ହିନ୍ଦୁସ୍ତାନ ଜିଙ୍କ୍‌ର ୨୯.୫୪% ବିକ୍ରି ହେବ

ନୂଆଦିଲ୍ଲୀ : ହିନ୍ଦୁସ୍ତାନ ଜିଙ୍କ୍‌ରେ ଥିବା ୨୯.୫୪ ପ୍ରତିଶତ ଅଂଶଧନ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ କଂପାନିର ସେୟାର ପିଛା ଦାମ୍ ୩୨୫ ଟଙ୍କା ୪୫ ପଇସା ରହିଛି। ଏହି ଦାମ୍‌ରେ ସବୁ ସେୟାର ବିକ୍ରି ହେଲେ ସରକାର ୪୦ ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଇବେ। ୨୦୦୨ରେ ସରକାର ଏହି କଂପାନିର ୬୪.୯୨ ପ୍ରତିଶତ ଅଂଶଧନକୁ ଅନିଲ ଅଗ୍ରୱାଲ୍‌ଙ୍କ କଂପାନିକୁ ବିକ୍ରି କରିଥିଲେ। କଂପାନିର ବଳକା ଅଂଶଧନକୁ ଆସନ୍ତା ମାସରେ ବିକ୍ରି କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପାଇଁ ପୁଞ୍ଜିପ୍ରତ୍ୟାହାର ଓ ଘରୋଇକରଣ କାର୍ଯ୍ୟର ଦେଖାଶୁଣା କରୁଥିବା ଦିପମ୍ ବିଭାଗର ସଚିବ ତୁହିନ୍‌କାନ୍ତ ପାଣ୍ଡେ କହିଛନ୍ତି।

ପୁଞ୍ଜି ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବାାରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଆସନ୍ତା ଆର୍ଥିକ ବର୍ଷରେ ସରକାର ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌କେୟାର, ପିଡିଆଇଏଲ୍‌, ସିପିଙ୍ଗ କର୍ପୋରେସନ ଏବଂ ବିଇଏମ୍ଏଲ୍‌ରେ ଥିବା ସେୟାର ବିକ୍ରି କରିବେ। କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ୬୫ ହଜାର ଟଙ୍କାରୁ କମ୍ କରି ୫୦ ହଜାର ଟଙ୍କା କରିଛନ୍ତି। ଆର୍ଥିକ ବର୍ଷ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ସଂଶୋଧିତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯିବ।

ସମ୍ବନ୍ଧିତ ଖବର