ଅବକାରୀ ମହିଳା କନେଷ୍ଟବଳଙ୍କୁ ପୁଲିସ କନେଷ୍ଟବଳ ଦୁଷ୍କର୍ମ ମାମଲା: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ଜୟପୁର: ଜୟପୁର ଟାଉନ ଥାନା ଅଂଚଳରେ ଗତ ୨୦୨୧ମସିହାରେ ବହୁ ଚର୍ଚ୍ଚିତ ଅବକାରୀ କନେଷ୍ଟବଳଙ୍କୁ ପୁଲିସ କନେଷ୍ଟବଳ ଦୁଷ୍କର୍ମ ମାମଲାରେ ପୁଲିସ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଦେଇ ନ ପାରିବାରୁ ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା ଅଦାଲତର ବିଚାରପତି ଅଞ୍ଜଳୀ ମାଛଖଣ୍ଡ ଅଭିଯୁକ୍ତ ପୁଲିସ କନେଷ୍ଟବଳ ସଦାନନ୍ଦ ମାଣ୍ଡିଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ୨୦୧୯-୨୦୨୦ମସିହାରେ ମହିଳା ଅବକାରୀ କନେଷ୍ଟବଳ ଓ ପୁଲିସ କନେଷ୍ଟବଳ ସଦାନନ୍ଦ ମାଣ୍ଡିଆଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ବିବାହ କରିବାର ମିଥ୍ୟା ପ୍ରତିଶ୍ରୃତି ଦେଇ ଅଭିଯୁକ୍ତ ପୁଲିସ କନେଷ୍ଟବଳ ସଦାନନ୍ଦ ମହିଳା ଅବକାରୀ କନେଷ୍ଟବଳଙ୍କ ଇଛା ବିରୋଧରେ ଜୀବନରେ ମାରିବାକୁ ଡରାଇ ଧମକ ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖି ଆସୁଥିଲେ। ଏପରିକି ୨ଥର ଗର୍ଭପାତ ବି ଅଭିଯୁକ୍ତ ସଦାନନ୍ଦ କରାଇଥିଲେ।

ଗତ ୨୦୨୧ମସିହା ଅକ୍ଟୋବର ୨୧ତାରିଖ ଦିନ ମହିଳା ଅବକାରୀ କନେଷ୍ଟବଳ ଜଣକ ଅଭିଯୁକ୍ତ ସଦାନନ୍ଦଙ୍କ ବିରୋଧରେ ଜୟପୁର ଟାଉନଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୭୬(୨)(ଏଲ),୩୧୩,୩୨୩,୫୦୬ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ କନେଷ୍ଟବଳ ସଦାନନ୍ଦଙ୍କୁ ଗିରଫ କରିଥିଲେ। ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ କୋର୍ଟରେ ୮ଜଣଙ୍କର ସାକ୍ଷ୍ୟ ନିଆଯାଇଥିଲା।

ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା ଅଦାଲତର ବିଚାରପତି ଅଞ୍ଜଳୀ ମାଛଖଣ୍ଡ ଅଭିଯୁକ୍ତ ପୁଲିସ କନେଷ୍ଟବଳ ସଦାନନ୍ଦ ମାଣ୍ଡିଆଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଆରକେ ପାତ୍ର, ପିଣ୍ଟୁ ମାଝୀ, ଡି.ଏସ ରାଓ, ରବି ମାଝୀ, ବିଭୁତି ମହାପାତ୍ର, ସନ୍ତୋଷ ସାମଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର