ଜନମତ ଆଧାରରେ ହୋଇଥିଲା ଏୟାର ଇଣ୍ଡିଆର ନାମକରଣ: ଚାରିଟି ନାମ ବିଚାରକୁ ନିଆଯାଇଥିଲା, ଏୟାର ଇଣ୍ଡିଆକୁ ମିଳିଥିଲା ସର୍ବାଧିକ ଭୋଟ୍‌

ନୂଆଦିଲ୍ଲୀ: ଦେଶର ପ୍ରଥମ ବିମାନ କଂପାନି ଏୟାର ଇଣ୍ଡିଆର ନାମକରଣ କିଭଳି ହୋଇଥିଲା ସେବିଷୟରେ ଟାଟା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି। ୭୫ ବର୍ଷ ପୂର୍ବେ ୧୯୪୬ରେ ଟାଟା ସନ୍ସର କର୍ମଚାରୀମାନଙ୍କ ମଧ୍ୟରେ କରାଯାଇଥିବା ଏକ ଜନମତ ଆଧାରରେ କଂପାନିର ନାମ ବଛା ଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ପାଇଁ ଚାରିଟି ନାମ ଚୟନ କରାଯାଇଥିଲା। ତାହା ଥିଲା ଇଣ୍ଡିଆନ ଏୟାରଲାଇନ୍ସ, ପ୍ୟାନ୍-ଇଣ୍ଡିଆନ୍ ଏୟାରଲାଇନ୍ସ, ଟ୍ରାନ୍ସ-ଇଣ୍ଡିଆନ୍ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆ।
ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ ପକ୍ଷରୁ ସ୍ଥାପନ କରାଯାଇଥିଲା। ସାତ ଦଶନ୍ଧି ପୂର୍ବେ ସେହି ସଂସ୍ଥାର ମାଲିକାନା ସରକାର ନିଜ ହାତକୁ ନେବା ପରେ ଟାଟା ଗ୍ରୁପ୍ କଂପାନିରୁ ନିୟନ୍ତ୍ରଣ ହରାଇଥିଲା। ଚଳିତ ବର୍ଷ ଜାନୁଆ‌ରିରେ ପୁଣି ଥରେ ସେହି ସଂସ୍ଥା ଟାଟା ପାଖକୁ ଫେରିଛି।

ଏୟାର ଇଣ୍ଡିଆକୁ ସରକାର ୧୮ ହଜାର କୋଟି ଟଙ୍କାରେ ଟାଟାକୁ ବିକ୍ରି କରିଛନ୍ତି। ଅତୀତରେ ଟାଟା ଅଧୀନରେ ଥିବା ବେ‌ଳେ ଏୟାର ଇଣ୍ଡିଆର ନାମ ଥିଲା ଟାଟା ଏୟାରଲାଇନ୍ସ। ଟାଟା ସନ୍ସରୁ ତାହାକୁ ଅଲଗା କରି ଏକ ସ୍ବତନ୍ତ୍ର କଂପାନି ଭାବେ ଗଠନ କରିବା ବେଳେ ତାହାର ନାମକରଣକୁ ନେଇ ମାନସମନ୍ଥନ ହୋଇଥିଲା। ନାମ ଚୟନ କରିବା ଲାଗି ଜନମତ କିମ୍ବା ନମୁନା ମତ ସର୍ବେକ୍ଷଣ ବ୍ୟବହାର କରିବା ଲାଗି ବିଚାର କରାଯାଇଥିଲା। ଏହା ପରେ ଭୋଟିଂ ପେପର କିଛି ନିର୍ଦିଷ୍ଟ ଟାଟା କର୍ମଚାରୀମାନଙ୍କୁ ଦିଆଯାଇଥିଲା। ସେମାନଙ୍କୁ ନିଜର ପ୍ରଥମ ଓ ଦ୍ବିତୀୟ ପସନ୍ଦର ନାମ ଜଣାଇବାକୁ କୁହାଯାଇଥିଲା। ପ୍ରଥମ ଗଣତିରୁ ଜଣାପଡ଼ିଥିଲା ଯେ ୬୪ ଜଣ ଏୟାର ଇଣ୍ଡିଆ ନାମରେ, ୫୧ ଜଣ ଇଣ୍ଡିଆନ ଏୟାରଲାଇନ୍ସ, ୨୮ ଜଣ ଟ୍ରାନ୍ସ ଇଣ୍ଡିଆନ୍ ଏୟାରଲାଇନ୍ସ ଓ ୧୯ ଜଣ ପାନ୍ ଇଣ୍ଡିଆନ୍ ଏୟାରଲାଇନ୍ସ ନାମରେ ଭୋଟ୍‌ ଦେଇଥିଲେ। ଯେଉଁ ନାମଗୁଡ଼ିକ ସପକ୍ଷରେ କମ୍ ଭୋଟ୍ ଆସିଥିଲା ସେଗୁଡ଼ିକୁ ବିଚାର ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା। ଚୂଡ଼ାନ୍ତ ଗଣନାରେ ଏୟାର ଇଣ୍ଡିଆ ସପକ୍ଷରେ ୭୨ଟି ଓ ଇଣ୍ଡିଆନ ଏୟାରଲାଇନ୍ସ ସପକ୍ଷରେ ୫୮ଟି ଭୋଟ୍‌ ଥିବା ଜଣାପଡ଼ିଥିଲା। ତେଣୁ ଏୟାର ଇଣ୍ଡିଆ ନାମ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର