ଉମାକାନ୍ତ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଲୋକସଂପର୍କ ଅଧିକାରୀ ଉମାକାନ୍ତ ମହାପାତ୍ରଙ୍କ ଦ୍ବାରା ଲିଖିତ ‘ଦକ୍ଷିଣ ଏସିଆର ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଗ୍ରାମୀଣ ବିକାଶ-ଅବଧାରଣା ଓ ବାସ୍ତବତା’ ପୁସ୍ତକକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଅଗ୍ରଣୀ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ବାରା ପ୍ରକାଶିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ।

୨୨୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଗଠନ, କାର୍ଯ୍ୟ ଦକ୍ଷତା, ସାମାଜିକ ଆସ୍ଥାଭାଜନତା, ସରକାରୀ-ସ୍ବେଚ୍ଛାସେବୀ ଅନୁଷ୍ଠାନ ଭିତରେ ସମନ୍ବୟ, ସାଂପ୍ରତିକ ସ୍ଥିତି, ଭବିଷ୍ୟତ ପାଇଁ ଆହ୍ବାନ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଆଦି ବିଷୟରେ ଏକ ଉଚ୍ଚମାନର ବୈଜ୍ଞାନିକ ଅନୁଶୀଳନ କରାଯାଇଛି। ପୁସ୍ତକଟି ଗବେଷକ, ଛାତ୍ରଛାତ୍ରୀ, ନୀତି ନିର୍ଧାରକ, କାର୍ଯ୍ୟନିର୍ବାହୀ ବ୍ୟବସ୍ଥା, ବେସରକାରୀ ଅନୁଷ୍ଠାନମାନଙ୍କ ପାଇଁ ଉପାଦେୟ ହୋଇପାରିବ। ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଏହି ପୁସ୍ତକ ଗୁଗୁଲ ବୁକ୍ସ, ସ୍ପ୍ରିଞ୍ଜର, ଆମାଜନ, ଗୁଗୁଲ ପ୍ଲେ ଷ୍ଟୋର, ବୁକ୍‌ ଟପିକା, ବ୍ଲାକୱେଲ,‌ କୋ.ୟୁକେ ଆଦି ଅନଲାଇନ୍ ବ୍ୟବସ୍ଥାରେ ଉପଲବ୍ଧ।

ଲେଖକ ଶ୍ରୀ ମହାପାତ୍ର କହିଛନ୍ତି ଯେ ସ୍ପ୍ରିଞ୍ଜର ପ୍ରକାଶନ ସଂସ୍ଥାର ବିଶେଷଜ୍ଞମାନେ ପାଣ୍ଡୁଲିପିକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଏହାକୁ ଏକ ବିଶ୍ବସ୍ତରୀୟ ଉତ୍କର୍ଷ ଓ ମୌଳିକ ଅନୁଶୀଳନର ମାନ୍ୟତା ଦେଇଛନ୍ତି। ଏହାବାଦ୍ ଆମେରିକାସ୍ଥିତ କାଲିଫଣ୍ଣିଆ ବିଶ୍ବବିଦ୍ୟାଳୟର ଏମେରିଟସ୍ ପ୍ରଫେସର ଟି.ଏନ୍ ପାଣ୍ଡେ, ଋଷିଆସ୍ଥିତ ସେଣ୍ଟ ପିଟର୍ସବର୍ଗ ବିଶ୍ବବିଦ୍ୟାଳୟର ପ୍ରଫେସର ଇରିନା ଏଲ.ପେରୋଭା, ଯୁକ୍ତରାଷ୍ଟ୍ରସ୍ଥିତ ୟୁନିଭର୍ସିଟି ଅଫ କ୍ରିଏଟିଭ୍ ଆର୍ଟର ଏମ୍‌ବିଏ ବିଭାଗ ନିର୍ଦେଶକ ପ୍ରଫେସର ବି.ଏନ୍ ନାୟକ, ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପ୍ରଫେସର ବି.ବି ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ନବନୀତା ରଥ, ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କିଟ୍‌ ଓ କିସ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାଂସଦଙ୍କ ସମେତ ଅନ୍ୟ ଶିକ୍ଷାବିତ୍‌ମାନେ ପୁସ୍ତକର ଉଚ୍ଚ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର