୬ ମାସରେ ୧,୦୬୦ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ପୁଞ୍ଜିନିବେଶକାରୀମାନଙ୍କୁ ସରଳ ଆବେଦନ ଓ ତ୍ୱରିତ ଅନୁମୋଦନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଗୋ-ସ୍ୱିଫ୍ଟ ବ୍ୟବସ୍ଥା ଜରିଆରେ ଓଡ଼ିଶା ସରକାର ବିଗତ ୬ ମାସ ଭିତରେ ମୋଟ ୧୦୬୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ନିକଟରେ ୨୦୦ତମ ପ୍ରସ୍ତାବ ସରକାରଙ୍କ ପାଖରେ ପହଞ୍ଚିଛି। ଅନୁଗୁଳ ଆଲୁମିନିୟମ୍‌ ପାର୍କରେ ୪୦ ହଜାର ଏମ୍‌ଟିର ଆଲୁମିନିୟମ୍‌ କଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ କରିବା ପାଇଁ ମୁମ୍ବାଇର କଂପାନି ହିନ୍ଦ୍‌ ଆଲୁମିନିୟମ୍‌ ଇଣ୍ଡଷ୍ଟ୍ରିଜ୍‌ ଏହି ପ୍ରସ୍ତାବ ଦେଇଛି। କଂପାନି ଏହି ପ୍ରକଳ୍ପରେ ୫୬.୩ କୋଟି ଟଙ୍କା ନିବେଶ କରିବ। ଛଅ ମାସ ଭିତରେ ଆସିଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ୧୦,୫୦୦ରୁ ଅଧିକ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶାରେ ନିଜର କାରଖାନା ବା ୟୁନିଟ୍‌ ସ୍ଥାପନ କରିବା ପାଇଁ ଗୋ-ସ୍ୱିଫ୍ଟ ଜରିଆରେ ମନପସନ୍ଦ ବେଭରେଜେସ୍‌, ଆଇଟିସି ଫୁଡସ୍‌, ଅପାର୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ସେଞ୍ଚୁରି ମାଟ୍ରେସ୍‌ ଓ ଲାଲ୍‌ଚାନ୍ଦ ରିସର୍ଟସ୍‌ ଭଳି ସଂସ୍ଥା ପୁଞ୍ଜିନିବେଶ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ନିବେଶକମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁନିଶ୍ଚିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଗୋ-ସ୍ୱିଫ୍ଟରେ ନିବେଶକମାନଙ୍କୁ ଅନୁମୋଦନ, ଜମି ଚୟନ, ସିଙ୍ଗଲ୍‌ ଓ୍ଵିଣ୍ଡୋ ଅନୁମୋଦନ ପାଇଁ ଆବେଦନ, ଜମି ଗ୍ରହଣ, ବିଭିନ୍ନ ସୁବିଧା ସୁଯୋଗ, ବୈଧାନିକ ମଞ୍ଜୁରି ହାସଲ କରିବା, ଜମି ଅଧିଗ୍ରହଣ ପରବର୍ତି ସେବା, ସରକାରୀ ବିଭାଗ ସହିତ ରହିଥିବା ସମସ୍ୟାର ସମାଧାନ ଓ ସିଏସ୍‌ଆର୍‌ ଆଦି ଉପରେ  ତଥ୍ୟ ପ୍ରଦାନ କରାଯାଉଛି। ପୂର୍ବରୁ ବିଭିନ୍ନ ବିଭାଗ ମଞ୍ଜୁରି ଦେବା ପାଇଁ ଯେତିକି ସମୟ ନେଉଥିଲେ ଏବେ ତା’ଠାରୁ କମ୍‌ ସମୟରେ ଅନୁମୋଦନ ପ୍ରଦାନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପୁଞ୍ଜିନିବେଶ କାର୍ଯ୍ୟକାରୀ କରିବା ହାରରେ ଓଡ଼ିଶା ଆସୋଚାମ୍‌ ତାଲିକାରେ ଏକ ନମ୍ବର ରାଜ୍ୟର ର‍୍ୟାଙ୍କ ପାଇଛି। ଲାଇଭ୍‌ ମାନୁଫାକ୍‌ଚରିଂ ପୁଞ୍ଜିନିବେଶ ହାତେଇବାରେ ଏହା ଦେଶର ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଏହାର ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାରଠାରୁ ଅଧିକ ରହିଛି। ଓଡ଼ିଶାର ଅଭିବୃଦ୍ଧି ହାର ୨୦୧୬-୧୭ରେ  ୭.୯୪% ରହିଛି।

ସମ୍ବନ୍ଧିତ ଖବର