ଅମେରିକୀୟ ପର୍ଯ୍ୟଟକଙ୍କ ଅନୁରୋଧରେ ସେମାନଙ୍କ ଫଟୋ ଉଠାଇଥିଲେ ରାଣୀ ଏଲିଜାବେଥ

ଲଣ୍ଡନ : ଇଂଲଣ୍ଡର ରାଣୀ ଏଲିଜାବେଥ୍-ଦ୍ବିତୀୟଙ୍କ ପରଲୋକ ପରେ ତାଙ୍କ ସମ୍ପର୍କରେ କେତେକ ରୋଚକ ସତକଥା ଏବେ ଶୁଣିବାକୁ ମିଳୁଛି। ସେଥିମଧ୍ୟରୁ ଗୋଟିଏ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଡିକ୍ ଗ୍ରିଫିନ ପ୍ରକାଶ କରିଛନ୍ତି।

ପାଖାପାଖି ୨୦୦୫ ମସିହାର କଥା । ଏକ ଅପରାହ୍ଣରେ ରାଣୀ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଡିକ୍ ଗ୍ରିଫିନଙ୍କ ସହ ବାଲମୋରାଲ ରାଜପ୍ରାସାଦ ନିକଟରେ ପାହାଡ଼ ଉପରେ ପଦଚାରଣା କରୁଥିଲେ। ଦୁଇଜଣ ପର୍ଯ୍ୟଟକ ସେମାନଙ୍କ ଆଡ଼କୁ ଆସିଲେ ଏବଂ କଥାବାର୍ତ୍ତା ଆରମ୍ଭ କଲେ।

ଗ୍ରିଫିନଙ୍କ କହିବା ଅନୁସାରେ ସେମାନେ ଥିଲେ ଛୁଟି କଟାଇବାକୁ ଆସିଥିବା ଦୁଇଜଣ ଆମେରିକୀୟ। ସେମାନେ ରାଣୀଙ୍କୁ ଚିହ୍ନିପାରି ନ ଥିଲେ। ଜଣେ ଆମେରିକୀୟ ଭଦ୍ରବ୍ୟକ୍ତି ରାଣୀଙ୍କୁ କହିଲେ ସେମାନେ କେଉଁଠୁ ଆସିଛନ୍ତି ଏବଂ ଏହାପରେ ବ୍ରିଟେନର କେଉଁଠିକି ଯିବେ।

ତା’ପରେ ସେମାନେ ରାଣୀଙ୍କୁ ପଚାରିଲେ- ଆପଣ କେଉଁଠି ରହନ୍ତି?

ରାଣୀ ଉତ୍ତର ଦେଲେ- ହଁ, ମୁଁ ଲଣ୍ଡନରେ ରହେ କିନ୍ତୁ ଏଇ ପାହାଡ଼ ସେପଟେ ମୋର ଗୋଟିଏ ହଲିଡେ ହୋମ୍ ଅଛି।

ଆମେରିକୀୟ ଭଦ୍ରବ୍ୟକ୍ତି ଜଣକ ପଚାରିଲେ- ଆପଣ କେବେଠାରୁ ଏଠିକି ଆସୁଛନ୍ତି?

ରାଣୀ କହିଲେ- ମୁଁ ଯେତେବେଳେ ଛୋଟ ପିଲା ଥିଲି, ମାନେ ଆଜକୁ ପ୍ରାୟ ୮୦ ବର୍ଷ ହେଲା ଏଠାକୁ ଆସୁଛି।

ସେମାନେ ପୁଣି ପଚାରିଲେ – ଯଦି ଆପଣ ୮୦ ବର୍ଷ ହେଲା ଆସୁଛନ୍ତି, ତେବେ ଆପଣ ରାଣୀଙ୍କୁ ଭେଟିଥିବେ?

ରାଣୀ ସଂଗେ ସଂଗେ ଉତ୍ତର ଦେଲେ- ମୁଁ ଭେଟିନି, ତେବେ ଏଇ ଡିକ୍ ଗ୍ରିଫିନ ଏଠି ତାଙ୍କୁ ସବୁଦିନ ଭେଟନ୍ତି।

ତା’ପରେ ପର୍ଯ୍ୟଟକ ଜଣକ ଗ୍ରିଫିନଙ୍କୁ ପଚାରିଲେ- ରାଣୀ ଜଣେ ବ୍ୟକ୍ତି ହିସାବରେ କିପରି ଲୋକ?

ଗ୍ରିଫିନ ଜାଣିଶୁଣି କହିଲେ- ସେ ଟିକେ ଚିଡ଼ିଚିଡ଼ା ଓ ବଦମିଜାଜୀ ଲୋକ କିନ୍ତୁ ତାଙ୍କର ରସବୋଧ (ସେନ୍ସ ଅଫ୍ ହ୍ୟୁମର) ବହୁତ ଭଲ।

ତା’ପରେ ଲୋକଟି ଗ୍ରିଫିନଙ୍କ ପାଖକୁ ଆସି ତାଙ୍କ କାନ୍ଧରେ ହାତ ପକାଇ ଠିଆହେଲେ ଏବଂ ତାଙ୍କ କ୍ୟାମେରାଟି ରାଣୀଙ୍କ ହାତକୁ ବଢ଼ାଇ କହିଲେ- ଟିକେ ଆମ ଦୁଇଜଣଙ୍କର ଗୋଟିଏ ଫଟୋ ଉଠାଇଦେବେ?

ରାଣୀ ଫଟୋ ଉଠାଇବା ପରେ ଗ୍ରିଫିନ ରାଣୀଙ୍କ ହାତରୁ କ୍ୟାମେରା ନେଇ ରାଣୀଙ୍କ ସହ ସେ ଦୁଇଜଣଙ୍କର ଫଟୋ ବି ଉଠାଇଲେ। ତା’ପରେ ରାଣୀ ହାତ ହଲାଇ ଦୁଇଜଣଙ୍କୁ ଗୁଡ଼୍ ବାୟ କହି ବିଦାୟ ଦେଲେ। କିନ୍ତୁ ନିଜର ପରିଚୟ ଦେଲେ ନାହିଁ।

ଏହାପରେ ରାଣୀ ଗ୍ରିଫିନଙ୍କୁ କହିଥିଲେ- ମୁଁ ଅଦୃଶ୍ୟ ପର୍ଯ୍ୟବେକ୍ଷକ (ଫ୍ଲାଇ ଅନ୍ ଦ ୱାଲ୍) ଭାବେ ରହିବାକୁ ଚାହେଁ। ଯେତେବେଳେ ସେ ଏ ଫଟୋଗୁଡ଼ିକୁ ନେଇ ଆମେରିକାରେ ଦେଖାଇବେ, କେହି ଜଣେ ନିଶ୍ଚୟ କହିବେ ଏ ‌ଫଟୋ ମୋର ବୋଲି।

ସମ୍ବନ୍ଧିତ ଖବର