ଆଜି ଶକ୍ତି ପ୍ରଦର୍ଶନ: ରାଜଧାନୀ‌ ଜନତା ମଇଦାନରେ ବିଜେପିର ସମାବେଶ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେ.ପି. ନଡ୍ଡା, ବରମୁଣ୍ଡା ପଡ଼ିଆରେ ମନ୍ତ୍ରଣା କରିବେ ବିଜେଡି ନେତା

ଭୁବନେଶ୍ବର: ଗୁରୁବାର ଦିନ ରାଜଧାନୀର ରାଜନୀତି ସରଗରମ ହେବ। ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ। ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏଥିରେ ଯୋଗ ଦେବେ। ବିଜେପିକୁ ଟକ୍କର ଦେବା ପାଇଁ ବିଜେଡି ବି ଅଣ୍ଟା ଭିଡ଼ିଛି। ବଡ଼ ସମାବେଶ ନ କରି ସାଂଗଠନିକ ଶକ୍ତି ପ୍ରଦର୍ଶନ କରିବାକୁ ଏକ ତାଲିମ ଶିବିର ଆୟୋଜନ କରୁଛି। ପଦଯାତ୍ରା ପ୍ରସ୍ତୁତି ନାଁରେ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ମନ୍ତ୍ରଣା ଚାଲିବ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶା ‌ଦଖଲ କରିବ ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଦଳର ବରିଷ୍ଠ ନେତା, ପଦାଧିକାରୀଙ୍କ ସହ ଆଲୋଚନା କରିବା ଏବଂ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ନଡ୍ଡାଙ୍କ ଓଡ଼ିଶା ଗସ୍ତରୁ ବିଜେପିର ୨୦୨୪ ରଣନୀତି ପ୍ରସ୍ତୁତ ହେଉଛି, ତାହାର ଝଲକ୍ ଦେଖାଇବା ପାଇଁ ନଡ୍ଡାଙ୍କ ପାଇଁ ଏକ ବିଶ୍ବାଳ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିମାନବନ୍ଦରରୁ ଏକ ବାଇକ୍‌ ରାଲିରେ ନଡ୍ଡାଙ୍କୁ ପାର୍ଟି ମୁଖ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ। ସେଠାରେ ସେ ଦଳର ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ୧୫ରେ ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବେ। ସମାବେଶ ପରେ ଦଳ କାର୍ଯ୍ୟାଳୟରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ବିଷୟରେ ଆଲୋଚନା କରିବେ। ରାତି ୮ଟାରେ ପୁରୀ ଅଭିମୁଖେ ଯିବେ। ପୁରୀରେ ଅଠରନଳା ଠାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ରାତିରେ ପୁରୀରେ ରହିବେ। ସକାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦିବଙ୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କୁ ସମବେଦନା ଜଣାଇବା ପାଇଁ ହେଲିକପ୍ଟର ଯୋଗେ ଧାମନଗର ଅଭିମୁଖେ ଯିବେ। ଧାମନଗରରୁ ଫେରି ଅଡସପୁରସ୍ଥିତ ଏସ୍‌ଭିନିରତାର୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରୁ ଫେରି ଜନତା ମଇଦାନରେ ଆୟୋଜିତ ସଂ‌ଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବେ। କେଉଁ ମୋର୍ଚ୍ଚାର କ’ଣ ଦାୟିତ୍ବ ରହିବ ସେନେଇ ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।

ଅକ୍ଟୋବର ୨ ତାରିଖରୁ ବିଜେଡିର ମାସେ ବ୍ୟାପୀ ପଦଯାତ୍ରା ଆରମ୍ଭ ହେବ। ଏହାକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର ବରମୁଣ୍ଡା ପଡ଼ିଆରେ ଆୟୋଜନ କରାଯାଉଛି। ‘ବିଜୁ ଜନତା ଦଳ- ଏକ ସାମୂହିକ ଆନ୍ଦୋଳନ’ ନାରା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକ୍ର ଦଳୀୟ ପଦା‌ଧିକାରୀ, ସାଂସଦ ଓ ବିଧାୟକମାନଙ୍କୁ ଡକାଯାଇଛି। କେଉଁ ପଦାଧିକାରୀ କେଉଁ ଦିନ ରହିବେ, ତାହାର ତାଲିକା ବି ପ୍ରସ୍ତୁତ ହୋଇ ଜଣାଇ ଦିଆଯାଇଛି। ପ୍ରତିଦିନ ଦୁଇରୁ ଅଢ଼େଇ ହଜାର ଲୋକଙ୍କ ସମାଗମ ହେବ। ଦିନତମାମ ପଦା‌ଧିକାରୀମାନଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ। ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ବିଜୁ ପଟ୍ଟନାୟକଙ୍କ ଆଦର୍ଶ, ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ଶାସନ ଶୈଳୀ, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଆଦି ସମ୍ପର୍କରେ ଆଲୋଚନା ହେବ। ଅପରାହ୍ନରେ ଖ୍ୟାତାନାମା ପ୍ରେରଣାଦାୟୀ ବକ୍ତା ଉଜ୍ଜ୍ବଳ ପତ୍ନୀ ବକ୍ତବ୍ୟ ପ୍ରଦାନ କରିବେ। ତାଙ୍କୁ ସ୍ବତନ୍ତ୍ର ଭାବେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ି ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଆଜି ଦଳର ବରିଷ୍ଠ ନେତାମା‌‌ନେ ବରମୁଣ୍ଡା ପଡ଼ିଆ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି।

ସମ୍ବନ୍ଧିତ ଖବର