ମେ ୧୯ରୁ ଜୁନ୍ ୨ ମଧ୍ୟରେ କେତେକ ଭାରତୀୟ ସହରରେ ସ୍ବତନ୍ତ୍ର ଘରୋଇ ବିମାନ ଚଳାଇବ ଏୟାର୍ ଇଣ୍ଡିଆ

ଚେନ୍ନାଇ: ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ଅଟକି ରହିଯାଇଥିବା ବ୍ୟକ୍ତିମାନଙ୍କ ଘରବାହୁଡ଼ାରେ ସହଯୋଗ କରିବାକୁ ମେ ୧୯ ତାରିଖ ଠାରୁ ଜୁନ୍ ୨ ତାରିଖ ମଧ୍ୟରେ ଏୟାର୍‌ ଇଣ୍ଡିଆ ସ୍ବତନ୍ତ୍ର ଘରୋଇ ବିମାନ ଚଳାଇବ। କିନ୍ତୁ, ଯାତ୍ରୀମାନେ ନିର୍ଦ୍ଧାରିତ ଶୁଳ୍କ ଦେଇ ସିଟ୍ ବୁକିଙ୍ଗ୍ କରିବେ। ସିଟ୍ କେବେ ଠାରୁ ବୁକିଙ୍ଗ୍ ଆରମ୍ଭ ହେବ ତାହା ଘୋଷଣା କରାଯାଇନାହିଁ।

ଏହି ସ୍ବତନ୍ତ୍ର ବିମାନଗୁଡ଼ିକରୁ ଅଧିକାଂଶ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ଉଡ଼ାଣ ଆରମ୍ଭ କରିବ। ମେ ୧୯ ତାରିଖ ଦିନ କୋଚି-ଚେନ୍ନାଇ ମଧ୍ୟରେ ଗୋଟିଏ ବିମାନ ଚାଲିବ। ସେହିଭଳି ଦିଲ୍ଲୀରୁ ୧୭୩, ମୁମ୍ବାଇରୁ ୪୦, ହାଇଦ୍ରାବାଦରୁ ୨୫ ଓ କୋଚିରୁ ୧୨ଟି ସ୍ବତନ୍ତ୍ର ବିମାନ ଉଡ଼ାଣ କରିବ।

Image Source: Livemint

ଦିଲ୍ଲୀରୁ ଚଳାଚଳ କରିବାକୁ ଥିବା ବିମାନ ସବୁ ଜୟପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅମୃତସର, କୋଚି, ଅହମଦାବାଦ, ବିଜୟୱାଡ଼ା, ଗୟା, ଲକ୍ଷ୍ନୌ ଏବଂ ଅନ୍ୟ କେତେକ ସହରକୁ ଯିବ। ଏହାଛଡ଼ା ଏୟାର୍ ଇଣ୍ଡିଆ ମୁମ୍ବାଇରୁ ବିଶାଖାପାଟଣା, କୋଚି, ଅହମଦାବାଦ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ବିଜୟୱାଡ଼ାକୁ ମଧ୍ୟ ବିମାନ ଚଳାଇବ। ହାଇଦ୍ରାବାଦରୁ ମୁମ୍ବାଇ, ଦିଲ୍ଲୀ ମଧ୍ୟରେ ବି ବିମାନ ଯାତାୟାତ କରିବ। ବେଙ୍ଗାଲୁରୁରୁ ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦକୁ ବିମାନ ଯାତ୍ରା କରିବ। ଭୁବନେଶ୍ବରୁ ମଧ୍ୟ ବେଙ୍ଗାଲୁରୁକୁ ବିମାନ ଯିବ।

ଏଥିପାଇଁ କେବଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସମ୍ମତିକୁ ଅପେକ୍ଷା କରାଯାଇଛି ବୋଲି ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର