ମୋ ଫିଲ୍ମକୁ ବୁଡ଼ାଇ ଦେଲ; ବଚ୍ଚନ ପାଣ୍ଡେ ଭଲ ବ୍ୟବସାୟ ନକରିବା ପରେ ଏଭଳି କହିଲେ ଅକ୍ଷୟ କୁମାର

ମୁମ୍ବାଇ: ରିଲିଜ ପରଠାରୁ ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଏହି ଫିଲ୍ମ ରିଲିଜର ୧୩ଦିନ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏବେ ବି ଭଲ ବ୍ୟବସାୟ କରିଚାଲିଛି। ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ୨ସପ୍ତାହ ପରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ୍ ହୋଇଥିବା ବେଳେ ‘ଦ କଶ୍ମୀର ଫାଇଲ୍ସ’ର ଲୋକପ୍ରିୟତା ପାଇଁ ‘ବଚ୍ଚନ ପାଣ୍ଡେ’ ଭଲ ବ୍ୟବସାୟ କରିପାରିନାହିଁ। ଏହାକୁ ଦେଖି ମୋ ଫିଲ୍ମକୁ ବୁଡ଼ାଇ ଦେଲ ବୋଲି କହିଛନ୍ତି ଅକ୍ଷୟ କୁମାର।

ଭୋପାଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅକ୍ଷୟ କୁମାର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ବକ୍ସ ଅଫିସରେ ଭଲ ବ୍ୟବସାୟ ନକରିବା ଏବଂ ‘ଦ କଶ୍ମୀର ଫାଇଲ୍ସ’ର ଚମତ୍କାର ଆୟ ବିଷୟରେ ନିଜର ପ୍ରତିକ୍ରିୟା ରଖିଥିଲେ। କେବଳ ଏତିକି ନୁହେଁ ଅକ୍ଷୟ କୁମାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ବିବେକଜୀ ‘ଦ କଶ୍ମୀର ଫାଇଲ୍ସ’ ତିଆରି କରି ଆମ ଦେଶର ଏକ ଯନ୍ତ୍ରଣାଦାୟକ ସତ୍ୟ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ଉପହାର ସ୍ୱରୂପ ଆସିଛି, ହେଲେ ଏହି ଫିଲ୍ମଟି ମୋ ଫିଲ୍ମକୁ ବୁଡ଼ାଇ ଦେଇଛି।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଅକ୍ଷୟ କୁମାର ସ୍ୱୀକାର କରିଛନ୍ତି ଯେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ତାଙ୍କ ‘ବଚ୍ଚନ ପାଣ୍ଡେ’ ରୋଜଗାରକୁ କ୍ଷତି ପହଞ୍ଚାଇଛି। ତଥାପି ସେ ଏହାକୁ ନେଇ ଖୁସି। ଅଭିନେତା କହିଛନ୍ତି, ‘ଦ କଶ୍ମୀର ଫାଇଲ୍ସ’କୁ ମିଳିଥିବା ସଫଳତାରେ ମୁଁ ବହୁତ ଖୁସି। ଏହା ହେଉଛି ସିନେମାର ଶକ୍ତି। ଫିଲ୍ମକୁ ହିଟ୍ କରିବାର କୌଣସି ସୂତ୍ର ନାହିଁ। ସବୁ ଦର୍ଶକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଅବଶ୍ୟ ମୁଁ ଚାହୁଁଥିଲି ବଚ୍ଚନ ପାଣ୍ଡେ ଭଲ ବ୍ୟବସାୟ କରୁ। କିନ୍ତୁ ତାହା ହେଲା ନାହିଁ ଏବଂ ମୁଁ ଏଥିପାଇଁ ‘ଦ କଶ୍ମୀର ଫାଇଲ୍ସ’କୁ ଦାୟୀ କରିବି ନାହିଁ। ଏହି ଚଳଚ୍ଚିତ୍ରଟି ଏକ ସୁନାମି ଅଟେ ।

ସମ୍ବନ୍ଧିତ ଖବର