କାଶୀପୁର ପ୍ରସଙ୍ଗ: କରୋନାରୁ ବର୍ତ୍ତିଗଲେ, କଲେରାରେ ଝଡ଼ିଗଲେ

ସ୍ବାମୀ, ପୁଅକୁ ହରାଇ କାନ୍ଦୁଛନ୍ତି ସାଲାଇ ମାଝି, ଝୋଡ଼ିଆ ସାହିରେ ବଢ଼ୁଛି ବେସାହାରା ପରିବାର ସଂଖ୍ୟା

ରାୟଗଡ଼ା,(ନବୀନ ଚନ୍ଦ୍ର ସାହୁ): ମହାମାରୀ କରୋନାରୁ ବର୍ତ୍ତି ଯାଇଥିଲେ। ମାରାତ୍ମକ କଲେରା କିନ୍ତୁ ଉଜାଡ଼ି ଦେଲା ପରିବାର। ଗତ ବର୍ଷ ସ୍ବାମୀ ଏବଂ ଚଳିତବର୍ଷ ଭେଣ୍ଡା ପୁଅକୁ ନେଇଗଲା ମହାମାରୀ। କାହାକୁ ନେଇ ବଞ୍ଚିବି ଜୀବନ…। ଘର ବାରଣ୍ଡାରେ ବସି ଉଭୟଙ୍କୁ ମନେପକାଇ ଏମିତି ଗୁମୁରି କାନ୍ଦୁଛନ୍ତି ଟିକିରି ଝୋଡ଼ିଆ ସାହିର ସାଲାଇ ମାଝି। ପରିବାରର ମେରୁଦଣ୍ଡ ତଥା ଦୁଇ ରୋଜଗାରିଆ ବ୍ୟକ୍ତିଙ୍କ ଜୀବନ ଅକାଳରେ ଚାଲିଯିବା ପରେ ଏବେ ନିଃସ୍ବ ହୋଇଯାଇଛି ସାଲାଇ ମାଝିଙ୍କ ପରିବାର। ପୂରା ପରିବାର ଉଜୁଡ଼ି ଯାଇଛି।

୨୦୨୧ ମସିହାରେ ସାଲାଇଙ୍କ ସ୍ବାମୀ ଗଜି ମାଝି କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଏବେ କଲେରା ବଡ଼ପୁଅ ଧୋବା ମାଝିଙ୍କୁ ଆରପାରିକୁ ନେଇଗଲା। ମୃତ ଧୋବାଙ୍କ ଦୁଇ ପୁଅ ସହ ପତ୍ନୀ ଥିବାବେଳେ ପରିଣତ ବୟସରେ ସାଲାଇ କେମିତି ପରିବାରର ୪ ପ୍ରାଣୀ କୁଟୁମ୍ବକୁ ସମ୍ଭାଳିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଦିନ ମଜୁରିଆ ଶ୍ରେଣୀର ଏହି ପରିବାରର ସମ୍ବଳ କହିଲେ ଝୁମ୍ପୁଡ଼ି ଘର ଖଣ୍ଡିକ। ନା ପେଟ ପୋଷିବାକୁ ଜମି ଅଛି। ନା ସରକାରଙ୍କ ପକ୍ଷରୁ ମିଳୁଛି ସୁବିଧା ସୁଯୋଗ। ଦୈନିକ ମଜୁରି ଖଟି ମୃତ ଧୋବା ଯାହା ଆଣୁଥିଲେ ସେଥିରେ ଚଳୁଥିଲା ତେଲ, ଲୁଣର ସଂସାର। ନିଜେ ଉଚ୍ଚଶିକ୍ଷିତ ହୋଇନଥିଲେ ମଧ୍ୟ ଦୁଇପୁଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବା ପାଇଁ ଶିଶୁ ମନ୍ଦିରରେ ନାମ ଲେଖାଇଥିଲେ। ହେଲେ, ଏହି ଗରିବ ପରିବାରର ସବୁ କିଛି ମହାମାରୀ ଧୂଳିସାତ୍‌ କରିଦେଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଧୋବାଙ୍କ ପତ୍ନୀ ଆଲମେ ମାଝି। ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ଏହି ପରିବାର ଉପକୃତ ହୋଇନଥିବା ଜଣା ପଡିଛି। ଯାହା ପରିବାରର ଦୁଃଖଭାରକୁ ଦ୍ବିଗୁଣିତ କରିଛି।
ସାଲାଇ ମାଝିଙ୍କ ପରି ଏମିତି ଅନେକ ପରିବାରକୁ ଉଜାଡ଼ି ଦେଇଛି କଲେରା ମହାମାରୀ। ଝୋଡ଼ିଆ ସାହିର ଚିନ୍ତାମଣି ଝୋଡ଼ିଆଙ୍କ ଝିଅ ସରୋଜିନୀ ଝୋଡ଼ିଆ (୨୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁପରେ ବଢ଼ିଛି ପରିବାରର ଦୁଃଖ ଭାର। ଚିନ୍ତାମଣିଙ୍କ ୪ ଝିଅ ମଧ୍ୟରୁ ବଡ଼ ଝିଅ ଥିଲେ ସରୋଜିନୀ। ଅନ୍ୟ ଦୁଇ ଝିଅ ପୂର୍ବରୁ ବାହା ହୋଇଛନ୍ତି। ସାନ ଝିଅ ଦିଲି ଝୋଡ଼ିଆ ବୟସ ଏବେ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ପିଲାଟି ଦିନରୁ ସମସ୍ତେ ମା’ ଛେଉଣ୍ଡ। ମା’ଙ୍କ ଅକାଳ ମୃତ୍ୟୁ ଏବଂ ବାପା ନିଶାସକ୍ତ ହୋଇ ପରିବାର କଥ‌ା ନ ବୁଝିବାରୁ ସରୋଜିନୀ ନିଜେ ବିବାହ ନ କରି ସଂସାର ବୋଝ ମୁଣ୍ଡାଇଥିଲେ। ଦୁଇ ଭଉଣୀଙ୍କୁ ବାହା କରିବା ସହ ସାନ ଭଉଣୀକୁ ମଧ୍ୟ ପାଠ ପଢ଼ାଉଥିଲେ। ଭଙ୍ଗା କୁଡ଼ିଆରେ ଦିନ ବିତୁଥିବା ଏହି ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିଲା। ଶେଷରେ ପରିବାରର ମେରୁଦଣ୍ଡ ସାଜିଥିବା ସରୋଜିନୀଙ୍କ ମହାମାରୀରେ ମୃତ୍ୟୁ ଏହି ପରିବାରକୁ ଛାରଖାର କରିଦେଇଛି।

ସେହିପରି କଲେରାରେ ଆଖି ବୁଜିଥିବା ଅଞ୍ଜନ ଝୋଡ଼ିଆ (୧୬)ଙ୍କ ପରିବାର ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି। ପରିବାରରେ ବିଧବା ମା ସହିତ ଚାରି କୁଟୁମ୍ବ ରହିଥିବା ବେଳେ କେବଳ ମା ବାଲି ଝୋଡ଼ିଆଙ୍କୁ ହିଁ ମାସକୁ ୫ କିଲୋ ଚାଉଳ ମିଳୁଛି। ମୃତକଙ୍କ ପରିବାର ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। କଲେରାରେ ପ୍ରାଣ ହରାଇଥିବା କୁମ ଝୋଡ଼ିଆଙ୍କ ମଝିଆ ଝିଅ ରଜନୀ ଝୋଡ଼ିଆ (୧୩) ମାନସିକ ଅନଗ୍ରସର। କିନ୍ତୁ ରଜନୀଙ୍କୁ ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭତ୍ତା ମିଳିପାରିନି। କଲେରାରେ ଏମିତି ଅନେକ ଗରିବ ଗୁରୁବାଙ୍କ ମୁଣ୍ଡ ଗଡ଼ି ଥିବାରୁ ଟିକିରି ଝୋଡ଼ିଆ ସାହି ସମେତ ଅନ୍ୟ ଆକ୍ରାନ୍ତ ଗ୍ରାମରେ ଅସହାୟ ପରିବାର ସଂଖ୍ୟା ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର