ପ୍ରିୟଙ୍କାଙ୍କ ‘ରାହୁଲ ହାର୍ଭାର୍ଡରେ ପଢ଼ିଥିଲେ’ ମନ୍ତବ୍ୟକୁ ବିଜେପିର ଉପହାସ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ହାର୍ଭାର୍ଡ ଓ କେମ୍ବ୍ରିଜ ପରି ସମ୍ମାନଜନକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ସୁଦ୍ଧା ତାଙ୍କୁ ‘ପପ୍ପୁ’ ବୋଲି କୁହାଯାଉଛି। କିନ୍ତୁ ଯେତେବେଳେ ବିଜେପି ଦେଖିଲା ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଚାଲୁଛନ୍ତି, ସେତେବେଳେ ଦଳ ବିଚଳିତ ହୋଇପଡ଼ିଲା। ତେଣୁ ତାଙ୍କୁ ଅଟକେଇବା ପାଇଁ ତାଙ୍କ ଏମ୍‌ପି ପଦ ରଦ୍ଦ କରାଯାଇଛି। ରାଜଘାଟରେ ଏକ ପ୍ରତିବାଦ ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହା କହିବା ପରେ ବିଜେପି ଉପହାସ କରିଛି।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ପ୍ରିୟଙ୍କା ତାଙ୍କ ଭାଇ ପରି ମିଛ କହୁଛନ୍ତି। ପରିବାର ସହ ଜଡ଼ିତ ଏମିତି କିଛି ଅଛି ଯାହା ନକଲି ନୁହେଁ ବୋଲି ମାଲବୀୟ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସାମାଜିକ ଗଣମାଧ୍ୟମ ମୁଖ୍ୟ ସୁପ୍ରିୟା ଶ୍ରୀନେତ ମାଲବୀୟଙ୍କୁ ପ୍ରତ୍ୟୁତ୍ତର ଦେଇ କହିଛନ୍ତି, ରାହୁଲ ଗାନ୍ଧି ହାର୍ଭାର୍ଡରେ ପଢ଼ିଥିଲେ କିନ୍ତୁ ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ସୁରକ୍ଷା କାରଣରୁ ତାଙ୍କୁ ଆମେରିକାର ଅନ୍ୟ ଏକ ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେହିଭଳି କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ବିଜେପି ବୁଝିପାରିବନି ସୁରକ୍ଷା କାରଣରୁ କାହିଁକି ଜଣଙ୍କର ସ୍କୁଲ ବା କଲେଜର ପରିବର୍ତ୍ତନ କରିବାକୁ ପଡ଼େ।

ସମ୍ବନ୍ଧିତ ଖବର