ଚାପଗ୍ରସ୍ତ ଏମ୍ସ ପେଟ୍ ସିଟି ସ୍କାନ ମେସିନ, ମିଳୁଛି ମା‌ସେ ପରର ତାରିଖ

ଭୁବନେଶ୍ବର: ଏମ୍ସକୁ କେବେ ଆସିବ ପେଟ୍ ସିଟି ସ୍କାନ୍‌ର ସହାୟକ ସାଇକ୍ଲୋଟ୍ରୋନ ମେସିନ। ରାଜ୍ୟରେ ବଢୁଥିବା କର୍କଟ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବର୍ଷାଧିକ ସମୟ ପୂର୍ବରୁ ହିଁ ଏହି ମେସିନ କିଣିବା ପାଇଁ ଏମ୍ସ ଚେଷ୍ଟା କରିଥିଲା। ମାତ୍ର ଟେଣ୍ଡର ଫେଲ୍‌ ମାରିଥିଲା। ଗତବର୍ଷ ସାଇକ୍ଲୋଟ୍ରୋନ ମେସିନ ପାଇଁ ଆଉ ଥରେ ଟେଣ୍ଡର ଆହ୍ବାନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଝୁଲି ରହିଛି। ଏଥିଯୋଗୁଁ ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ଏମ୍ସରେ ପେଟ୍ ସିଟି ସ୍କାନ ପାଇଁ ରୋଗୀଙ୍କୁ ଅନ୍ୟୁନ ୧ ମାସ ଅପେକ୍ଷା କରିବାକୁ ପଡ଼ୁଛି। ଏହି ସାଇକ୍ଲୋଟ୍ରୋନ ମେସିନ ଆସିଲେ ଏମ୍ସ ସହିତ ଏସସିବି ପେଟ୍ ସିଟି ସ୍କାନ ପାଇଁ ମଧ୍ୟ ସହାୟକ ହୋଇପାରିବ। ଏପରିକି ଆଗାମୀ ଦିନରେ ଭିମସାର୍‌, ଏମ୍‌କେସିଜି କିମ୍ବା ରାଜ୍ୟର ଯେକୌଣସି ସରକାରୀ ଡାକ୍ତରଖାନାକୁ ପେଟ୍ ସିଟି ସ୍କାନ ମେସିନ ଆସିଗଲେ, ଏହାର ପରୀକ୍ଷଣ ପାଇଁ ସମସ୍ୟା ସୃଷ୍ଟି ହେବ ନାହିଁ।

ଓଡ଼ିଶାକୁ କେବେ ଆସିବ ସାଇକ୍ଲୋଟ୍ରୋନ ମେସିନ୍‌
ବର୍ଷେ ହେଲା ଝୁଲିଛି ଟେଣ୍ଡର
ବଢୁଛି କର୍କଟ ରୋଗୀଙ୍କ ସଂଖ୍ୟା

କର୍କଟ ଚିକିତ୍ସା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ପେଟ୍ ସିଟି ସ୍କାନ ମେସିନ। ଏଥିଜରିଆରେ କର୍କଟ ରୋଗ ଚିହ୍ନଟ ସହିତ ଚିକିତ୍ସାର ପ୍ରଭାବ ଏବଂ ରୋଗର ସ୍ତର ଜଣାପଡ଼େ। ଘରୋଇ ଡାକ୍ତରଖାନା ଏହି ପରୀକ୍ଷଣ ପାଇଁ ୨୫ ହଜାରରୁ ଊର୍ଧ୍ବ ଟଙ୍କା ନିଅନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ କାର୍ଯ୍ୟକ୍ଷମ ହୋଇଥିବା ପେଟ୍ ସିଟି ସ୍କାନ ପାଇଁ ଏମ୍ସ ମାତ୍ର ୭୫୦୦ ଟଙ୍କା ନେଉଛି। ଏଥିଯୋଗୁଁ ୧୨୦୦ରୁ ଊର୍ଧ୍ବ ରୋଗୀ ଏହାର ଲାଭ ନେଇ ସାରିଛନ୍ତି। ଆହୁରି ୧୫୦ ରୋଗୀ ଏଥିପାଇଁ ଅପେକ୍ଷା କରିଛନ୍ତି। ପ୍ରତିଦିନ ଏହାର ଲାଭ ନେବା ପାଇଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁସାରେ, ପେଟ୍ ସିଟି ସ୍କାନ ମେସିନ ଚଳାଇବା ପାଇଁ ଆବଶ୍ୟକ ଟ୍ରେସର ଓଡ଼ିଶାରେ ମିଳେ ନାହିଁ। ଏମ୍ସ ଏହା ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦରୁ ମଗାଏ। ପ୍ରତିଦିନ ପ୍ରାୟ ୧୦ରୁ ୧୨ ପେଟ୍ ସିଟି ସ୍କାନ କରିବା ପରେ ଏହି ଟ୍ରେସର ସରିଯାଏ। ତେଣୁ ଡାକ୍ତର ଚାହିଁଲେ ମଧ୍ୟ ଅଧିକ ସ୍କାନିଂ କରିପାରନ୍ତି ନାହିଁ।

ଟ୍ରେସର ପାଇଁ ସାଇକ୍ଲୋଟ୍ରୋନ ଆବଶ୍ୟକ। ଏମ୍ସର ନିଜ ପାଖରେ ସାଇକ୍ଲୋଟ୍ରୋନ ରଖିଲେ, ଆଉ ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ୧୦ ବଦଳରେ ଅନ୍ୟୁନ ୨୦ରୁ ଅଧିକ ପେଟ୍ ସିଟି ସ୍କାନ କରାଯାଇପାରିବ ବୋଲି ଏମ୍ସ ଡାକ୍ତରମାନେ ମତ ଦିଅନ୍ତି। ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତିବର୍ଷ ହାରାହାରି ପ୍ରାୟ ୫୦ ହଜାର ନୂଆ କର୍କଟ ରୋଗୀ ଥାଆନ୍ତି। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କର୍କଟ ରୋଗୀ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଶ୍ରମଜୀବୀ।

ଏମ୍ସରେ ଉଭୟ ପୁରୁଣା ଏବଂ ନୂଆ ରୋଗୀଙ୍କୁ ମିଶାଇ ଏଠାରେ ପ୍ରାୟ ୭୫ ହଜାର କର୍କଟ ରୋଗୀ ଚିକିତ୍ସିତ ହୋଇଛନ୍ତି। ଏଥିସହିତ କଟକସ୍ଥିତ ଆଚାର୍ଯ୍ୟ ହରିହର, ବୁର୍ଲା ଏବଂ ବ୍ରହ୍ମପୁରରେ ମଧ୍ୟ ଚିକିତ୍ସା ହେଉଛି। ସରକାରୀ ସ୍ତରରେ ମାତ୍ର କିଛି ମାସ ପୂର୍ବରୁ ହିଁ ଏମ୍ସରେ ପେଟ୍ ସିଟି ସ୍କାନ ମେସିନ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଏହି କ୍ଷେତ୍ରରେ ଘରୋଇ ଡାକ୍ତରଖାନାଗୁଡ଼ିକର ଏକଛତ୍ରବାଦ ରହିଥିଲା। ଏହାର ଫାଇଦା ସେମାନେ କିଭଳି ଉଠାଉଥିଲେ, ଦେୟ ବ୍ୟବସ୍ଥା ଦେଖିଲେ ସ୍ପଷ୍ଟ ଜଣାପଡ଼େ।

ଏମ୍ସ ରେ ଏହି ମେସିନ କାର୍ଯ୍ୟକ୍ଷମ ହେଲେ ମଧ୍ୟ ସାଇକ୍ଲୋଟ୍ରୋନ ଅଭାବରୁ ଅତି ସୀମିତ ସଂଖ୍ୟକ ରୋଗୀଙ୍କ ଆବଶ୍ୟକତା ପୂରଣ କରୁଛି। ସୋମବାର ଠାରୁ ଏସ୍‌ସିବିରେ ମାଗଣାରେ ପେଟ୍ ସିଟି ସ୍କାନ ମେସିନ କାର୍ଯ୍ୟକ୍ଷମ ହେଲେ ଆଉ କିଛି ରୋଗୀ ଲାଭ ପାଇଲେ ମଧ୍ୟ ତାହା ମଧ୍ୟ ବିରାଟ ସଂଖ୍ୟାର ଆବଶ୍ୟକତାକୁ ପୂରଣ କରିପାରିବନାହିଁ। ଭିମସାର୍‌, ଏମ୍‌କେସିଜିରେ ମଧ୍ୟ ପେଟ୍ ସିଟି ସ୍କାନ ମେସିନର ନିହାତି ଆବଶ୍ୟକତା ରହିଛି। ଏଥିପାଇଁ ଓଡ଼ିଶାକୁ ସାଇକ୍ଲୋଟ୍ରୋନ ମେସିନ ଦରକାର। ଏମ୍ସ ଏହା ପୂରଣ କଲେ କର୍କଟ ଚିକିତ୍ସା କ୍ଷେତ୍ରରେ ବଡ଼ ଭୂମିକା ନେଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏମ୍‌ସ ଓ କୃତ୍ରିମ ଆଣ୍ଠୁ ଉପକରଣ ଯୋଗାଣ କମ୍ପାନି ମଧ୍ୟରେ ସମସ୍ୟା

ଏମ୍‌ସ ଓ ଆଣ୍ଠୁ ପ୍ରତିରୋପଣ ଉପକରଣ ଯୋଗାଣ କମ୍ପାନି ମଧ୍ୟରେ ସମସ୍ୟା ଯୋଗୁଁ ରୋଗୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଅସ୍ତ୍ରୋପଚାର ପାଇଁ ଘଣ୍ଟାଘଣ୍ଟା ଧରି ଭୋକରେ ଅପେକ୍ଷା କରିବା ପରେ ମଧ୍ୟ ଉପକରଣ ଠିକ୍‌ ସମୟରେ ପହଞ୍ଚି ପାରୁ ନଥିବାରୁ ରୋଗୀ ଓ ପରିଜନ କଷ୍ଟ ଭୋଗୁଛନ୍ତି। ତେବେ କିଛି ଦିନ ତଳେ ଏ ସମସ୍ୟା ଥିଲା, ଏବେ କିନ୍ତୁ ସବୁ ସ୍ବାଭାବିକ ହୋଇଯାଇଛି ବୋଲି ଏମ୍‌ସ ପକ୍ଷରୁ କୁହାଯାଉଛି।

ସୂଚନା ଅନୁଯାୟୀ, ଆଣ୍ଠୁ ପ୍ରତିରୋପଣ ଚିକିତ୍ସାରେ ଏମ୍ସର ନାଁ ଅଛି। ଏଥିଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ରୋଗୀ ଏଠାକୁ ଆସିଥାଆନ୍ତି। କିଛି ଦିନ ତଳେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଜଣେ ବରିଷ୍ଠ ନାଗରିକ ଆଣ୍ଠୁ ପ୍ରତିରୋପଣ ପାଇଁ ଏମ୍‌ସ ଆସିଥିଲେ। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଡାକ୍ତର ଖାଲି ପେଟରେ ରହିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ, ରୋଗୀ ଅସ୍ତ୍ରୋପଚାର ଦିନ ସକାଳୁ ଭୋକରେ ମଧ୍ୟ ରହିଲେ। ଡାକ୍ତର ମଧ୍ୟ ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଥିଲେ।

ଅସ୍ତ୍ରୋପଚାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ
ଯୋଗାଣ ସ୍ବାଭାବିକ ହେଲାଣି: ଏମ୍ସ

ମାତ୍ର ଆଣ୍ଠୁ ପ୍ରତିରୋପଣ ବାବଦରେ ଲକ୍ଷାଧିକ ଟଙ୍କା ଦେୟ ଦାଖଲ କରାଯାଇଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଏହି ଉପକରଣ ପହଞ୍ଚି ପାରିଲା ନାହିଁ। ଫଳରେ ଦିନତମାମ ରୋଗୀଜଣକ ଅସ୍ତ୍ରୋପଚାର କକ୍ଷରେ ଅପେକ୍ଷାରେ ରହିଲେ ମଧ୍ୟ ଉପକରଣ ଆସିଲା ନାହିଁ କିମ୍ବା ତାଙ୍କର ଅସ୍ତ୍ରୋପଚାର ହୋଇପାରିଲା ନାହିଁ। ଖାଲି ଏ ଜଣେ ନୁହେଁ, ଏମିତି ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏମ୍ଓ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ସୁଜିତ୍‌ ତ୍ରିପାଠୀ କିହଛନ୍ତି ଯେ କିଛି ଦିନ ପାଇଁ କମ୍ପାନି ଓ ଏମ୍‌ସ ମଧ୍ୟରେ ସମସ୍ୟା ଥିଲା। କିନ୍ତୁ ବର୍ତ୍ତମାନ ଉପକରଣ ଯୋଗାଣ ସ୍ବାଭାବିକ ହୋଇସାରିଛି।

ସମ୍ବନ୍ଧିତ ଖବର