୨୦୦ କୋଟିର ହେରଫେର ମାମଲା: ଜେକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଅଭିଯୁକ୍ତ ତାଲିକାରେ ଆସିବ

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ଜଡ଼ିତ ଥିବା ୨୦୦ କୋଟିର ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ତାଲିକାରେ ବଲିଉଡ୍ ଅଭିନେତ୍ରୀ ଜେକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଆସିବ ବୋଲି ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସୂଚନା ଅନୁସାରେ ଅଭିନେତ୍ରୀ ଅର୍ଥ ହେରଫେର ବିଷୟରେ ସଚେତନ ଥିଲେ। ଇତିମଧ୍ୟରେ ଇଡି ଅଭିନେତ୍ରୀଙ୍କର ୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ମାମଲାରେ ବୁଧବାର ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ (ପ୍ରିଭେନ୍ସନ ଅଫ୍ ମନିଲଣ୍ଡରିଂ ଆକ୍ଟ) କୋର୍ଟରେ ଇଡି ଏକ ଅତିରିକ୍ତ ଚାର୍ଜସିଟ ଦାଖଲ କରିବା ଆଶା କରାଯାଉଛି। ତେବେ କେତେକ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏଥିରେ ଅଭିଯୁକ୍ତ ଭାବେ ଫର୍ଣ୍ଣାଣ୍ଡିଜଙ୍କ ନାମ ଉଲ୍ଲେଖ କରାଯାଇଛି। ଏ ବିଷୟରେ ଜାଣିବା ପରେ ଜେକ୍‌ଲିନ ଫର୍ଣ୍ଣାଣ୍ଡିଜ ବିବ୍ରତ ହୋଇପଡ଼ିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି- ମୁଁ କି ଭୁଲ୍ କଲି? ସେ କହିଛନ୍ତି ଯେ, ସୁକେଶ ଚନ୍ଦ୍ରଶେଖର ତାଙ୍କୁ ଉପହାର ଦେଇଥିବା କଥା ସେ ଇଡି ଆଗରେ ମାନିଯାଇଛନ୍ତି। କିନ୍ତୁ ମନିଲଣ୍ଡରିଂ ବିଷୟରେ ସେ କିଛି ଜାଣି ନଥିବା କହିଛନ୍ତି। ଇଡିର କହିବା ଅନୁସାରେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀଙ୍କୁ ୫.୭୧ କୋଟି ଟଙ୍କାର ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର