ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରାରେ ରହିବ ସ୍ବତନ୍ତ୍ର ନମ୍ବର

କ୍ରିପ୍ଟୋକରେନ୍ସିଠୁ କିଭଳି ଭିନ୍ନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଡିଜିଟାଲ୍ ମୁଦ୍ରା ପ୍ରସ୍ତୁତ କରୁଛି ତାହା ୨୦୨୩ ପ୍ରାରମ୍ଭିକ ମାସଗୁଡ଼ିକରେ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପ୍ରଚଳନରେ ଥିବା ମୋବାଇଲ୍ ୱାଲେଟ୍‌ ଭଳି ଏହା କାମ କରିବ। କିନ୍ତୁ ଏହାର ସବୁଠୁ ବଡ଼ ଶକ୍ତି ହେବ ଏହାକୁ ରିଜର୍ଭ ବ୍ୟାଙ୍କର ମାନ୍ୟତା ମିଳିବ। ତେଣୁ ଲୋକମାନେ ତାହାକୁ ବିନା କୌଣସି ଦ୍ବିଧାରେ ବ୍ୟବହାର କରିବେ। ଦେଶରେ ଏକ ବୈଧ କ୍ରିପ୍ଟୋକରେନ୍ସିର ଯେଉଁ ଅଭାବ ରହିଛି ତାହାକୁ ଏହି ଡିଜିଟାଲ୍ ମୁଦ୍ରା ପୂରଣ କରିବ।

କାଗଜ ତିଆରି ନୋଟ୍‌ର ଯେଉଁ ସ୍ବତନ୍ତ୍ର ନମ୍ବର ରହିଛି ଠିକ୍ ସେହିଭଳି ଢାଞ୍ଚାରେ ଡିଜିଟାଲ୍ ମୁଦ୍ରାର ସ୍ବତନ୍ତ୍ର ନମ୍ବର ରହିବ। ତାହା କେବଳ ଇଲେକ୍ଟ୍ରୋନିକ୍‌ ରୂପରେ ରହିବ। ଏହାକୁ ସରକାରୀ ମାନ୍ୟତାପ୍ରାପ୍ତ ଡିଜିଟାଲ୍ ୱାଲେଟ୍‌ ବୋଲି କୁହାଯାଇପାରିବ। ଆସନ୍ତା ଆର୍ଥିକ ବର୍ଷ (୨୦୨୨-୨୩) ସୁଦ୍ଧା ଡିଜିଟାଲ୍ ମୁଦ୍ରା ପ୍ରସ୍ତୁତ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ସଙ୍କେତ ପ୍ରଦାନ କରାଯାଇଛି। ଡିଜିଟାଲ୍ ମୁଦ୍ରାର ବ୍ଲକ୍‌ଚେନ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବିକାଶ କରିବ। ଏହାର ପ୍ରତିଟି କାରବାର ତଥ୍ୟକୁ ସଂଗ୍ରହ କରାଯାଇପାରିବ। ଏବେ ଘରୋଇ ସଂସ୍ଥାଗୁଡ଼ିକ ପ୍ରଦାନ କରୁଥିବା ମୋବାଇଲ୍ ୱାଲେଟ୍‌ରେ ପ୍ରତି କାରବାର ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉନାହିଁ।

ଦେଶରେ ପ୍ରଚଳନରେ ଥିବା ଘରୋଇ କ୍ରିପ୍ଟୋକରେନ୍ସିଗୁଡ଼ିକ କେବଳ ସେହି ଲୋକମାନଙ୍କ ମଧ୍ୟରେ ପ୍ରଚଳନରେ ରହିଛି ଯେଉଁମାନେ ସେହି ନିର୍ଦିଷ୍ଟ ପ୍ରକାର ୱାଲେଟ୍‌ କିମ୍ବା କ୍ରିପ୍ଟୋ ବ୍ୟବହାର କରୁଛନ୍ତି। ଉଦାହରଣ ସ୍ବରୂପ ବିଟ୍‌କଏନ୍‌ ରଖିଥିବା ଜଣେ ବ୍ୟକ୍ତି ଡୋଜ୍‌କଏନ୍‌ ୱାଲେଟ୍‌କୁ ପେମେଣ୍ଟ୍‌ କରିପାରିବେ ନାହିଁ। କେବଳ ବିଟ୍‌କଏନ୍ ୱାଲେଟ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ସେ ପେମେଣ୍ଟ୍‌ କରିପାରିବେ। ଘରୋଇ କ୍ରିପ୍ଟୋରେ ରହିଥିବା ଏହି ସମସ୍ୟା ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାରେ ରହିବ ନାହିଁ। ଯେହେତୁ ତାହାକୁ ସରକାରୀ ମାନ୍ୟତା ମିଳିବ ତେଣୁ ସେହି ମୁଦ୍ରାକୁ ଯେକୌଣସି ୱାଲେଟ୍‌ରେ ବ୍ୟବହାର କରାଯାଇପାରିବ। ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ଘୋଷଣା କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରା ଆସିବ ବୋଲି କହିଥିଲେ। ସେହି ମୁଦ୍ରା ଦ୍ବାରା ମୁଦ୍ରା ପରିଚାଳନା ବ୍ୟବସ୍ଥା ଅଧିକ ପାରଦର୍ଶୀ ଓ ସୁଲଭ ହୋଇପାରିବ ବୋଲି ସେ କହିଛନ୍ତି। ବ୍ଲକ୍‌ଚେନ୍ ଓ ଅନ୍ୟାନ୍ୟ ପ୍ରଯୁକ୍ତିର ବ୍ୟବହାରରେ ପ୍ରସ୍ତୁତ ହେଉଥିବା ଡିଜିଟାଲ୍ ମୁଦ୍ରାକୁ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ରେ ଜାରି କରିବେ।

କ୍ରିପ୍ଟୋକରେନ୍ସିଠୁ କିଭଳି ଭିନ୍ନ
ଘରୋଇ ସଂସ୍ଥାଗୁଡ଼ିକ ଜାରି କରୁଥିବା କ୍ରିପ୍ଟୋକରେନ୍ସି ଯଥା ବିଟ୍‌କଏନ୍‌, ଏଥେରିଅମ୍, ଡୋଜ୍‌କଏନ୍ ଆଦିକୁ ବିଶ୍ବର କୌଣସି ବୈଧ ସରକାର କିମ୍ବା କେନ୍ଦ୍ରୀୟ ବ୍ୟାଙ୍କ ଜାରି କରୁନାହାନ୍ତି। ତେଣୁ ସେଥିରେ କୌଣସି ଅସୁବିଧା ଦେଖାଦେଲେ ତାହାର ସମାଧାନ ପାଇଁ ମୁଦ୍ରା ହରାଇଥିବା ବ୍ୟକ୍ତି ଆଇନର ସହାୟତା ନେଇପାରିବେ ନାହିଁ। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି) ଯାହା ରିଜର୍ଭ ବ୍ୟାଙ୍କ ଜାରି କରିବ ତାହାକୁ ଆଇନଗତ ମାନ୍ୟତା ମିଳିବ। ବିଭିନ୍ନ‌ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଜାରି କରୁଥିବା ନୋଟ୍ ଭଳି ତାହାର ମୂଲ୍ୟ ରହିବ।

ଟିଡିଏସ୍‌କୁ ନେଇ ଚିନ୍ତାରେ କ୍ରିପ୍ଟୋ ଏକ୍ସଚେଞ୍ଜ୍‌, ନୀତି ନିର୍ଧାରକଙ୍କୁ ଭେଟି ବୁଝାଇବେ
ମୁମ୍ବାଇ: କ୍ରିପ୍ଟୋକରେନ୍ସି କାରବାର ଉପରେ ଲଗାଯାଇଥିବା ୧% ଟିଡିଏସ୍‌କୁ ନେଇ ଘରୋଇ କ୍ଷେତ୍ରର କ୍ରିପ୍ଟୋ ଏକ୍ସଚେଞ୍ଜ୍‌ଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। କ୍ରିପ୍ଟୋ ବଜାର ଉପରେ ତାହାର ବଡ଼ ଧରଣର ପ୍ରଭାବ ରହିବ ବୋଲି ସେମାନେ ଭାବୁଛନ୍ତି। ଏବିଷୟରେ ନୀତି ନିର୍ଧାରକମାନଙ୍କୁ ଅବଗତ କରିବା ଲାଗି ସେମାନେ ନିଷ୍ପତ୍ତି ନେଇଛନ୍ତି। କ୍ରିପ୍ଟୋକରେନ୍ସିରେ କାରବାର କରିବାର ସୁବିଧା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ହେଉଛନ୍ତି କ୍ରିପ୍ଟୋ ଏକ୍ସଚେଞ୍ଜ୍। ସେମାନେ ମିଳିତ ଭାବେ ଏକ ସଂଘ ଗଠନ କରିଛନ୍ତି ଯାହାର ନାମ ହେଉଛି ‘ବ୍ଲକ୍‌ଚେନ୍ ଆଣ୍ଡ୍‌ କ୍ରିପ୍ଟୋ ଆସେଟ୍‌ସ କାଉନ୍‌ସିଲ୍‌ (ବିଏସିସି)। କାଉନ୍ସିଲ୍ ପକ୍ଷରୁ କୁହାଯାଇଛି ଯେ କ୍ରିପ୍ଟୋ ଉପରେ ୧% ଟିଡିଏସ୍‌ ଲଗାଯାଇଥିବାରୁ କାରବାର ପରିମାଣ ହ୍ରାସ ପାଇବ। କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟକ୍ତିରୁ ବ୍ୟକ୍ତିକୁ (ପର୍ସନ ଟୁ ପର୍ସନ) ଉପରେ ଅଧିକ ଧ୍ୟାନ ଦେବେ। କ୍ରିପ୍ଟୋ ଏକ୍ସଚେଞ୍ଜ୍‌ଗୁଡ଼ିକ ‌କାରବାର ସୁବିଧା ଯୋଗାଇ ଦେବା ଲାଗି ବ୍ୟବସାୟୀଙ୍କ ଠାରୁ ଯେଉଁ ଶୁଳ୍କ ଆଦାୟ କରନ୍ତି ତାହା ହେଉଛି ସେମାନଙ୍କ ରାଜସ୍ବ। କ୍ରିପ୍ଟୋକରେନ୍ସି ଗ୍ରାହକଙ୍କୁ କାରବାର ଉପରେ ୧% ଟିଡିଏସ୍‌ ଆଗୁଆ ଦେବାକୁ ପଡ଼ିବ। ପ୍ରତିଥର କାରବାର ବେଳେ ଟିଡିଏସ୍‌ ସଂଗ୍ରହ କରାଯିବ ବୋଲି ଏଥର ଘୋଷଣା କରାଯାଇଥିବା ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ବ୍ୟକ୍ତିବିଶେଷଙ୍କ ଲାଗି ୫୦ ହଜାର ଟଙ୍କାରୁ ଅଧିକ ଓ ଅନ୍ୟମାନଙ୍କ ପାଇଁ ୧୦ ହଜାର ଟଙ୍କାରୁ ଅଧିକ କାରବାର ଉପରେ ଟିକସ ଲାଗିବ।

ସମ୍ବନ୍ଧିତ ଖବର