୫ଜି ପରୀକ୍ଷଣ ଆରମ୍ଭ, ଓଡ଼ିଶାରେ ଅଧିକ ୪ଜି ସ୍ପେକ୍ଟ୍ରମ୍ ଯୋଡ଼ିଲା ଏୟାରଟେଲ୍

ନୂଆଦିଲ୍ଲୀ: ‌ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ଜିଓ ଓ ଏୟାରଟେଲ୍ ପକ୍ଷରୁ ଦେଶରେ ୫ଜି ମୋବାଇଲ୍ ପ୍ରଯୁକ୍ତିର ପରୀକ୍ଷଣ ଆରମ୍ଭ କରାଯାଇଛି। ଗୁରୁଗ୍ରାମ୍‌ରେ ଏୟାରଟେଲ୍ ଏହାର ପରୀକ୍ଷଣ ଆରମ୍ଭ କରିଛି। ଏହା ସେକେଣ୍ଡ୍ ପିଛା ୧ ଜିିବି ସ୍ପିଡ୍‌ରେ ଡାଟା ପ୍ରଦାନ କରୁଛି। ବର୍ତ୍ତମାନ ୩୫୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ପରୀକ୍ଷଣ ଚାଲିଛି। ସେଥିପାଇଁ ସ୍ବତନ୍ତ୍ର ୫ଜି ସାଇଟ୍ ସ୍ଥାପନ କରାଯାଇଛି। କିଛି ମାସ ପୂର୍ବରୁ କଂପାନି ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ନେଟ୍‌ୱର୍କର ପ୍ରଦର୍ଶନ କରିଥିଲା। ଗୁରୁଗ୍ରାମର ସାଇବର୍ ହବ୍‌ରେ ୫ଜି ନେଟ୍‌ୱର୍କକୁ ପରୀକ୍ଷଣ ଲାଗି ଉପଲବ୍ଧ କରାଯାଇଛି। ସ୍ବିଡେନ୍‌ର କଂପାନି ଏରିକ୍ସନ୍ ସହ ମିଶି କଂପାନି ଏହି ପରୀକ୍ଷଣ କରୁଛି। ଆଗାମୀ ଦିନରେ ମୁମ୍ବାଇରେ ସମାନ ଧରଣର ପରୀକ୍ଷଣ କରିବା ଉପରେ କଂପାନି ବିଚାର କରୁଛି।

ଭାରତରେ ଏବେ ୪ଜି ମୋବାଇଲ୍‌ ଡାଟା ବହୁଳ ଭାବେ ବ୍ୟବହାର ହେଉଛି। କିନ୍ତୁ ମୋବାଇଲ୍‌ ଡାଟା ସ୍ପିଡ୍‌ରେ ଭାରତ ବିଶ୍ବରେ ୧୩୦ତମ ସ୍ଥାନରେ ରହିଛି। ୪ଜି ନେଟ୍‌ୱର୍କରେ ମଧ୍ୟ ଡାଉନ୍‌ଲୋଡ୍ ସ୍ପିଡ୍ ସେକେଣ୍ଡ୍ ପିଛା ୧୨.୮୧ ଏମ୍‌ବି ଓ ଅପ୍‌ଲୋଡ୍ ସ୍ପିଡ୍ ୪.୭୯ ଏମ୍‌ବି ରହୁଛି। ଯଦିଓ ଏୟାରଟେଲ୍ ଏହାର ୫ଜି ନେଟ୍‌ୱର୍କର ପରୀକ୍ଷଣ କରୁଛି, କିନ୍ତୁ ୫ଜି ହାଣ୍ଡସେଟ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଖରେ ତାହା ପହଞ୍ଚିବ ନାହିଁ। ଗ୍ରାହକମାନଙ୍କ ସହିତ ଏହି ପ୍ରଯୁକ୍ତିର ପରୀକ୍ଷଣ ଲାଗି ସରକାର ଅନୁମତି ଦେଇନାହାନ୍ତି। ବର୍ତ୍ତମାନ ଟେଲିକମ୍ କଂପାନିଗୁଡ଼ିକ ଯେଉଁ ଡିଭାଇସ୍ ବ୍ୟବହାର କରୁଛନ୍ତି ସେଥିରେ ସଫ୍ଟଓୟାର ଅପ୍‌ଡେଟ୍ କରିବା ପରେ ତାହାକୁ ଗ୍ରାହକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ।
ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ମଧ୍ୟ ନିଜସ୍ବ ପ୍ରଯୁକ୍ତିକୁ ବ୍ୟବହାର କରି ମୁମ୍ବାଇରେ ୫ଜି ପରୀକ୍ଷଣ ଆରମ୍ଭ କରିଥିବା ଜଣାପଡ଼ିଛି।

ସାମସଙ୍ଗ୍‌, ଏରିକ୍ସନ ଓ ନୋକିଆ ସହିତ ମିଶି ଅନ୍ୟ ସହରଗୁଡ଼ିକରେ ମଧ୍ୟ ପରୀକ୍ଷଣ ଆରମ୍ଭ କରିବା ଉପରେ ଜିଓ କାର୍ଯ୍ୟ କରୁଛି। ସରକାରଙ୍କ ଠାରୁ ୫ଜି ସ୍ପେକ୍ଟ୍ରମ୍ ହାସଲ କରିବା ପରେ କଂପାନି ପରୀକ୍ଷଣ କାମ ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିରେ କଂପାନି ଯେଉଁ ଉପକରଣ ବ୍ୟବହାର କରୁଛି ତାହାକୁ ସ୍ଥାନୀୟ ସହଯୋଗୀ ସଂସ୍ଥା ସହ ମିଶି ନିର୍ମାଣ କରାଯାଇଛି। ଗୁଜରାଟ ଓ ହାଇଦ୍ରାବାଦରେ ଏହି ପ୍ରଯୁକ୍ତି ପରୀକ୍ଷଣ କରିବା ଲାଗି କଂପାନି ଆବେଦନ କରିଛି।ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୫ଜି ପ୍ରଯୁକ୍ତିର ପରୀକ୍ଷଣ କରିବା ଲାଗି କେନ୍ଦ୍ର ସରକାର ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆକୁ ଚଳିତ ବର୍ଷ ମେ’ ମାସରେ ଅନୁମତି ଦେଇଥିଲେ। ସେଥିପାଇଁ କଂପାନିଗୁଡ଼ିକୁ ୫ଜି ସ୍ପେକ୍ଟ୍ରମ୍ ମଧ୍ୟ ଆବଣ୍ଟନ କରାଯାଇଛି। କେବଳ ଏରିକ୍ସନ, ନୋକିଆ ଓ ସାମସଙ୍ଗ୍‌ର ପ୍ରଯୁକ୍ତିକୁ ବ୍ୟବହାର କରିବା ଲାଗି ସେମାନଙ୍କୁ କୁହାଯାଇଛି। ଚୀନ୍‌ର ୫ଜି ପ୍ରଯୁକ୍ତି ପ୍ରଦାନକାରୀ ଉପରେ କଟକଣା ରହିଛି।

ଓଡ଼ିଶାରେ ଅଧିକ ୪ଜି ସ୍ପେକ୍ଟ୍ରମ୍ ଯୋଡ଼ିଲା ଏୟାରଟେଲ୍
ଭୁବନେଶ୍ବର: ଗ୍ରାହକମାନଙ୍କୁ ଉନ୍ନତ ୪ଜି ଅନୁଭୂତି ପ୍ରଦାନ କରିବା ଲାଗି ଏୟାରଟେଲ୍ ପକ୍ଷରୁ ଓଡ଼ିଶାରେ ଅତିିରିକ୍ତ ୪ଜି ସ୍ପେକ୍ଟ୍ରମ୍ ମୂତୟନ କରାଯାଇଛି। କଂପାନି ଏହାର ନେଟୱର୍କରେ ଆଧୁନିକ ନେଟୱର୍କ ସଫ୍ଟଓୟାର ଉପକରଣ ସହିତ ୯୦୦ ମେଗାହର୍ଜର ଉନ୍ନତମାନର ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ସ୍ପେକ୍ଟ୍ରମ ଯୋଡ଼ିଛି। ନେଟୱର୍କ କ୍ଷମତାକୁ ବୃଦ୍ଧି କରିବା ଲାଗି ଏହା ୨୩୦୦ ମେଗାହର୍ଜ ବ୍ୟାଣ୍ତରେ ଅତିରିକ୍ତ ୧୦ ମେଗାହର୍ଜ ସ୍ପେକ୍ଟ୍ରମ ମୂତୟନ କରିବା କାର୍ଯ୍ୟ ଆରମ୍ଭ କରିଛି। ଏହି ନିୟୋଜନ ସମଗ୍ର ରାଜ୍ୟରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ନେଟୱର୍କ ସୃଷ୍ଟି କରିବ। ଏହା ନଗର ଏବଂ ସହରାଂଚଳରେ ଥିବା ଗୃହ ଏବଂ କୋଠାଗୁଡ଼ିକ ମଧ୍ୟରେ ଉନ୍ନତ ସେବ‌ା ପ୍ରଦାନ କରିବ।

ସମ୍ବନ୍ଧିତ ଖବର