ମୃତ ପୁଅର ସଂରକ୍ଷିତ ଶୁକ୍ରାଣୁ ବ୍ୟବହାର କରି ଯାଆଁଳା ନାତି ପାଇବାରେ ସମର୍ଥ ହେଲେ ଦମ୍ପତି

ପୁଣେ: ପୁଣେଠାରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ମୃତ ପୁଅର ସଂରକ୍ଷିତ ଶୁକ୍ରାଣୁ ବ୍ୟବହାର କରି ଯାଆଁଳା ନାତି ପାଇବାରେ ସମର୍ଥ ହୋଇଛନ୍ତି ପୁତ୍ରହରା ଦମ୍ପତି। ଦମ୍ପତିଙ୍କର ୨୭ ବର୍ଷିଅ ପୁଅ ଗତ ୨ ବର୍ଷ ହେବ ବ୍ରେନ୍‌ ଟ୍ୟୁମର୍‌ରେ ମରି ସାରିଥିଲେ ବି ଦମ୍ପତି ସେହି ପୁଅ ଔରସରୁ ଜାତ ଦୁଇଟି ଯାଆଁଳା ପୁଅ ବା ତାଙ୍କର ଯାଆଁଳା ନାତିକୁ ହାତରେ ଧରିବା ପରେ ଆତ୍ମହରା ହୋଇପଡ଼ିଛନ୍ତି। ତେବେ, ଏହା ଆଇଭିଏଫ୍‌ ସରୋଗେସି ଦ୍ୱାରା ସମ୍ଭବ ହୋଇଛି ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୭ ବର୍ଷିଅ ଯୁବକ ଆରୁ(ଛଦ୍ମନାମ) ଯେତେବେଳ ଉଚ୍ଚ ଶିକ୍ଷା ପାଇଁ ୨୦୧୩ ମସିହାରେ ଜର୍ମାନିରେ ଥିଲେ ସେ ସମୟରେ ସେ ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ବୋଲି ଜାଣିବାକୁ ମିଳିଲା। ଡାକ୍ତରମାନେ ତାଙ୍କର କେମୋ ଥେରାପି ଦ୍ୱାରା ଚିକିତ୍ସା କରିବାକୁ ଚିନ୍ତା କଲେ। ଥରେ କେମୋ ଥେରାପି ପରେ ସେ ଆଉ ସନ୍ତାଜ ଜନ୍ମ କରିପାରିବେ ନାହିଁ ବୋଲି ଚିନ୍ତା କରି ଡାକ୍ତରମାନେ ତା’ପୂର୍ବରୁ ତାଙ୍କ ଶୁକ୍ରାଣୁକୁ ସେହି ବର୍ଷ ସେପ୍ଟେମ୍ବରରେ ଏକ ଶୁକ୍ରାଣୁ ବ୍ୟାଙ୍କ୍‌ରେ ସଂରକ୍ଷିତ କରି ରଖିଥିଲେ। ୨୦୧୬ ମସିହାରେ ତାଙ୍କ ଟ୍ୟୁମର୍‌ କର୍କଟର ରୂପ ନେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ପରେ ପୁଅର ଅଂଶ ପାଇବାକୁ ଇଚ୍ଛା କଲେ ବାପା-ମାଆ। ଆରୁଙ୍କ ୪୯ ବର୍ଷୀୟା ମାଆ ଯିଏକ ଜଣେ ଶିକ୍ଷୟିତ୍ରୀ, ସେ କହନ୍ତି ଯେ ତାଙ୍କ ପୁତ୍ର ଜଣେ ଆଦର୍ଶ ମଣିଷ। ସେ ଜଣେ ଉତ୍ତର ଛାତ୍ର ଥିଲେ। ଏପରିକି ତାଙ୍କ ବ୍ରେନ୍‌ ଟ୍ୟୁମର୍‌ ଚିକିତ୍ସା ସମୟରେ ତାଙ୍କୁ ଯେଉଁ କେମୋ ଦିଆଯାଉଥିଲା ସେଥିରେ ସେ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ, ମାତ୍ର ବିଶ୍ୱାସ ହରାଇ ନଥିଲେ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୃତ୍ୟୁ ସହ ସେ ଲଢ଼ିଛନ୍ତି। ନିଜର ମଜାକିଆ ଅନ୍ଦାଜରେ ସେ ସବୁବେଳେ ପରିବାର ଲୋକଙ୍କୁ ହସାଇ ହସାଇ ବେଦମ୍‌ କରୁଥିଲେ। ସେଇଥିପାଇଁ ଆରୁଙ୍କ ବାପାମାଆ ତାଙ୍କୁ ହରାଇ ଦେବା ପରେ ତାଙ୍କରି ଅଂଶରୁ ନାତି-ନାତୁଣୀ ପାଇବାର ନିଷ୍ପତ୍ତି ନେଇଥିଲେ।

ନିଷ୍ପତ୍ତ ନେବା ପରେ ଆରୁଙ୍କ ମାଆ ପୁଅର ଶୁକ୍ରାଣୁ ସଂରକ୍ଷିତ ଥିବା ଜର୍ମାନିର ବ୍ୟାଙ୍କ୍‌ ସହ ଯୋଗାଯୋଗ କରିଥିଲେ। ସେଠାରୁ ପୁଅର ଶୁକ୍ରାଣୁ ସଂଗ୍ରହ କରି ପୁଣେ-ଅହମ୍ମଦାବାଦ୍‌ ରୋଡରେ ଥିବା ସାୟଦରି ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶୁକ୍ରାଣୁକୁ ଜର୍ମାନରୁ ପୁଣେ ପର୍ଯ୍ୟନ୍ତ ଗତ ବର୍ଷ ଫେବ୍ରୁଆରିରେ ଚିକିତ୍ସା ସଂରକ୍ଷଣ ବକ୍ସରେ ପୂରାଇ ଅଣାଯାଇଥିଲା। ଆରୁଙ୍କ ମାଆ ନିଜ ପେଟରେ ତାହାକୁ ଧାରଣ କରିବାକୁ ଚାହିଁଥିଲେ। ମାତ୍ର ସାମନ୍ୟା ଅସୁବିଧା ଦେଖିବାକୁ ମିଳିଥିବାରୁ ତାଙ୍କର ଜଣେ ସଂପର୍କୀୟା ତାହାକୁ ଗର୍ଭରେ ଧାରଣ କରିଥଇଲେ। ତାଙ୍କର ସେ ସଂପର୍କୀୟା ଗର୍ଭବତୀ ବୋଲି ଜୁନ୍‌ରେ ଡାକ୍ତର ସ୍ପଷ୍ଟ କରାଇଥିଲେ। ରୀତିମତ ଚିକିତ୍ସା ପରେ ମହିଳା ଜଣକ ସୋମବାର ଦିନ ଏକଦମ ସୁସ୍ଥ ସବଳ ଦୁଇଟି ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏଠାରେ ଜଣାଇ ଦେଉଛୁ ଯେ ଏପରି ଘଟଣା ଦେଶରେ ପ୍ରଥମେ ହୋଇନାହିଁ। ପୂର୍ବରୁ ମଧ୍ୟ ୨-୩ଟି ପିଲା ଏପରି ଭାବେ ଜନ୍ମ ହୋଇଛନ୍ତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର