୬୦୦୦ କୋଟି ଟଙ୍କାର ପ୍ୟାକେଜିଂ ଶିଳ୍ପ

କୃଷିଠାରୁ ଆରମ୍ଭ କରି ବିମାନ ଚଳାଚଳ ଓ ମହାକାଶ ବିଜ୍ଞାନରେ ପେଟ୍ରୋ ରସାୟନରୁ ପ୍ରସ୍ତତ ସାମଗ୍ରୀ ବ୍ୟବହୃତ ହେଉଛି। ଫଳରେ ଏ କ୍ଷେତ୍ରରେ ବ୍ୟାପକ ନିବେଶ ଏବଂ ନିଯୁକ୍ତି ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ପେଟ୍ରୋରସାୟନ ନିବେଶକ ସମ୍ମିଳନୀ-୨୦୧୭। ଏଥିରେ ଦେଶ ବିଦେଶରୁ ପେଟ୍ରୋରସାୟନ କ୍ଷେତ୍ରର ଉଦ୍ୟୋଗୀ, ବିଶେଷଜ୍ଞ ଏବଂ ଶିକ୍ଷାବିତ୍‌ମାନେ ଯୋଗଦେଇ ମତ ବିନିମୟ କରିଛନ୍ତି। ଏଥିସହିତ ଭାରତର ପେଟ୍ରୋ ରସାୟନ ମାନଚିତ୍ରରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିନେଇଛି। ଏହି ସମ୍ମିଳନୀକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା…
ଭୁବନେଶ୍ୱର: ବଜାରରେ କୌଣସି ସାମଗ୍ରୀ ବିକ୍ରି କରିବା ବେଳେ ତାହାକୁ ଏକ ସୁନ୍ଦର ପ୍ୟାକେଟ୍‌ରେ ଉପସ୍ଥାପନ କରିବା କଂପାନିଗୁଡ଼ିକ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଯେଉଁ ସାମଗ୍ରୀର ପ୍ୟାକେଟ୍‌ ଅଧିକ ସୁନ୍ଦର ତାହା ଗ୍ରାହକଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହୋଇଥାଏ। ଭାରତର ପ୍ୟାକେଜିଂ ଶିଳ୍ପର ପରିମାଣ ୬୦୦୦ କୋଟି ଟଙ୍କା ବୋଲି ତୋଷିବା ମେସିନାରିର ଯୁଗ୍ମ ମହାପ୍ରବନ୍ଧକ ଭି ପି ଭଟ୍ଟ କହିଛନ୍ତି। କେବଳ ସାଧାରଣ ଗ୍ରାହକମାନେ ବ୍ୟବହାର କରୁଥିବା ସାମଗ୍ରୀ ପ୍ୟାକେଜିଂର ବଜାର ପରିମାଣ ୩୦୦୦ କୋଟି ଟଙ୍କା ବୋଲି ସେ କହିଛନ୍ତି। ବିଭିନ୍ନ ବୋତଲ, ଡ଼ବା ଏବଂ ସେହିଭଳି ଧରଣର ପଦାର୍ଥରେ ବ୍ୟବହାର ପାଇଁ ଦେଶରେ ୨୫୦ କୋଟି ଟଙ୍କାର କ୍ୟାପ୍‌ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ପ୍ୟାକେଜିଂରେ ଏବେ ବ୍ୟବହାର ହେଉଥିବା ଖଣିଜ ପଦାର୍ଥ ଏବଂ ଇସ୍ପାତକୁ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍‌ ହଟାଇବାକୁ ଯାଉଛି। ଅନେକ ସାମଗ୍ରୀ ଏବେ ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ ଉପାଦାନରେ ପ୍ୟାକେଜିଂ କରାଯାଉଛି। ତୋଷିବା ମେସିନାରିର ଚେନ୍ନାଇଠାରେ ଏକ କାରଖାନା ରହିଛି। ସେଠାରେ କଂପାନି ଇଞ୍ଜେକ୍ସନ ମୋଲ୍‌ଡିଂ ମେସିନ୍‌ ନିର୍ମାଣ କରୁଛି ଯାହାକୁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‌ ସାମଗ୍ରୀ ଉତ୍ପାଦନ କରିବାରେ ବ୍ୟବହାର କରାଯାଏ। ଏହି ମେସିନ୍‌ ପ୍ୟାକେଜିଂ, ଅଟୋମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ୍ସ ଓ ଫ୍ରିଜ୍‌, ଓ୍ଵାସିଂ ମେସିନ୍‌ ଭଳି ହ୍ଵାଇଟ୍‌ ଗୁଡସ୍‌ ଉତ୍ପାଦନକାରୀମାନେ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର