ଜିଲ୍ଲାପରିଷଦ ସଭାପତି, ଉପସଭାପତି ନିର୍ବାଚନ ଉପରେ ଆଖି: ଦଳ ଡିଆଁଙ୍କ ଉପରେ ରହିବ ନଜର

ଭୋଟ ଦେବା ବେଳେ ଏଜେଣ୍ଟଙ୍କୁ ଦେଖାଇବେ

ଦଳ ହ୍ବିପ୍ ନ ମାନିଥିଲେ ସଭ୍ୟ ଦଳବଦଳ ନିରୋଧୀ ଆଇନ ସାମ୍ନା କରିବେ
ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ନାଏବ ସରପଞ୍ଚ ନିର୍ବାଚନ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପରେ ରାଜନୈତିକ ଦଳଗୁଡ଼ିକ ଟାର୍ଗେଟ୍ ହେବ କିଏ କେତେ ଜିଲ୍ଲା ପରିଷଦ ସଭାପତି/ଉପସଭାପତି ପଦ ହାତେଇବେ। ମାର୍ଚ୍ଚ ୧୩ରେ ଜିଲ୍ଲାପରିଷଦ ସଭାପତି ଏବଂ ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଥିବାରୁ ଏହି ପଦବି ହାତେଇବାକୁ ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ିବେ। ଏପରିକି ଘୋଡ଼ା ବେପାର ଭଳି ଅଭିଯୋଗ ହେବା ସହ ଦଳ ଡିଆଁଡେଇଁ ବି ହୋଇପାରେ। ଏହି ପ୍ରକ୍ରିୟାକୁ ରୋକିବା ଲାଗି କମିସନ ଆଉ ପାଦେ ଆଗକୁ ଯାଇଛନ୍ତି। ଏଥର ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ (ସଂଶୋଧନ) ଆଇନ, ୨୦୨୨ ଲାଗୁ ହେବ।

ଏହି ନିୟମ ଅନୁଯାୟୀ ଏହି ଦୁଇଟି ନିର୍ବାଚନରେ ଯେଉଁ ଦଳର ପ୍ରାର୍ଥୀ ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବେ ସେହି ଦଳର ସଭାପତି କିମ୍ବା ସାଧାରଣ ସମ୍ପାଦକ ଜଣେ ସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କୁ ନିଯୁକ୍ତ କରିପାରିବେ। ସେ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ ବି ହୋଇପାରିବେ। ତାଙ୍କ ଦଳର ଜିଲ୍ଲା ପରିଷଦ ସଦସ୍ୟ ‌ବାଲାଟ୍ ପେପରେ କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ତାହା ଏହି ଏଜେଣ୍ଟ ଦେଖିପାରିବେ। ଏହାପରେ ମତଦାତା ତାଙ୍କ ଭୋଟ୍‌ ଭୋଟବାକ୍ସରେ ଗଳାଇବେ। ତେଣୁ ଏହି ଦୁଇଟି ପଦବି ପାଇଁ ନିର୍ବାଚନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ତାଙ୍କର ସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କ ତାଲିକା ନିର୍ବାଚନ ଅଧିକାରୀଙ୍କୁ ଦେବେ।

୨୦୧୭ରେ ଏହି ନିୟମ ଲାଗୁ ହୋଇଥିଲା। ମାତ୍ର ସେବେ ରାଜ୍ୟ ସରକାରଙ୍କ ନିର୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା। କାରଣ ସରକାର ଏଭଳି ନିୟମ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତାମତ ଲୋଡ଼ିନଥିଲେ। ଦ୍ବିତୀୟତଃ ନିର୍ବାଚନ ପ୍ରକ୍ରିୟା ଜାରିଥିବା ବେଳେ ଏହି ନିୟମ ଲାଗୁ ହୋଇଥିଲା। ଉଭୟ ଆଇନତଃ ଗ୍ରହଣୀୟ ନୁହେଁ କହି ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ଏଥର ସରକାର ଏହି ପ୍ରକ୍ରିୟାକୁ ସଂଶୋଧନ କରି ପଦକ୍ଷେପ ନେଇଛନ୍ତି, ଯାହାକୁ କମିସନ ଲାଗୁ କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଏହି ପ୍ରକ୍ରିୟାରେ ଯଦି କୌଣସି ପ୍ରାର୍ଥୀ ଦଳର ହ୍ବିପ୍ ନ ମାନନ୍ତି, ତେବେ ସେ ଦଳ ବଦଳ ଆଇନ ପରିସରଭୁକ୍ତ ହେବେ। ଅର୍ଥାତ୍ ସଂପୃକ୍ତ ପ୍ରାର୍ଥୀଙ୍କ ସଭ୍ୟ ପଦ ରଦ୍ଦ ଲାଗି ଦଳ ପକ୍ଷରୁ ନିର୍ବାଚନ କମିସନଙ୍କ ଠାରେ ଆବେଦନ କରାଯାଇପାରିବ। ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ବଦଳ ନିୟମ ଲାଗୁ କରାଯାଇସାରିଛି।

ସେହିପରି ନାଏବ ସରପଞ୍ଚ, ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ପଦବି ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ ହେବ। ମାର୍ଚ୍ଚ ୧୧ରେ ସମସ୍ତ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ, ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ମାର୍ଚ୍ଚ ୨୩ରେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହେବ। ପରୋକ୍ଷ ନିର୍ବାଚନ ମାଧ୍ୟମରେ ଉପରୋକ୍ତ ପଦବିଗୁଡ଼ିକ ପୂରଣ ହେଉଥିବାରୁ ନିର୍ବାଚନ ଅଧିକାରୀମାନେ ଏନେଇ ସମସ୍ତ ସଭ୍ୟମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଡାକିବେ। ପରୋକ୍ଷ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହ ବାହାରକୁ ଆସିପାରିବେ ନାହିଁ। ଉପରୋକ୍ତ ପଦବି ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ସକାଳ ୧୦ଟା ୩୦ରୁ ୧୧ଟା ୩୦ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ସଂପୃକ୍ତ ପଦବି ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଭୋଟ୍‌ ଗ୍ରହଣ ପରେ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିସନର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର