ନୂଆ ମେଡିକାଲ କଲେଜ ପାଇଁ ପୁରୁଣା ଖାଲି

ଏସ୍‌ସିବି: ମାସକରେ ବଦଳି ହେଲେଣି ୨୬, ଆସିଛନ୍ତି ୪

କଟକ: ରାଜ୍ୟର ସବୁଠୁ ବଡ଼ ରେଫରାଲ ହସ୍ପିଟାଲ କୁହାଯାଉଥିବା ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ନୂଆ ମେଡିକାଲ କଲେଜ ପାଇଁ ଅଭିଜ୍ଞ ଡାକ୍ତରଙ୍କୁ ପଠାଯିବା ଘଟଣା ଏବେ ଏସ୍‌ସିବିରେ ଅଚଳାବସ୍ଥା ସୃଷ୍ଟିର କାରଣ ହୋଇଛି। ମାସକ ମଧ୍ୟରେ ୨୬ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ତାଙ୍କ ବଦଳରେ ମାତ୍ର ୪ଜଣ ଏସ୍‌ସିବିକୁ ଆସିଛନ୍ତି । ଏଥିସହିତ, ଏସ୍‌ସିବିରେ ଗଲା ଜାନୁଆରିରୁ ମାର୍ଚ୍ଚ ଭିତରେ ୩ଜଣ ବରିଷ୍ଠ ବିଶେଷଜ୍ଞ ଅବସରଗ୍ରହଣ କରିଛନ୍ତି। ଏସ୍‌ସିବିର ନେଫ୍ରୋଲୋଜି, ମାଇକ୍ରୋବାୟୋଲୋଜି, ଫିଜିଓଲୋଜି ବିଭାଗରେ କେହି ପ୍ରଫେସର ନାହାନ୍ତି। ଏଥିରେ ରାଜ୍ୟ ସ୍ବାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥାରେ କିଭଳି ଉନ୍ନତି ହେଉଛି ବୋଲି ପ୍ରଶ୍ନ ଉଠୁଛି।

ନେଫ୍ରୋଲୋଜି, ମାଇକ୍ରୋ‌ବାୟୋଲୋଜି, ଫାର୍ମାକୋ‌ଲୋଜି ବିଭାଗରେ ନାହାନ୍ତି ପ୍ରଫେସର୍‌

ସୂଚନା ଅନୁସାରେ, ମାର୍ଚ୍ଚ ୧୧ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କଲେଜ ଅଧ୍ୟାପକଙ୍କ ବଦଳି ଓ ପଦୋନ୍ନତି ତାଲିକା ପ୍ରକାଶ ପାଇଥିଲା। ଆସିଷ୍ଟାଣ୍ଟରୁ ଆସୋସିଏଟ୍‌ ପ୍ରଫେସର ଭାବେ ୧୬ ଜଣଙ୍କୁ ପଦୋନ୍ନତି ମିଳିଥିବାବେଳେ ୨୨ ଜଣଙ୍କୁ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଏସ୍‌ସିବିରୁ ୧୨ଜଣ ଆସୋସିଏଟ୍‌ ପ୍ରଫେସରରୁ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ବେଳେ, ୧୧ଜଣ ଆସିଷ୍ଟାଣ୍ଟ ପ୍ରଫେସରରୁ ଆସୋସିଏଟ୍‌ ପ୍ରଫେସରକୁ ପଦୋନ୍ନତି ପାଇଛନ୍ତି। ତେବେ ୧୧ଜଣ ଆସୋସିଏଟ୍‌ ପ୍ରଫେସର ପଦୋନ୍ନତି ପାଇଥିବା ଏସ୍‌ସିବିରୁ ୯ଜଣଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଆଦି ମେଡିକାଲ କଲେଜକୁ ବଦଳି କରାଯାଇଛି। ହେଲେ, ସେମାନଙ୍କ ବଦଳରେ କାହାରିକୁ ନିଯୁକ୍ତ କରାଯାଇନି। କେବଳ ୨ଜଣଙ୍କୁ ଏସ୍‌ସିବିରେ ପୁନଃ ଅବସ୍ଥାପିତ କରାଯାଇଛି।

ସେହିପରି; ୨ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ମଧ୍ୟ ବଦଳି କରାଯାଇଥିଲା, କିନ୍ତୁ ତାଙ୍କ ବଦଳରେ ଏସ୍‌ସିବି ପାଇଁ ମାତ୍ର ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୧୨ଜଣ ପ୍ରଫେସରଙ୍କର ପଦୋନ୍ନତି ସହ ବଦଳି କରାଯାଇଥିବାବେଳେ ତାଙ୍କ ବଦଳରେ ମାତ୍ର ୨ଜଣଙ୍କୁ ଏସ୍‌ସିବିକୁ ଅଣାଯାଇଛି। ବାକି ୧୦ଜଣଙ୍କୁ ବିଭିନ୍ନ ମେଡିକାଲ କଲେଜକୁ ବଦଳି କରାଯାଇଛି। ସେହିପରି ଆଜି ୧୨ଜଣ ଆସୋସିଏଟ୍‌ ପ୍ରଫେସରଙ୍କ ବଦଳି ତାଲିକା ବାହାରିଥିବା ବେଳେ ସେଥିରୁ ଏସ୍‌ସିବିର ୫ଜଣଙ୍କୁ କେନ୍ଦୁଝର ଓ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି। ସେମାନଙ୍କ ବଦଳରେ ଏସ୍‌ସିବିକୁ କାହାରିକୁ ଅଣଯାଇନାହିଁ।

ଏହି କାରଣରୁ ରୋଗୀ ଚିକିତ୍ସାଠାରୁ ଆରମ୍ଭକରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା, ଗବେଷଣା ଆଦି ସବୁ କିଛି ପ୍ରଭାବିତ ହେଉଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ନିଷ୍ପତ୍ତିର ପ୍ରତିବାଦ କରିଛି ଏସ୍‌ସିବି କନିଷ୍ଠ ଡାକ୍ତର ସଂଘ(ଜେଡିଏ)।

ଜୁନିୟର ଡାକ୍ତର ସଂଘର ସଭାପତି ଡାକ୍ତର ଅଭିଷେକ ବିଶ୍ୱାଳ, ଉପସଭାପତି ମାନସ ରଂଜନ ମାସଲ, ସାଧାରଣ ସଂପାଦକ ରାମ ନରେଶ ଯାଦବ, କୋଷାଧ୍ୟକ୍ଷ ଡାକ୍ତର ଦେବାଶିଷ ରଥ, ନିହାର ରଞ୍ଜନ ପତି ପ୍ରମୁଖ ଏଭଳି ଘଟଣାର ତୀବ୍ର ସମାଲୋଚନା କରିବା ସହିତ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

ଏମ୍‌କେସିଜି: ମାସକରେ ୨୧ ବିଶେଷଜ୍ଞଙ୍କୁ ବଦଳି

Odisha Bytes

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିକଳାଙ୍ଗ କରିଦେବାକୁ ସରକାରୀସ୍ତରରେ ମସୁଧା କରାଯାଉଥିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି। ଏହି ମେଡିକାଲ କଲେଜରୁ ମାସକ ମଧ୍ୟରେ ୨୧ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ବଦଳି କରାଯାଇଥିବ‌ାବେଳେ ଜଣଙ୍କୁ ବି ପୋଷ୍ଟିଂ କରାଯାଇନାହିଁ। ଏଥିସହିତ; ୩ ପ୍ରଫେସର୍‌, ୧୮ ଆସୋସିଏଟ୍‌ ପ୍ରଫେସର୍‌, ୧୫ ଆସିଷ୍ଟାଣ୍ଟ୍‌ ପ୍ରଫେସର ବି ପଦ ଖାଲି ରହିଛି।

ଗତ ମାର୍ଚ୍ଚ ୧୧ ତାରିଖରେ ଏମ୍‌କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନପୂରୁଣୁ ପୁଣିଥରେ ଏମ୍‌କେସିଜି ମେଡିକାଲରୁ ୮ଜଣ ଡାକ୍ତରଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ଏହି ବଦଳିକୁ ବିରୋଧ କରି ଏମ୍‌କେସିଜି ମେଡିକାଲ କଲେଜ ଜୁନିୟର୍‌ ଡାକ୍ତର ଆସୋସିଏସନ୍‌(ଜେଡିଏ) ତରଫରୁ ବିକ୍ଷୋଭ କରାଯାଇଥିଲା। ଗତ ମାର୍ଚ୍ଚ ୧୭ ସୁଦ୍ଧା ଏମ୍‌କେସିଜିରେ ୩୯ ପ୍ରଫେସରୁ ୩ଟି ପଦବି ଖାଲି ରହିଥିବା ବେଳେ ୮୧ ଆସୋସିଏଟ୍‌ ପ୍ରଫେସର ମଧ୍ୟରୁ ୧୮ଟି ଖାଲି ପଡ଼ିଛି। ସେହିପରି ୧୬୨ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବି ମଧ୍ୟରୁ ୧୫ଟି ଖାଲି ରହିଛି। ଏହାପରେ ପୁଣିଥରେ ୮ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ବଦଳି ହୋଇଛି। କିନ୍ତୁ ତାଙ୍କ ସ୍ଥାନରେ କେହି ନୂଆ ପୋଷ୍ଟିଂ ହୋଇନାହାନ୍ତି। ବିଭିନ୍ନ ମହଲରେ ଚାପ ସାଂଗକୁ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଧମକ ଯୋଗୁଁ ଏହି ବଦଳି ଆଦେଶକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କ୍ରମାଗତ ଭାବେ ଏମ୍‌କେସିଜି ମେଡିକାଲ କଲେଜରୁ ଡାକ୍ତରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ପୋଷ୍ଟିଂ କରାନଗଲେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧିତ ଖବର