ସୋନିଆ ଗାନ୍ଧୀଙ୍କୁ ଇଡି ଜେରା କରିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରା
ରାଜମହଲ ଛକରେ ପୁଲିସ ସହ ଧସ୍ତାଧସ୍ତି, ଭିଡ଼ରେ ଫସିଲା ଆମ୍ବୁଲାନ୍ସ
ଭୁବନେଶ୍ବର : ନ୍ୟାସନାଲ୍ ହେରାଲ୍ଡ ଦୁର୍ନୀତି ମାମଲାରେ ଗୁରୁବାର ଦିନ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିବା ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଇଡି କାର୍ଯ୍ୟାଳୟ ଯିବା ସମୟରେ ରାଜମହଲ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାକୁ ବିରୋଧ କରି ସେଠାରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ସଭା କରିଥିଲେ। ପରେ ପୁଲିସ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। କଂଗ୍ରେସର ବିଶାଳ ଶୋଭାଯାତ୍ରାର ପ୍ରଭାବରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଫଳରେ ସଚିବାଳୟ ମାର୍ଗରେ ୨ଟି ଆମ୍ବୁଲାନ୍ସ ବହୁ ସମୟ ଧରି ଭିଡ଼ରେ ଫସି ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆ ଗାନ୍ଧୀଙ୍କୁ ସମନ କରିବା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପ୍ରତିହିଂସା ପରାୟଣ ରାଜନୀତିର ଏକ ସ୍ପଷ୍ଟ ଉଦାହରଣ। ୮ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବିଧାନିକ ଅନୁଷ୍ଠାନ ଓ ସମସ୍ତ ନିରପେକ୍ଷ ତଦନ୍ତକାରୀ ସଂସ୍ଥାକୁ ନିଜ ଇଙ୍ଗିତରେ ପରିଚାଳିତ କରୁଛି। ଏପରିକି ଏକ ସଂପୂର୍ଣ୍ଣ ମିଛ ମାମଲାରେ ଗାନ୍ଧୀ ଓ ନେହରୁ ପରିବାରକୁ ବଦନାମ କରିବା ପାଇଁ ମୋଦୀ ସରକାର ଅପଚେଷ୍ଟା କରୁଛି। କେନ୍ଦ୍ର ସରକାର ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଭୟ କରୁଛନ୍ତି। ତେଣୁ ମିଛ ମାମଲାରେ ଇଡି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ୨୦୧୪ ମସିହା ପୂର୍ବରୁ ନରେନ୍ଦ୍ର ମୋଦୀ ଓ ବିଜେପି ଭାରତ ବର୍ଷର ଜନଗଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ସବୁଥିରେ ବିଫଳ ହୋଇଛନ୍ତି। ସେହିପରି ଆଚ୍ଛେଦିନର ଡିଣ୍ଡିମ ପିଟୁଥିବା ବେଳେ ଦେଶରେ ଦରଦାମ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ବୋଲି ଦଳ ଅଭିଯୋଗ କରିଛି।
କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ବର ବେହେରା, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ପ୍ରମୁଖ କେନ୍ଦ୍ର ସରକାଙ୍କୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ଦାସରଥୀ ଗମାଙ୍ଗ, ଅଧିରାଜ ପାଣିଗ୍ରାହୀ, ସିଏସ୍ ରାଜନ ଏକ୍କା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମର ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ରବୀନ୍ଦ୍ର କୁମାର ସେଠୀ, ଯୁଧିଷ୍ଠିର ଜେନା, ବିଦ୍ୟାଧର ମହାନ୍ତି, ଲୋକନାଥ ମହାରଥୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରତ୍ନମଣୀ ଉଲ୍ଲାକା, ସୁରେଶଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ଦାସ, ନିମେଇଁ ସରକାର, ରବୀନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ସୁଜିତ୍ ପାଢ଼ୀ, ପ୍ରଭାତ ମହାପାତ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ହଳଧର ସେଠୀ, ଅଭିଷେକ ମହାନନ୍ଦ, ଅମୀୟ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ଅମିୟ ପାଣ୍ଡବ ଓ ତାରା ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।