ମାନିଲା : ବିବାଦୀୟ ଦକ୍ଷିଣ ଚୀନ ସାଗରରେ ଥିବା ଆମେରିକୀୟ ଯୁଦ୍ଧ ପୋତରେ ଏକ ଦୁର୍ଘଟଣା ଘଟିଛି । ଏକ ଏଫ-୩୫ ଲଢୁଆ ବିମାନ ଓହ୍ଲାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ୭ ଜଣ ନୌସେନା କର୍ମଚାରୀ ଆହତ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଆମେରିକୀୟ ପାସିଫିକ୍ ଫ୍ଲିଟ୍ ଅଧିନସ୍ଥ ବିମାନବାହୀ ଯୁଦ୍ଧ ପୋତ ୟୁଏସଏସ କାର୍ଲ ଭିନସନରେ ଏକ ଏଫ-୩୫ସି ଓହ୍ଲାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ବିମାନଟି ନିଜର ନିୟମିତ ଉଡ଼ାଣ ପରିକ୍ରମା ପରେ ଓହ୍ଲାଉଥିଲା । ଏହି ଘଟଣାରେ ୭ ଜଣ ନୌସେନା କର୍ମଚାରୀ ଆହତ ହୋଇଛନ୍ତି । ମାତ୍ର ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ବାହାରି ଯାଇଥିଲେ । ତାଙ୍କୁ ଆମେରିକୀୟ ନୌସେନାର ଏକ ହେଲିକପ୍ଟର ଉଦ୍ଧାର କରିଥିଲା ।
ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଚୀନର ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିଲେ ବି ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିବ ।
ଆହତ ୭ ଜଣ ନୌସେନା କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫିଲିପାଇନ୍ସର ରାଜଧାନୀ ମାନିଲା ସ୍ଥିତ ଏକ ମିଲିଟାରୀ ହସପିଟାଲକୁ ପଠାଯାଇଛି । ଅନ୍ୟ କର୍ମଚାରୀମାନଙ୍କୁ ଜାହାଜରେ ଚିକିତ୍ସା କରାଯାଉଛି ।
ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଅଞ୍ଚଳ ବୋଲି କହୁଥିବାବେଳେ ଏହା ଏକ ଅନ୍ତର୍ଜାତୀୟ ଅଞ୍ଚଳ ବୋଲି ଆମେରିକା ସମେତ ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନେ କହୁଛନ୍ତି । ଏହି କାରଣରୁ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଆମେରିକୀୟ ଯୁଦ୍ଧ ଜାହାଜମାନେ ନିୟମିତ ପଇଁତଲା ମାରୁଛନ୍ତି । ମାତ୍ର ଚୀନ ଏହାକୁ ବିରୋଧ କରୁଛି ।