହିଛି, କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ଜାଣିବା ଲାଗି ତଦନ୍ତ କରାଯିବ। ୨ ସପ୍ତାହ ହେବ ସେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେଥିଯୋଗୁଁ ପାହାଡ଼ର ପଥର ଖଣ୍ଡ ସବୁ ଢିଲା ହୋଇଯାଇଥାଇ ପାରେ ବୋଲି କୁହାଯାଉଛି।