ତେଲ ପକାଇବାକୁ ଏୟାର ଇଣ୍ଡିଆର ଟଙ୍କା ନାହିଁ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ସ୍ଥିତି ଆହୁରି ଖରାପ ହୋଇଯାଇଛି। ତେଲ କିଣିବାକୁ କଂପାନି ପାଖରେ ଟଙ୍କା ନାହିଁ। ସେଥିଲାଗି ପ୍ରାୟ ଛଅଟି ବିମାନ ବନ୍ଦରରେ ତେଲ କଂପାନିଗୁଡ଼ିକ ଏୟାର ଇଣ୍ଡିଆ ବିମାନରେ ତେଲ ପକାଇବାକୁ ମନା କରିଦେଇଛନ୍ତି। ଆଉ ଦୁଇଟି ବିମାନ ବନ୍ଦରରେ ମଧ୍ୟ ଏୟାର ଇଣ୍ଡିଆ ବିମାନକୁ ତେଲ ମିଳିବ ନାହିଁ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ୫ ପରଠାରୁ ରାୟପୁର ଓ ହାଇଦ୍ରାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନକୁ ତେଲ ଯୋଗାଣ ବନ୍ଦ ହେବ। ଏବେ ପାଟନା, ରାଞ୍ଚି, ପୁନେ, ମୋହାଲି, ଭାଇଜାଗ୍ ଓ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନକୁ ତେଲ ଯୋଗାଣ ବନ୍ଦ ରହିଛି। ଏୟାର ଇଣ୍ଡିଆ ପ୍ରତିଦିନ ଟଙ୍କା ପେମେଣ୍ଟ୍‌ କରି ତେଲ ପକାଉଛି। ତେଲ ବାବଦକୁ କଂପାନି ଦୈନିକ ୧୮ କୋଟି ଟଙ୍କା ଗଣୁଛି।

ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆକୁ ସରକାର ସମ୍ପୂର୍ଣ୍ଣ ବିକି ଦେବାକୁ ଚାହୁଛନ୍ତି। କିନ୍ତୁ ସେଥିପାଇଁ ଗ୍ରାହକ ମିଳୁନାହାନ୍ତି। ଗ୍ରାହକ ନମିଳିବାର ଏକ ମୁଖ୍ୟ କାରଣ ହେଉଛି କଂପାନି ଉପରେ ଥିବା ବିପୁଳ ପରିମାଣର ଋଣ। ଏହା ବ୍ୟତୀତ ଏହି କଂପାନି ଦୀର୍ଘବର୍ଷ ହେଲାଣି କ୍ଷତିରେ ଚାଲୁଛି।

ସମ୍ବନ୍ଧିତ ଖବର