ଦୁଇ ଛେଳି ଚୋରଙ୍କୁ ବାନ୍ଧି ଛେଚିଲେ, କେନାଲକୁ ଫିଙ୍ଗି ଦେଲେ ଅଟୋ

ବାଲିଅନ୍ତା ବଜାର/ବାଲିଅନ୍ତା : ନୂଆସାହି ଗାଁରେ ଛେଳି ଚୋରି କରିବା ବେଳେ ସ୍ଥାନୀୟ ଗ୍ରାମବାସୀ ଦୁଇ ଲୁଟେରାଙ୍କୁ ଧରି ନିର୍ଧୁମ୍‌ ଛେଚିଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ଲୁଟେରାଦ୍ବୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଚୋରିରେ ବ୍ୟବହୃତ ଏକ ଅଟୋକୁ ଭଙ୍ଗାରୁଜା କରି ଗୋପ ବ୍ରାଞ୍ଚ କେନାଲକୁ ଫିଙ୍ଗି ଦେଇଛନ୍ତି। ବାଲିଅନ୍ତା ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଅଭିଯୁକ୍ତଦ୍ବୟ ହେଲେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ବଡ଼ମାଛପୁର ଗ୍ରାମର ସିରାଜୁଦ୍ଦିନ(୫୫) ଏବଂ ଏସ୍‌.କେ ତାବରେଜ(୪୨)। କୋର୍ଟରେ ଜାମିନ୍‌ ଖାରଜ ହେବାରୁ ଦୁହିଁଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରୀନାଙ୍କ ଅଭିଯୋଗକୁ ଭିତ୍ତି କରି ଏନେଇ ଥାନାରେ ନଂ ୫୧/୨୩ରେ ଏକ ମାମଲା ରୁଜୁ ହୋଇଛି।

ରୀନାଙ୍କ ଅଭିଯୋଗ ଅନୁସାରେ, ଗତ ରାତି ପ୍ରାୟ ସାଢ଼େ ୧ଟା ବେଳେ ୪ଜଣ ଯୁବକ ଛେଳି ଚୋରି କରିବାକୁ ତାଙ୍କ ଘରେ ପଶିଥିଲେ। ତାଙ୍କ ସ୍ବାମୀ ଦେବେନ୍ଦ୍ର ବିଶ୍ବାଳ ଗୁହାଳ ଘର ପାଖ ଅନ୍ୟ ଏକ ଘରେ ଏକୁଟିଆ ଶୋଇଥିଲେ। ସେମାନେ ଦେବେନ୍ଦ୍ରଙ୍କୁ ବାହାର ପଟୁ ତାଲା ପକାଇ ଗୁହାଳ କବାଟ ତାଲା ଭାଙ୍ଗି ଛେଳି ଚୋରି କରୁଥିଲେ। ପୂରା ଗୁହାଳ ଖାଲି କରିଦେବା ଯୋଜନାରେ ସେମାନେ ସାଙ୍ଗରେ ଏକ ବଲେରୋ ଓ ଏକ ଅଟୋ ଆଣି ଆସିଥିଲେ। ତେବେ ଶବ୍ଦ ଶୁଣି ଦେବେନ୍ଦ୍ରଙ୍କ ନିଦ ଭାଙ୍ଗିଯିବାରୁ ସେ ଫୋନ୍‌ କରି ରୀନାଙ୍କୁ ଜଣାଇଥିଲେ। ରୀନା ଧାଇଁ ଆସି ଚିତ୍କାର କରିବାରୁ ଗ୍ରାମବାସୀ ରୁଣ୍ଡ ହୋଇ ସିରାଜୁଦ୍ଦିନ ଏବଂ ତାବରେଜ୍‌କୁ କାବୁ କରିନେଇଥିଲେ। ତେବେ ମୌକା ଦେଖି ଅନ୍ୟ ୨ ଅଭିଯୁକ୍ତ ଖସି ପଳାଇଥିଲେ। ପୁଲିସ୍‌ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର