ଭୁବନେଶ୍ବର: ଡ୍ରାଇଭର ମହାସଂଘର ଲକ୍ଷାଧିକ ସଦସ୍ୟ ରାଜଧାନୀରେ ଆନ୍ଦୋଳନ କରିବା ସହ ଆତଙ୍କରାଜ ଖେଳାଇବା ପ୍ରଥମ ଘଟଣା।ଏତେ ବଡ଼ ଘଟଣା ଘଟିଗଲା। କିନ୍ତୁ କାହାକୁ ଉତ୍ତରଦାୟୀ କରାଗଲା ନାହିଁ। ଏହି ଘଟଣା ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେବେ, କମିସନରେଟ ପୁଲିସ କେବଳ ସଂଘ ବିରୋଧରେ ତିନୋଟି ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ, କାହା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା? ୧୭ ତାରିଖ ରାତିରୁ ଆନ୍ଦୋଳନକାରୀମାନେ ରାଜଧାନୀକୁ ପ୍ରବେଶ କରିବେ ବୋଲି ଗୁଇନ୍ଦା ଚେତାଇଥିଲେ ମଧ୍ୟ କାହିଁକି ବ୍ୟାପକ ବନ୍ଦୋବସ୍ତ କରାଯାଇ ନ ଥିଲା? ହଜାର ହଜାର ଗାଡ଼ିରେ ଲକ୍ଷାଧିକ ଆନ୍ଦୋଳନକାରୀମାନେ ପଶି ଆସିଥିଲେ ମଧ୍ୟ କାହିଁକି ସେମାନଙ୍କୁ ଅଟକା ଯାଇପାରି ନ ଥିଲା? ଏହି ବିଫଳତା ପାଇଁ କିଏ ଦାୟୀ? ଆନ୍ଦୋଳନକାରୀଙ୍କୁ ରୋକିବା କାହାର ଦାୟିତ୍ବ ଥିଲା? ପୁଲିସ ଭୁଲ୍ ପାଇଁ ଲୋକ କାହିଁକି ଦଣ୍ଡ ଭୋଗିଲେ? ଜରୁରୀକାଳୀନ ସେବା କାହିଁକି ବାଧାପ୍ରାପ୍ତ ହେଲା? ସେହିପରି ଘଟଣାକୁ ନେଇ ବିରୋଧୀ ବି ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଲିସ ଅପାରଗତା କଥା ଉଠାଇଛନ୍ତି। ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସାଧାରଣ ଲୋକଙ୍କ ନଜର ରହିଛି।
ଡ୍ରାଇଭରଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ: ବିଜେପି
ଡ୍ରାଇଭର ମହାସଂଘର ହଜାର ହଜାର ସଦସ୍ୟ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ଉଭୟ ଗୁଇନ୍ଦା ଓ ପୁଲିସ ପାଖରେ ସ୍ପଷ୍ଟ ଖବର ଥିଲା। ଏପରିକି ଆନ୍ଦୋଳନକାରୀ ଡ୍ରାଇଭରମାନେ ବେଆଇନ କାର୍ଯ୍ୟ କରିବାର ସୂଚନା ମଧ୍ୟ ପୁଲିସ ପାଖରେ ଥିଲା। ହେଲେ ଏନେଇ ପୁଲିସ କିଛି ପଦକ୍ଷେପ ନେଲାନି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପଦାକୁ ଆସିବା ପରେ ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ଆଜି ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ ଅତୀତରେ କୃଷକମାନେ ତାଙ୍କ ଅଧିକାର ପାଇଁ ଭୁବନେଶ୍ବର ଆସୁଥିବାବେଳେ ତାଙ୍କୁ ବାଟରେ ଅଟକାଯାଇପାରିଲା, ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ମାଡ଼ ମରାଯାଇପାରିଲା, ମମିତା ମେହେର ଓ ପରୀ ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ମହିଳାଙ୍କୁ ମାଡ଼ ମରା ଯାଇପାରିଲା ହେଲେ ହଜାର ହଜାର ଡ୍ରାଇଭର ରାଜଧାନୀରେ ଧସେଇ ପଶିବେ ବୋଲି ଜାଣିବା ପରେ ପୁଲିସ କାହିଁକି ଚୁପ୍ ବସିଥିଲା?
ଦୁଇ ବର୍ଷ ପୂର୍ବରୁ ଡ୍ରାଇଭରମାନଙ୍କୁ ଏକାଠି କରି ଆନ୍ଦୋଳନ କରିବାର ଯୋଜନା କରାଯାଇଥିଲା। ତାଙ୍କୁ ଡ୍ରେସ କୋଡ୍ ଓ ଲୋଗୋ କିଏ ଦେଲା? ଆନ୍ଦୋଳନ ପାଇଁ ଡ୍ରାଇଭରଙ୍କୁ ପ୍ରୋତ୍ସାହନ କିଏ ଦେଇଥିଲା? ଲକ୍ଷ ଲକ୍ଷ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ରାଜଧାନୀକୁ ଆଣି ରାଜରାସ୍ତାରେ ଅଖଚଖ କିଏ ବନ୍ଦ କରିଥିଲା? ଆଇନଶୃଙ୍ଖଳା ପରିସ୍ଥତିକୁ ନିୟନ୍ତ୍ରଣ ବାହାରକୁ ନେଇ ନିରବଦ୍ରଷ୍ଟା ସାଜିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ? ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ସରକାର ପ୍ରାୟୋଜିତ ବୋଲି ଲେଖାଶ୍ରୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ଉପସ୍ଥିତ ଥିଲେ।